ମୁମ୍ବାଇ: ଜଣାଶୁଣା ଅଭିନେତ୍ରୀ ଏବଂ ବିଗ୍ ବସ୍ ୧୩ ପ୍ରତିଯୋଗୀ ଶେଫାଳୀ ଜାରିୱାଲାଙ୍କ ଆକସ୍ମିକ ମୃତ୍ୟୁ ପରେ ମନୋରଞ୍ଜନ ଶିଳ୍ପ ବର୍ତ୍ତମାନ ସ୍ତବ୍ଧ ପାଲଟିଛି। ୨୦୦୦ ଦଶକରେ କାଣ୍ଟା ଲଗା ମ୍ୟୁଜିକ୍ ଭିଡିଓ ପରେ ପ୍ରସିଦ୍ଧି ହାସଲ କରିଥିବା ଏହି ଅଭିନେତ୍ରୀଙ୍କର ଶୁକ୍ରବାର (ଜୁନ୍ ୨୭) ମୁମ୍ବାଇରେ ୪୨ ବର୍ଷ ବୟସରେ ମୃତ୍ୟୁ ଘଟିଛି।
ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ମଧ୍ୟରାତ୍ରିରେ ଶେଫାଳୀଙ୍କୁ ହସ୍ପିଟାଲକୁ ନିଆଯାଇଥିଲା ଏବଂ ସେଠାରେ ପହଞ୍ଚିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ତଥାପି, ମୁମ୍ବାଇ ପୁଲିସ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଘଟଣାର ତଦନ୍ତ କରିବା ପାଇଁ ଶେଫାଳୀଙ୍କ ଘରେ ଯାଇ ଫରେନ୍ସିକ୍ ଟିମ୍ ପହଞ୍ଚି ସାରିଛି। ମୃତ୍ୟୁ ପଛର କାରଣ ହୃଦଘାତ ନା ଆଉ କିଛି ଏ ଦିଗରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ପୁଲିସ । ସମ୍ପର୍କୀୟ, ରୋଷେୟା ଓ ଅନ୍ୟ ଘରୋଇ ସହାୟକଙ୍କୁ ଜେରା କରାଯାଉଛି । ଅନ୍ୟପଟେ କୁପର ହସ୍ପିଟାଲରେ ଶେଫାଳୀଙ୍କ ଶରୀର ବ୍ୟବଚ୍ଛେଦ କରାଯାଇଛି । ରିପୋର୍ଟ ଆଧାରରେ ତଦନ୍ତ ପ୍ରକ୍ରିୟା ଆଗକୁ ବଢ଼ାଯିବ ବୋଲି ପୁଲିସ କହିଛି । ୨୦୦୨ ମସିହାରେ ମ୍ୟୁଜିକ୍ ଭିଡିଓ କାଣ୍ଟା ଲଗାରୁ ରାତାରାତି ଷ୍ଟାର୍ ପାଲଟିଥିଲେ ଶେଫାଳୀ । ଜଣେ ମଡେଲ୍ ଓ ଅଭିନେତ୍ରୀ ଭାବେ ବିଭିନ୍ନ ବିଜ୍ଞାପନ, ମ୍ୟୁଜିକ୍ ଭିଡିଓ ଓ ସିନେମାରେ ଅଭିନୟ କରିଥିଲେ । ମାତ୍ର ୪୨ବର୍ଷ ବୟସରେ ଅଭିନେତ୍ରୀଙ୍କ ବିୟୋଗ ପ୍ରଶଂସକଙ୍କୁ ମର୍ମାହତ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ ହୃଦଘାତରେ ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ କଳା ଜଗତରେ ଶୋକର ଛାୟା ଖେଳିଛି ।
Next Post
Comments are closed, but trackbacks and pingbacks are open.