ରାଜ୍ୟ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀଙ୍କ ପାଇଁ ନିଜ ସ୍ୱାର୍ଥ ପ୍ରଥମ : ବିଜେଡି

39

ନିଜର ଫାଇଦା ନ ଥିଲେ ଓଡ଼ିଶା ବିଜେପି ଏବଂ କେନ୍ଦ୍ରମନ୍ତ୍ରୀମାନଙ୍କ ତୁଣ୍ଡ ଫିଟେ ନାହିଁ । ସେମାନଙ୍କ ପାଇଁ ରାଜନୈତିକ ସ୍ୱାର୍ଥ ଆଗ । ଯେତେବେଳେ ଓଡିଶା କିମ୍ବା ସାଢେ଼ ଚାରି କୋଟି ଓଡିଆଙ୍କ ସ୍ୱାର୍ଥ କଥା ଆସେ, ସେତେବେଳେ ଓଡିଶା ବିଜେପି କଦାପି ଓଡିଶା ପାଇଁ ଲଢେଇ କରୁଥିବା ଦେଖାଯାଏ ନାହିଁ । ବରଂ ଓଡିଶା ବିଜେପି, ଏହାର ନେତା ତଥା କେନ୍ଦ୍ରରେ ଥିବା ଓଡିଆ ମନ୍ତ୍ରୀମାନେ ଯଦି ରାଜନୈତିକ ଦୃଷ୍ଟିରୁ ଲାଭ ଥାଏ ତେବେ ଓଡିଶାକୁ ଅଧିକ କ୍ଷତି ପହଞ୍ଚାଇବାକୁ ପଛାଇ ନ ଥାନ୍ତି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍‌ ମହାନ୍ତି ।

ଆଜି ଶଙ୍ଖ ଭବନଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀମାନଙ୍କର ଏଭଳି ମାନସିକତାର ଏକ ଜୀବନ୍ତ ଉଦାହରଣ ୨୦୧୮ରେ ମହାନଦୀ ପ୍ରସଙ୍ଗରେ ଦେଖିବାକୁ ମିଳିଥିଲା । ଛତିଶଗଡରେ ଶାସନ କରୁଥିବା ବିଜେପି ନେତୃତ୍ୱାଧିନ ସରକାର ମହାନଦୀ ଉପରେ ବେଆଇନ ଭାବେ ବ୍ୟାରେଜ୍‌ ନିର୍ମାଣ କରୁଥିଲେ । ୨୦୧୮ ଛତିଶଗଡ ବିଧାନସଭା ନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ଥିବା ଜଣେ ଓଡିଆ କେନ୍ଦ୍ର ମନ୍ତ୍ରୀ ସେତେବେଳେ ଓଡ଼ିଶା ସପକ୍ଷରେ ତଥା ଛତିଶଗଡରେ ବିଜେପି ସରକାରଙ୍କ ବେଆଇନ କାର୍ଯ୍ୟ ବିରୋଧରେ କହିବା ପରିବର୍ତ୍ତେ ସେ ଛତିଶଗଡର ବିଜେପି ସରକାରଙ୍କ ପକ୍ଷ ରଖିଥିଲେ । ତକ୍ରାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମଧ୍ୟ ସେ ଓଡିଶା ବିରୋଧରେ ଯୁକ୍ତି ବାଢ଼ିଥିଲେ ।

ବୈଠକରେ କେନ୍ଦ୍ର ମନ୍ତ୍ରୀ ବିଜେପି ସରକାର ଏବଂ ଛତିଶଗଡ ସରକାରଙ୍କ ସପକ୍ଷରେ ମତ ରଖି ଏବଂ ଓଡିଶାର ସ୍ୱାର୍ଥ ବିରୋଧରେ ଯାଇଥିଲେ । ଏହା ପରେ ଯେତେବେଳେ ଓଡିଶା ମହାନଦୀ ଉପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିକଟକୁ ଯିବାକୁ ସ୍ଥିର କଲା ଏବଂ ଏହା ମହାନଦୀ ଟ୍ରିବ୍ୟୁନାଲ ଗଠନ କଲା, ସେତେବେଳେ ଓଡିଶା ବିଜେପି ଏହାକୁ ବିରୋଧ କରି ସେମାନଙ୍କର ଓଡିଶା ବିରୋଧୀ ମାନସିକତାକୁ ପ୍ରକାଶ କଲା । ଓଡିଶା ବିଜେପିର ଏଭଳି ମନୋଭାବ ହେତୁ ୨୦୧୯ ସାଧାରଣ ନିର୍ବାଚନ ଏବଂ ୨୦୨୨ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ଓଡିଶାବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରି ରାଜ୍ୟର ୩୦ ଟି ଯାକ ଜିଲ୍ଲାରେ ବିଜୁ ଜନତା ଦଳକୁ ବିଜୟୀ କଲେ ।

ଓଡ଼ିଶା ବିଜେପି ରାଜ୍ୟବାସୀଙ୍କୁ ଆଇନହୀନ ବୋଲି କହି ଅପମାନିତ କରିଛି । ଯେତେବେଳେ ସମ୍ବଲପୁରରେ ଶାନ୍ତି ଆସେ, ସେତେବେଳେ ବିଜେପି ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରେ । ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ ଏବଂ ଉତ୍ତରପ୍ରଦେଶରେ ଘଟିଥିବା ଧାରାବାହିକ ଦଙ୍ଗାକୁ ଦେଖିବା ପାଇଁ ବିଜେପି ଏହାର ତଥ୍ୟ ଅନୁସନ୍ଧାନକାରୀଦଳ ପଠାଇଥିଲେ ଠିକ୍‌ ହୋଇଥାନ୍ତ।। ଓଡିଶାର ଲୋକମାନେ ଶାନ୍ତିପ୍ରିୟ; ମାତ୍ର ଏହି ମନୋଭାବ ପାଇଁ ସେମାନେ ଓଡିଶା ବିଜେପିକୁ କଦାପି କ୍ଷମା କରିବେ ନାହିଁ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Comments are closed, but trackbacks and pingbacks are open.