ମୋଦୀଙ୍କୁ ସୁଧାରିବେ ଶିବଲ

19

ଆସନ୍ତା ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ଧୂଳି ଚଟାଇବାକୁ ଏକଜୁଟ ହେବା ପ୍ରୟାସରେ ବିରୋଧୀ ଦଳ । ଗୋଟେପଟେ କଂଗ୍ରେସ ସମସ୍ତ ବିରୋଧୀ ଦଳଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡିଥିବା ବେଳେ ଏପଟେ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିିଲ କପିଲ ଶିବଲ ଏହାକୁ ନେଇ ଏକ ନୂଆ ମଞ୍ଚର ଘୋଷଣା କରିଛନ୍ତି । ଶିବଲ ନିଜର ନୂଆ ମଞ୍ଚର ନାଁ ଇନସାଫ୍ ରଖିଛନ୍ତି । ମାର୍ଚ୍ଚ ୧୧ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଏହି ମଞ୍ଚ ଦ୍ୱାରା ତାଙ୍କର ଏଜେଣ୍ଡାକୁ ସେ ପରିପ୍ରକାଶ କରିବାକୁ ଯାଉଛନ୍ତି ।

ଏହାସହ ଦେଶରେ ଚାଲିଥିବା ଅନ୍ୟାୟ ବିରୋଧରେ ଲଢେଇ କରିବାକୁ ଶିବଲ ବିଭିନ୍ନ ରାଜ୍ୟରେ ଥିବା ଅଣ ବିଜେପି ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ସହାୟତା ଲୋଡିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀ କରି ଶିବଲ କହିଛନ୍ତି ଯେ, ଏବେ ଜନତାଙ୍କୁ ସଚେତନ କରିବାର ସମୟ ଆସିଯାଇଛି । ସମସ୍ତଙ୍କୁ ନେଇ ଏକ ରାଷ୍ଟ୍ରୀୟ ଆନ୍ଦୋଳନ କରିବାକୁ ହେବ । ମାର୍ଚ୍ଚ ୧୧ ତାରିଖରେ ଦିଲ୍ଲୀର ଜନ୍ତରମନ୍ତର ଠାରେ ଏକ ବଡ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।

ଏହି କାର୍ଯ୍ୟକ୍ରମକୁ ସମସ୍ତ ବିରୋଧୀଦଳ ନେତାଙ୍କୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି ସିବଲ । ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିବା ସହ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ସବୁ କାମ ଖରାପ ବୋଲି କୁହାଯାଇପାରିବ ନାହିଁ । ବିଜେପି ସରକାରର ଡିଜିଟାଲାଇଜେସନ ଓ ପ୍ରଧାନମନ୍ତ୍ରୀ ଆବାସ ଭଲ ଯୋଜନା, କିନ୍ତୁ ଯେଉଁଠି ଅନ୍ୟାୟ ହେବ ସେଠି ସ୍ୱର ଉଠାଇବାକୁ ପଡିବ । ଏହା ସହ ମୋଦୀଙ୍କୁ ବିରୋଧ କରିବା ନୁହେଁ ବରଂ ମୋଦୀଙ୍କୁ ସୁଧାରିବାକୁ ସେ କହିଛନ୍ତି । ସେଥିପାଇଁ ସମସ୍ତ ବିରୋଧୀ ଦଳର ମୁଖ୍ୟମନ୍ତ୍ରୀ ଓ ନେତାଙ୍କ ସହାୟତା ମାଗିଛନ୍ତି କପିଲ ଶିବଲ ।

Comments are closed, but trackbacks and pingbacks are open.