ଭୁବନେଶ୍ୱର : ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଆଜିର ସମୟରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସ୍ତରକୁ ଆହୁରି ଉନ୍ନତ କରିପାରିଛି। ଭାରତୀୟ ବିଜ୍ଞାନ ମଧ୍ୟ ଆଜି ବିଶ୍ୱସ୍ତରରେ ଖୁବ ନାଁ କରିଛି। ଆମ ରାଜ୍ୟରେ ମଧ୍ୟ ବିଜ୍ଞାନ ଏବଂ ବୈଷୟିକ ଜ୍ଞାନକୌଶଳର ଅଭିବୃଦ୍ଧି ଏବଂ ଉନ୍ନତି ପାଇଁ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଆମର ଡିପ୍ଟେକ୍ ଏବଂ ଫ୍ରଣ୍ଟିୟର୍ ଟେକ୍ନୋଲୋଜି ପ୍ରୟାସର ଏକ ଅଂଶ ଭାବରେ ଆମେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ, ବ୍ଲକ ଚେନ୍, ରୋବୋଟିକ୍ସ ଏବଂ କ୍ୱାଣ୍ଟମ୍ କମ୍ପ୍ୟୁଟିଂ ଭଳି ଅଭିନବ ପ୍ରୟାସ ଉପରେ ବିଶେଷ ଧ୍ୟାନଦେଉଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରକାଶ କରିଛନ୍ତି। ଶୁକ୍ରବାର ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରଠାରେ ଓଡ଼ିଶା ବିଜ୍ଞାନ ଏକାଡେମୀ ପକ୍ଷରୁ ଆୟୋଜିତ ‘ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ହିଁ ବିକାଶର ମୂଳମନ୍ତ୍ର। ବିଜ୍ଞାନର ଉପଯୋଗ ସାଧାରଣ ଜନତାଙ୍କ ସୁବିଧା ସୁଯୋଗକୁ ଆଖି ଆଗରେ ରଖି ସ୍ଥାୟୀ ପରିବର୍ତ୍ତନ ଆଣିବାରେ ନିୟୋଜିତ ହେବା ଉଚିତ୍। ଏଥିପାଇଁ ତୃଣମୂଳ ସ୍ତରରେ ଗବେଷଣା ହେବା ସହିତ ବିଜ୍ଞାନ ଓ କାରିଗରୀ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣି ଅର୍ଥନୈତିକ ଓ ପ୍ରଗତିର ଶୀର୍ଷ ସ୍ଥାନରେ ଆମ ରାଜ୍ୟକୁ ପହଞ୍ଚାଇବା ଆମର ମୂଳ ଉଦ୍ଦେଶ୍ୟ। ଆମକୁ ଅନ୍ତର୍ଜାତୀୟ ସ୍ତରରେ ଆଗକୁ ବଢ଼ିବାକୁ ହେଲେ ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନକୁ ବ୍ୟବହାର କରି ମାନବ ସମାଜର ବିକାଶ ପାଇଁ ଦୀର୍ଘସ୍ଥାୟୀ ଯୋଜନା କରିବାକୁ ପଡ଼ିବ। ବିଜ୍ଞାନ ଏବଂ କାରିଗରୀର ଉନ୍ନତି ସହିତ ଆମକୁ କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଶିକ୍ଷା ଓ ପରିବେଶ ବିଷୟରେ ଉନ୍ନତ ଜ୍ଞାନକୌଶଳ ତଥା ଯନ୍ତ୍ରପାତି ଉଦ୍ଭାବନ ଉପରେ ମନୋନିବେଶ କରି ବିକାଶର ଗତିକୁ ଆହୁରି କ୍ରିୟାଶୀଳ କରିବାକୁ ପଡ଼ିବ। ଆଉ ଏଥିପାଇଁ ବୈଜ୍ଞାନିକଙ୍କ ପ୍ରଚେଷ୍ଟା ହିଁ ଆମକୁ ସଫଳ କରାଇବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଭାରତୀୟ ବିଜ୍ଞାନ ମଧ୍ୟ ଖୁବ୍ ଉଚ୍ଚରେ ଅଛି। ମହାକାଶ ବିଜ୍ଞାନରେ ଚନ୍ଦ୍ରୟାନ, ଆଦିତ୍ୟ, ମଙ୍ଗଳୟାନ, ଗଗନୟାନ ଭଳି ଅନେକ ସଫଳ ପରୀକ୍ଷଣ ଆମକୁ ବିଶ୍ୱରେ ଏକ ବୈଜ୍ଞାନିକ ବିକାଶଶୀଳ ଦେଶ ଭାବରେ ପ୍ରତିଷ୍ଠିତ କରିପାରିଛି। ଆମର ଜ୍ୟୋତିର୍ବିଦ୍ୟା, ଗଣିତ ଓ ଔଷଧ ଶାସ୍ତ୍ର ସାରା ପୃଥିବୀରେ ଅଗ୍ରଣୀ। ବର୍ତ୍ତମାନ ସମୟରେ ବୈଜ୍ଞାନିକ ଗବେଷଣା ଏକ ନୂତନ ଦିଗ୍ଦର୍ଶନ ଯେଗାଇପାରିଛି । