ଘନେଇଲା ଶଙ୍କରାଚାର୍ଯ୍ୟ ବିବାଦ: ହାତୀ ଆଖଡା ମଠର ମହନ୍ତ କହିଲେ କାହା ପାଖରେ ସ୍ଫଟିକ ଶିବଲିଙ୍ଗ?

21

ଗତକାଲି ସ୍ୱାମୀ ଅଧ୍ୟକ୍ଷାନନ୍ଦ ପୁରୀ ଆସି ବିରୋଧର ସମ୍ମୁଖୀନ ହେବା ପରେ ପୁଣି ଥରେ ନୂଆ ବିବାଦ ସାମ୍ନାକୁ ଆସିଛି । ପୁରୀର ପୁରାତନ ହାତୀ ଆଖଡା ମଠର ମହନ୍ତ କହିଛନ୍ତି, ଆଦି ଶଙ୍କରାଚାର୍ଯ୍ୟ ଦେଇଥିବା ସ୍ଫଟିକ ଶିବଲିଙ୍ଗ ଅଧ୍ୟକ୍ଷାନନ୍ଦଙ୍କ ପାଖରେ ରହିଛି । ପୁରୀ ଗୋବର୍ଦ୍ଧନପୀଠର ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପାଖରେ ଏହା ଅଛି କି ନାହିଁ ତାହା ସେ ଜାଣିନାହାନ୍ତି । ତେବେ ପୂର୍ବତନ ଶଙ୍କରାଚାର୍ଯ୍ୟ ନିରଞ୍ଜନ ଦେବତୀର୍ଥ ଉତ୍ତରାଧିକାରୀ ଭାବେ ଏହି ଶିବଲିଙ୍ଗ ପ୍ରଦାନ କରିଥାନ୍ତି ବୋଲି ସେ କହିଛନ୍ତି ।
ନିଜକୁ ପୁରୀ ଶଙ୍କରାଚାର୍ଯ୍ୟ ବୋଲି ଦାବି କରୁଥିବା ସ୍ୱାମୀ ଅଧ୍ୟକ୍ଷାନନ୍ଦ ଓଡିଶା ଆସି ବିରୋଧର ସମ୍ମୁଖୀନ ହେବା ପରେ ପୁଣି ଆରମ୍ଭ ହୋଇଛି ନୂଆ ବିବାଦ । ପୁରୀର ପୁରାତନ ହାତୀ ଆଖଡା ମଠର ମହନ୍ତ ପରୋକ୍ଷରେ ଅଧ୍ୟକ୍ଷାନନ୍ଦଙ୍କ ସମର୍ଥନରେ ବାହାରିଛନ୍ତି । ଉତ୍ତରାଧୀକାରୀ ସୂତ୍ରରେ ପୂର୍ବତନ ଶଙ୍କରାଚାର୍ଯ୍ୟ ନିରଞ୍ଜନ ଦେବତୀର୍ଥଙ୍କ ଠାରୁ ମିଳିଥିବା ସ୍ଫଟିକ ଶିବଲିଙ୍ଗ ଅଧ୍ୟକ୍ଷାନନ୍ଦଙ୍କ ପାଖରେ ଥିବା କହିଛନ୍ତି ମହନ୍ତ । ତେବେ ଏହି ଶିବଲିଙ୍ଗ ବର୍ତ୍ତମାନର ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ପାଖରେ ଅଛି କି ନାହିଁ ସେ ଜାଣିନଥିବା କହିଛନ୍ତି ।
ତେବେ ଏହି ଆତ୍ମଘୋଷିତ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କୁ ପୁରୀ ଓ ଭୁବନେଶ୍ୱରରେ ଆଦିତ୍ୟ ବାହିନୀ ପକ୍ଷରୁ ଜୋରଦାର ବିରୋଧ କରାଯାଇଥିଲା । ଏପରିକି ତାଙ୍କୁ ପୁରୀ ସହର ଓ ଲିଙ୍ଗରାଜ ମନ୍ଦିରରେ ପ୍ରବେଶ ମଧ୍ୟ କରିବାକୁ ଦିଆଯାଇନଥିଲା । ଶଙ୍କରାଚାର୍ଯ୍ୟ ପଦ ହିନ୍ଦୁ ଧର୍ମଭାବନା ସହ ଜଡିତ ଥିବାରୁ ଏବେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦିଆଯିବା ଦରକାର ବୋଲି ଦାବି ଉଠିଛି । ତେବେ ପୁରୀ ଶଙ୍କରାଚାର୍ଯ୍ୟ ପଦବୀକୁ ନେଇ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଅଧ୍ୟକ୍ଷାନନ୍ଦ ଦେବତୀର୍ଥଙ୍କ ଭିତରେ ବିବାଦ କିଛି ନୂଆ କଥା ନୁହେଁ । ୧୯୯୬ ମସିହାରୁ ଏହି ବିବାଦ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ କୋର୍ଟରେ ମଧ୍ୟ ପହଞ୍ଚିଥିଲା । ଏପରିକି ୧୪୪ ଧାରା ଜାରି କରାଯାଇ ଅଧ୍ୟକ୍ଷାନନ୍ଦଙ୍କ ପୁରୀ ପ୍ରବେଶ ଉପରେ ରୋକ ଲଗାଇଥିଲା ପ୍ରଶାସନ । ତେବେ ଗତକାଲିର ବିରୋଧକୁ ସମାଲୋଚନା କରି ହାତୀ ଆଖଡ଼ାର ମହନ୍ତ କହିଛନ୍ତି, କିଛି ଅରାଜକତତ୍ୱ ଏହି ବିବାଦ ତିଆରି କରିଛନ୍ତି ।

Comments are closed, but trackbacks and pingbacks are open.