ଶିରୀଶ ମୁର୍ମୁ ଆର୍‌ବିଆଇ ଡେପୁଟି ଗଭର୍ଣ୍ଣର

381

ନୂଆଦିଲ୍ଲୀ: ଭାରତ ସରକାର ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ୍ (ଆର୍‌ବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍ ନିଯୁକ୍ତି କମିଟି ତାଙ୍କ ନିଯୁକ୍ତିକୁ ଅନୁମୋଦନ କରିଥିବା ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି। ଶିରୀଶ ଆସନ୍ତା ତିନି ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବେ ଦାୟିତ୍ୱ ସମ୍ଭାଳିବେ। ଆସନ୍ତା ମାସରେ ଏମ୍ ରାଜେଶ୍ୱର ରାଓ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ ତାଙ୍କ ସ୍ଥାନରେ ଶିରୀଶ ମୁର୍ମୁଙ୍କୁ ନିଯୁକ୍ତି ଦିଆଯାଇଛି। ଏମ୍ ରାଜେଶ୍ୱର ବର୍ତ୍ତମାନ ବ୍ୟାଙ୍କିଂ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ପୋର୍ଟଫୋଲିଓ ଦାୟିତ୍ୱରେ ଥିବା ସବୁଠାରୁ ବରିଷ୍ଠ ଡେପୁଟି ଗଭର୍ଣ୍ଣର। ରାଓଙ୍କ କାର୍ଯ୍ୟକାଳ ଅକ୍ଟୋବର ୮ରେ ଶେଷ ହେଉଛି। ଶିରୀଶ ମୁର୍ମୁ ୯ ଅକ୍ଟୋବରରେ ନିଜର ନୂଆ ଦାୟିତ୍ୱ ସହ କାର୍ଯ୍ୟରେ ଯୋଗଦେବେ ବୋଲି ଜଣାପଡିଛି। ପ୍ରକାଶ, ଶିରୀଶ ମୁର୍ମୁ ସମ୍ପ୍ରତି ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଅନ୍ୟପକ୍ଷେ ଆରବିଆଇର ୪ ଡେପୁଟି ଗଭର୍ଣ୍ଣର ମୁଦ୍ରା ନୀତି, ଆର୍ôଥକ ବଜାର ନିୟମାବଳୀ, ବ୍ୟାଙ୍କିଂ ତଦାରଖ ଏବଂ ସର୍ବୋଚ୍ଚ ବ୍ୟାଙ୍କର ନିୟମାବଳୀ ସମେତ ଚାରୋଟି ପ୍ରମୁଖ ବିଭାଗର ଦାୟିତ୍ୱରେ ଅଛନ୍ତି। ମୁର୍ମୁଙ୍କ ପୋର୍ଟଫୋଲିଓ ଆବଣ୍ଟନ ଏପର୍ଯ୍ୟନ୍ତ ଘୋଷଣା କରାଯାଇନାହିଁ। ଶିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ଜମ୍ମୁ-କଶ୍ମୀରର ପ୍ରଥମ ଲେଫ୍ଟନାଣ୍ଟ ଗଭର୍ଣ୍ଣର ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସାନ ଭାଇ।

Comments are closed, but trackbacks and pingbacks are open.