ଶିବରାଜଙ୍କୁ ଝଟକା; ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପଦ

238

ଭୋପାଳ: ସବୁ ସସ୍ପେନ୍ସକୁ ଅନ୍ତ କରି ପ୍ରକାଶ ପାଇଲା ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ନାଁ । ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବେ ମୋହନ ଯାଦବ । ବିଧାୟକ ଦଳ ବୈଠକ ପରେ ଏ ନେଇ ଘୋଷଣା କରିଛି ଦଳ । ମୋହନଙ୍କ ନାଁକୁ ନେଇ ସହମତି ପ୍ରକାଶ ପାଇଛି । ମୋହନ ଯାଦବ ସଂଘର ଅତି ନିକଟତର ବୋଲି କୁହାଯାଉଛି । ମିଳିଥିବା ତଥ୍ୟ ଅନୁଯାୟୀ, ଶିବରାଜ ସିଂହ ଚୌହାନ ମୋହନ ଯାଦବଙ୍କ ନାଁ ବିଧାୟକ ଦଳ ବୈଠକରେ ପ୍ରସ୍ତାବ ଦେଇଥିଲେ । ଏହାକୁ ସମସ୍ତେ ସମର୍ଥନ କରିଥିଲେ ।

ମୋହନ ଯାଦବ ତିନି ତିନିଥର ବିଧାୟକ ଭାବେ ନିର୍ବାଚିତ ହୋଇ ସାରିଛନ୍ତି । ଏହା ପୂର୍ବରୁ ସେ ଶିବରାଜ ସିଂ ଚୌହାନଙ୍କ ମନ୍ତ୍ରୀମଣ୍ଡଳରେ ଉଚ୍ଚ ଶିକ୍ଷାମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ ।

ଏଥିସହିତ ମଧ୍ୟପ୍ରଦେଶରେ ୨ ଜଣ ଉପମୁଖ୍ୟମନ୍ତ୍ରୀ ରହିବେ । ଏହି ଦାୟିତ୍ୱ ଜଗଦୀଶ ଦେବଡା ଏବଂ ରାଜେନ୍ଦ୍ର ଶୁକ୍ଳାଙ୍କୁ ଦିଆଯାଇଛି । ସେହିପରି ବିଜେପିର ବରିଷ୍ଠ ନେତା ନରେନ୍ଦ୍ର ସିଂ ତୋମରଙ୍କୁ ବିଧାନସଭା ଅଧ୍ୟକ୍ଷ ପଦ ଦିଆଯାଇଛି ।

ସୂଚନାଥାଉ କି ଆଜି ବିଜେପି ଶୀର୍ଷ ନେତୃତ୍ୱ ଆଜି ଏକ ପର୍ଯ୍ୟବେକ୍ଷକ ଟିମ ପଠାଇଥିଲେ । ଏହି ଟିମରେ ହରିଆଣା ମୁଖ୍ୟମନ୍ତ୍ରୀ  ମୋହନଲାଲ ଖଟ୍ଟର, ଆଶା ଲାକଡା ଏବଂ କେ ଲକ୍ଷ୍ମଣଙ୍କ ନାଁ ସାମିଲ ଥିଲା ।

ଏହି ଟିମ ପ୍ରଥମେ ଶିବରାଜ ସିଂହଙ୍କୁ ସାକ୍ଷାତ କରି ଆଲୋଚନା କରିଥିଲେ । କୁହାଯାଉଛି, ଖଟ୍ଟର ବିଜେପି ଶୀର୍ଷ ନେତାଙ୍କ ଫରମାଇସ ନେଇ ଭୋପାଳ ଆସିଥିଲେ । ଏହା ପରେ ନଡ୍ଡା ଲଗାତାର ତାଙ୍କ ସହ ସମ୍ପର୍କରେ ଥିଲେ । ପାର୍ଟି ଅଫିସରେ ଯେତେବେଳେ ବିଧାୟକ ଦଳ ବୈଠକ ଚାଲିଥିଲା ସେତେବେଳେ ବାହାରେ ପ୍ରହ୍ଲାଦ ପଟେଲ ଏବଂ ଶିବରାଜ ସିଂ ଚୌହାନଙ୍କ ସମର୍ଥକ ନାରାବାଜି କରୁଥିବା ଦେଖିବାକୁ ମିଳିଥିଲା ।

Comments are closed, but trackbacks and pingbacks are open.