ଧାମନଗରରେ କେନ୍ଦ୍ରମନ୍ତ୍ରୀଙ୍କ ମାରାଥନ ପ୍ରଚାରର ଦ୍ୱିତୀୟ ଦିନ

28

ଭୁବନେଶ୍ୱର୍‌: ଗଣତନ୍ତ୍ରରେ ଅହଙ୍କାର ଗ୍ରହଣୀୟ ନୁହେଁ । ରାବଣ ଓ କଂସର ବି ଦିନେ ଅହଙ୍କାର ଭାଙ୍ଗିଥିଲା । ଜନ ଆଶୀର୍ବାଦ ବଳରେ ଶାସକ ଦଳର ଅହଙ୍କାର ଭାଙ୍ଗିବ ଏବଂ ସୂରଜଙ୍କ ଭଳି ଯୁବ ନେତୃତ୍ୱକୁ ଧାମନଗରର ଜନତା ମାଆ ମାଟିର ସେବା କରିବା ପାଇଁ ସୁଯୋଗ ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶନିବାର କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପ୍ରଚାରର ଦ୍ୱିତୀୟ ଦିନରେ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜଙ୍କ ପାଇଁ ବିଶାଳ ପଦଯାତ୍ରା ଓ ଶୋଭାଯାତ୍ରା କରିବା ଅବସରରେ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ତିହିଡି ବ୍ଲକ୍‌ର ପାଳିଆବଜାର, ପାଳିଆବିନ୍ଧା, କୁମାରସାହି, ଅଲିବଜାର ଓ ଗୁଆମାଳ ସମେତ ବିଭିନ୍ନ ସ୍ଥାନରେ ପ୍ରଚାର କରିଥିଲେ । ସେ କହିଛନ୍ତି ଯେ ରାଜ୍ୟରେ ମହିଳା ବିକାଶର ଡିଣ୍ଡିମ ପିଟୁଥିବା ସରକାରଙ୍କ ଦୀର୍ଘ ୨୨ ବର୍ଷ ଶାସନରେ ମହିଳାମାନେ ଅଧିକ ନିର୍ଯାତିତ । ଡାକ୍ତରଖାନାକୁ ଯିବାପାଇଁ ପ୍ରସୂତିମାନେ ଖଟରେ ବୁହା ହେଉଛନ୍ତି । ପରିବାର ଲୋକମାନେ ନିଜ ଆତ୍ମୀୟଙ୍କ ଶବକୁ ସାଇକେଲରେ ବୋହିବା ପାଇଁ ବାଧ୍ୟ ହେଉଛନ୍ତି । ଗଣତନ୍ତ୍ରରେ ଅହଙ୍କାର ଗ୍ରହଣୀୟ ନୁହେଁ । ରାବଣ ଓ କଂସର ବି ଦିନେ ଅହଙ୍କାର ଭାଙ୍ଗିଥିଲା । ଭାରତକୁ ଲମ୍ବା ସମୟ ପରାଧୀନ କରି ରଖିବାକୁ ଚାହୁଁଥିବା ବ୍ରିଟିଶର ଅହଙ୍କାରକୁ ମଧ୍ୟ ଭଦ୍ରକର ବୀର ସଂଗ୍ରାମୀମାନେ ଭଙ୍ଗ କରିଛନ୍ତି । ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତି ନାହିଁ । ଏ ଅଞ୍ଚଳ ହେଉଛି ସ୍ୱାଭିମାନର ମାଟି, କେବେ ସାଲିସ୍ କରିବା ଶିଖିନି । ଏହି ବୀରଭୂମିରେ ଶାସକଦଳର ଅପପ୍ରଚାରକୁ ସ୍ଥାନୀୟବାସୀ କେବେ ବି ପ୍ରଶ୍ରୟ ଦେବେ ନାହିଁ । ସୂରଜ ଜଣେ ଉଚ୍ଚଶିକ୍ଷିତ ଓ ଲଢୁଆ ଯୁବକ । ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଆଦର୍ଶରେ ସେ ନିଜ ମାଟି ମାଆର ସେବା କରିବା ପାଇଁ ରାଜନୈତିକ ଯାତ୍ରା ଆରମ୍ଭ କରିଛି । ଧାମନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ସମର୍ଥନ ହିମାଳୟ ଭଳି ଅତୁଟ ରହିଛି । ଏଠାକାର କୋଣଅନୁକୋଣରେ ଜନପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ଭାଇଙ୍କ ସ୍ମୃତି ଜୀବିତ ଅଛି । ମାଆମାନେ ଦଳମତ ନିର୍ବିଶେଷରେ ସୂର୍ଯ୍ୟବଂଶୀଙ୍କୁ ଆଶୀର୍ବାଦ ଦେଉଛନ୍ତି । ଏ ଅଞ୍ଚଳର ଟାଣୁଆ ସ୍ତମ୍ଭ ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସ୍ୱର୍ଗୀୟ ବିଷ୍ଣୁ ସେଠୀ ଓ ବିଜେପି ପ୍ରତି ଜନତାଙ୍କ ଆସ୍ଥା ଅତୁଟ ରହିଛି । ଯୁବବର୍ଗ ଲଢୁଆ ନେତୃତ୍ୱକୁ ସ୍ୱୀକାର କରୁଛନ୍ତି । ଏହି ସହଯୋଗ ବଳରେ ବିଜେପିର ବିଜୟ ସୁନିଶ୍ଚିତ ବୋଲି ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଉପନିର୍ବାଚନ ପାଇଁ ପ୍ରଚାର ବେଳେ ଶ୍ରୀ ପ୍ରଧାନ ତିହିଡି ବ୍ଲକ୍‌ର ଶ୍ରୀ ଶ୍ରୀ ବିରଞ୍ଚିନାରାୟଣ ମନ୍ଦିର ଓ ମାଆ ସାମନ୍ତାଣିଶୁଣୀ ମନ୍ଦିରରେ ଦର୍ଶନ କରିଥିଲେ । ଇଚ୍ଛାପୁର, ଶିରାପୁର ସମେତ ବିଭିନ୍ନ ସ୍ଥାନରେ କେନ୍ଦ୍ରମନ୍ତ୍ରୀଙ୍କୁ କାର୍ଯ୍ୟକର୍ତ୍ତା ଓ ନାଗରିକଙ୍କ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା ।

Comments are closed, but trackbacks and pingbacks are open.