ଗୋଟିଏ ବର୍ଷରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ସେନ୍‍ ଗ୍ଲୋବ୍‍

32

ଭୁବନେଶ୍ୱର,୧୦ ।୧୨: କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଥିବା ସ୍ପେସାଲ୍‍ ଏଜୁକେସନ୍‍ ନିଡ୍‍ସ (ଏସ୍‍ଇଏନ୍‍) ଗ୍ଲୋବ୍‍କୁ ପୂରିଛି ଏକ ବର୍ଷ । ଏହି ଅବସରରେ ଶୁକ୍ରବାର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ସ୍କୁଲ୍‍ ପରିସରରେ ଅନୁଷ୍ଠିତ ହୋଇଥିଲା । କିଟ୍‍ ଓ କିସ୍‍ ସଭାପତି ଶାଶ୍ୱତୀ ବଳ ଏଥିରେ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସ୍କୁଲ୍‍ର ଚେୟାରପର୍ସନ ଡ. ମୋନା ଲିସା ବଳ କହିଥିଲେ, ବର୍ଷକ ତଳେ ୭ଜଣ ଛାତ୍ରଛାତ୍ରୀ ଓ ୧୫ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନେଇ ସ୍କୁଲ୍‍ରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ବିଭାଗ ଖୋଲିଥିଲା । ବର୍ତ୍ତମାନ ସେନ୍‍ ଗ୍ଲୋବ୍‍ରେ ୮୫ଜଣ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀ ରହିଥିବା ବେଳେ ସେମାନଙ୍କ ପାଇଁ ୩୮ଜଣ ସ୍ପେଶାଲ ଏଜୁକେଟର ଓ ୧୨ ଜଣ ଥେରାପିଷ୍ଟ କାର୍ଯ୍ୟ କରୁଛନ୍ତି । ଏହି ଛାତ୍ରଛାତ୍ରୀମାନେ ସାଧାରଣ ଛାତ୍ରଛାତ୍ରୀଙ୍କ ଭଳି ଶିକ୍ଷା ସହ ବିଭିନ୍ନ କ୍ଷେତ୍ରରେ ଉତ୍ତମ ପ୍ରଦର୍ଶନ କରି ଆସୁଥିବା ସେ କହିଛନ୍ତି । ୨୦୨୧-୨୨ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରୀକ୍ଷାରେ ଏମାନଙ୍କ ମଧ୍ୟରୁ ୧୨ଜଣ ଛାତ୍ରଛାତ୍ରୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି । ସ୍କୁଲ୍‍ର ଆୟୁଷ ନାୟକ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷାବୋର୍ଡ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ୯୦ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେ ଦକ୍ଷିଣ ଆଫ୍ରିକାରେ ଉଚ୍ଚତର ଶିକ୍ଷା ପାଇଁ ମନୋନୀତ ହୋଇଛନ୍ତି ବୋଲି ସ୍କୁଲ୍‍ର ଅଧ୍ୟକ୍ଷ ଡ. ସଞ୍ଜୟ ସୁଆର କହିଛନ୍ତି । ଆୟୁଷଙ୍କ ସଫଳତା ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଉଦାହରଣ ପାଲଟିଥିବା ବେଳେ ସେମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇଛନ୍ତି । ଏଠାରେ ଆନୁଷ୍ଠାନିକ ଶିକ୍ଷା ବ୍ୟତୀତ ବିଭିନ୍ନ ସମୟରେ ସ୍ପେଶାଲ ଟିଚର ଓ ଥେରାପିଷ୍ଟଙ୍କ ପାଇଁ କାପାସିଟି ବିଲ୍‍ଡିଂ ତାଲିମ୍‍ ପ୍ରଦାନ କରାଯାଇଥାଏ । ଏହା ଛଡ଼ା ଅଟିଜିମ୍‍ ସ୍ପେକ୍‍ଟ୍ରମ୍‍ ଡିସ୍‍ଅଡର (ଏଏସ୍‍ଡି) ଏବଂ ଲର୍ଣ୍ଣିଂ ଡିଜାବିଲିଟି (ଏଲ୍‍ଡି) ଆଦି କାର୍ଯ୍ୟକ୍ରମରେ ୧୫ ଦିନିଆ ତାଲିମ୍‍ ପ୍ରଦାନ କରାଯାଇଥାଏ ବୋଲି ସେନ୍‍ ଗ୍ଲୋବ୍‍ ପରାମର୍ଶଦାତା ବୋର୍ଡ ସଦସ୍ୟ ଡ. ପିୟୂଷ ରଥ କହିଛନ୍ତି । ଏହା ଛଡ଼ା ଛାତ୍ରଛାତ୍ରୀମାନଙ୍କୁ ସଫିଂ, ଯୋଗ, ଗ୍ରିଟିଂ କାର୍ଡ ତିଆରି, ଡେକୋରେଟିଭ୍‍ ଦୀପ ତିଆରି, ଟି ସାର୍ଟ ପେଣ୍ଟିଂ, ଫଟୋ ଷ୍ଟାଣ୍ଡ, ପେନ୍‍ ଷ୍ଟାଣ୍ଡ ଏବଂ ପେପର ବ୍ୟାଗ୍‍ ତିଆରି ଆଦି ବିଭିନ୍ନ ପ୍ରକାର ଲାଇଭ ସ୍କିଲ୍‍ ତାଲିମ୍‍ ପ୍ରଦାନ କରାଯାଇଥାଏ ବୋଲି ପରାମର୍ଶଦାତା ବୋର୍ଡ ଅନ୍ୟତମ ସଦସ୍ୟ ଗାର୍ଗୀ ଭଟ୍ଟଚାର୍ଯ୍ୟ କହିଥିଲେ । 

Comments are closed, but trackbacks and pingbacks are open.