ଏନ୍‌ଡିଟିଭିରୁ ବରିଷ୍ଠ ସାମ୍ବାଦିକ ରବିଶ କୁମାରଙ୍କ ଇସ୍ତଫା

33

ନୂଆଦିଲ୍ଲୀ: ଏନ୍‌ଡିଟିଭିରୁ ବରିଷ୍ଠ ସାମ୍ବାଦିକ ରବିଶ କୁମାରଙ୍କ ଇସ୍ତଫା I ୨୯ ତାରିଖରେ ଚାନେଲର ପ୍ରତିଷ୍ଠାତା ତଥା ପ୍ରଣୟ ରୟ ଏବଂ ରାଧିକା ରୟ ଆରଆରପିଆର ହୋଲଡିଂ ପ୍ରାଇଭେଟ ଲିମିଟେଡ୍ (ଆରଆରପିଏଚ) ବୋର୍ଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ବରିଷ୍ଠ ସାମ୍ବାଦିକ ରବିଶ କୁମାର ବୁଧବାର ଏହି ଚାନେଲରୁ ଇସ୍ତ‍ଫା ଦେଇଛନ୍ତି। ଏନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର ଧରିଥିବା ବେଳେ କିଛି ବିଶିଷ୍ଟ ବ୍ୟକ୍ତି ଏବଂ କିଛି ଜାତୀୟ ଗଣମାଧ୍ୟମ ମଧ୍ୟ ଟୁଇଟ୍‌ର ଯୋଗେ ସୂଚନା ଦେଇଛନ୍ତି ।

ପ୍ରଣୟ ରାୟ ଏବଂ ତାଙ୍କ ପତ୍ନୀ ରାଧିକା ରାୟ ଉଭୟ ନୂଆଦିଲ୍ଲୀ ଟେଲିଭିଜନ ଲିମିଟେଡ୍(ଏନଡିଟିଭି)ର ବୋର୍ଡ ଅଫ ଡାଇରେକ୍ଟର୍ସ ପଦରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ,ଏନ୍ଡ଼ିଟିଭି ର ବରିଷ୍ଠ ସାମ୍ବାଦିକ ରବିଶ କୁମାର ଙ୍କ ଇସ୍ତଫା ଚର୍ଚ୍ଚାର ବିଷୟ ପାଲଟିଛି I ଏନଡିଟିଭି ଗ୍ରୁପ୍‌ର ସଭାପତି ସୁପର୍ଣ୍ଣା ସିଂ କହିଛନ୍ତି, ରବିଶଙ୍କ ଭଳି ଅଳ୍ପ କିଛି ସାମ୍ବାଦିକ ନିଜର ଖବର ପ୍ରସାରଣ ଯାଦୁରେ ଲୋକଙ୍କୁ ପ୍ରଭାବିତ କରିବାର କ୍ଷମତା ରଖନ୍ତି ସାମ୍ବାଦିକ ଜଗତର ଜଣାଶୁଣା ଚେହେରା ରବିଶ କୁମାର ନିଜ ପାରଦର୍ଶିତା ବଳରେ ଅନେକ ସମ୍ମାନଜନକ ପୁରସ୍କାର ପାଇଛନ୍ତି।

ଦଶନ୍ଧି ଧରି ରବିଶ କୁମାର ଏନଡିଟିଭିର ଜଣେ ଅବିଚ୍ଛେଦ୍ୟ ଅଙ୍ଗ ଭାବେ ଯୋଡ଼ି ହୋଇଥିଲେ । ତାଙ୍କର ରାତି ୯ଟାରେ ପ୍ରାଇମଟାଇମ ଶୋ’ ବେଶ ପ୍ରଭାବଶାଳୀ ଓ ଲୋକପ୍ରିୟ ଥିଲା। ଚାନେଲ ପ୍ରତି ତାଙ୍କର ଅବଦାନ ଅତୁଳନୀୟ । ସେ ପୁଣି ଏକ ନୂଆ ଆରମ୍ଭ ଲକ୍ଷ୍ୟରେ ଥିବା ବେଳେ ତାଙ୍କ ଯାତ୍ରା ସଫଳ ହେବ ଏହା ନିଃସନ୍ଦେହ। ଏହା ଆମେ ଜାଣୁ ବୋଲି ସୁପର୍ଣ୍ଣା କହିଛନ୍ତି। ରମଣ ମ୍ୟାଗସେସେ ପୁରସ୍କାର ପ୍ରାପ୍ତ ରବିଶ କୁମାର ହମ୍ ଲୋଗ, ରବିଶ୍ କି ରିପୋର୍ଟ, ଦେଶ କି ବାତ୍‌ ଏବଂ ପ୍ରାଇମ୍ ଟାଇମ୍ ସହିତ ଅନେକ କାର୍ଯ୍ୟକ୍ରମ କରିଛନ୍ତି। ସାମ୍ବାଦିକତା କ୍ଷେତ୍ରରେ ଉତ୍କର୍ଷତା ପାଇଁ ତାଙ୍କୁ ରାମନାଥ ଗୋଏଙ୍କା ପୁରସ୍କାର ସମ୍ମାନରେ ମଧ୍ୟ ସମ୍ମାନିତ କରାଯାଇଛି।

ରବିଶ କୁମାରଙ୍କ ଇସ୍ତଫା ଘୋଷଣା କରି ଚ୍ୟାନେଲ ଏକ ମେଲ ପଠାଇ କହିଛି ଯେ, ତାଙ୍କ ଇସ୍ତଫା ତୁରନ୍ତ କାର୍ଯ୍ୟକାରୀ ହେବ। ଏହାର ଅର୍ଥ ବର୍ତ୍ତମାନ ରବିଶ କୁମାରଙ୍କୁ ଏନଡିଟିଭି ପାଇଁ ଶୋ ‘କରୁଥିବା ଦେଖିବାକୁ ମିଳିବ ନାହିଁ।’

Comments are closed, but trackbacks and pingbacks are open.