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ଯେ ଉଦ୍ଭିଦ ଓ ଜୀବଜନ୍ତୁ ସମୃଦ୍ଧ ବିବିଧତା ସହିତ ଓଡ଼ିଶାରେ ଜୈବ-ପ୍ରଯୁକ୍ତିବିଦ୍ୟା ଗବେଷଣା, ବିଶେଷକରି ଜୈବ ସମ୍ବଳ ଓ ପାରମ୍ପରିକ ଔଷଧ କ୍ଷେତ୍ରରେ ପ୍ରଚୁର ସମ୍ଭାବନା ରହିଛି। ରାଜ୍ୟରେ ସାମୁଦ୍ରିକ ଜୈବ-ପ୍ରଯୁକ୍ତିବିଦ୍ୟା କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ମେରାଇନ୍ ବାଓଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର୍ ନାମକ ଏକ ପ୍ଲାଟ୍ଫର୍ମ ପ୍ରତିଷ୍ଠା କରାଯିବ। ଏହି ପ୍ଲାଟ୍ଫର୍ମ ମାଧ୍ୟମରେ ଶିକ୍ଷାବିତ୍, ଗବେଷକ, ଭଦ୍ଭାବକ, ଉଦ୍ୟୋଗୀ ଏବଂ ନୀତି ନିର୍ଦ୍ଧାରକ ଭଳି ବିଭିନ୍ନ ଅଂଶୀଦାରଙ୍କୁ ଏକାଠି କରି ପୂର୍ବ ଉପକୂଳରେ ବଙ୍ଗୋପସାଗରର ଜୈବ ସମ୍ଭାବନାକୁ ଉପଯୋଗ କରିବା ପାଇଁ ଏକ ରୋଡ୍ମ୍ୟାପ୍ ପ୍ରସ୍ତୁତ କରାଯିବ। ରାଜ୍ୟରେ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ ଶିକ୍ଷାର ପ୍ରୋତ୍ସାହନ ନିମନ୍ତେ ପ୍ଲାନୋଟୋରିୟମ୍, ବିଜ୍ଞାନ କେନ୍ଦ୍ରଗୁଡିକ ମଧ୍ୟରେ ଏକ ନେଟ୍ୱାର୍କ ମଧ୍ୟ ପ୍ରତିଷ୍ଠା କରାଯିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ବିଜ୍ଞାନ ଓ କାରିଗରୀ, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ ଯେ ଦିନକୁ ଦିନ ବିଜ୍ଞାନ ପ୍ରତି ଲୋକମାନଙ୍କର ଆଗ୍ରହ ବଢ଼ି ଚାଲିଛି କାରଣ ଆଜି ଆମମାନଙ୍କର ଜୀବନଶୈଳୀ, ବିଜ୍ଞାନ ଉପରେ ଅନେକ ମାତ୍ରାରେ ନିର୍ଭରଶୀଳ ହୋଇଛି। ଏଣୁ ଯିଏ ବିଜ୍ଞାନରେ ଶକ୍ତିଶାଳୀ ହେବ, ପ୍ରକୃତରେ ସେ ଶକ୍ତିଶାଳୀ। ଇତ୍ୟବସରରେ, ମୁଖ୍ୟମନ୍ତ୍ରୀ ପ୍ରଫେସର ରାଜ କିଶୋର ପରମଗୁରୁ, ଡ଼କ୍ଟର ଶୁଭ୍ରାଂଶୁ ଶେଖର ମହାପାତ୍ର, ପ୍ରଫେସର କୃଷ୍ଣ ଚନ୍ଦ୍ର ମହାନ୍ତି, ଡକ୍ଟର ରଘୁପତୃଣି ଭୀମା ରାଓ, ପ୍ରଫେସର ମଳୟ କୁମାର ମିଶ୍ର ପ୍ରମୁଖଙ୍କୁ ବରିଷ୍ଠ ବୈଜ୍ଞାନିକ ପୁରସ୍କାର ପ୍ରଦାନ କରିଥିବା ବେଳେ ପ୍ରଫେସର କ୍ଷୀରୋଦ କୁମାର ଜେନାଙ୍କୁ ବିଜୁ ପଟ୍ଟନାୟକ ପୁରସ୍କାର ପ୍ରଦାନ କରାଯାଇଥିଲା। ସେହିପରି ରବୀନ୍ଦ୍ରନାଥ ମାଝୀ ଓ ତୁଳସୀ ସ୍ୱାଇଁଙ୍କୁ ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ପୁସ୍ତକ ପୁରସ୍କାର ଦିଆଯାଇଥିବା ବେଳେ ଡକ୍ଟର ସଙ୍ଘମିତ୍ରା ସାମନ୍ତରାୟ, ଡକ୍ଟର ବେଦାଙ୍ଗଦାସ ମହାନ୍ତି, ପ୍ରଫେସର ସୁବ୍ରତ କୁମାର ପଣ୍ଡା, ପ୍ରଫେସର ପିନାକି ଦତ୍ତଙ୍କୁ ସାମନ୍ତ ଚନ୍ଦ୍ରଶେଖର ପୁରସ୍କାର ଓ ଯୁବ ବୈଜ୍ଞାନିକ ପୁରସ୍କାରରେ ଡକ୍ଟର ସରିତ ଶେଖର ପଟ୍ଟନାୟକ, ଡକ୍ଟର ଅପ୍ରମିତା ଚାନ୍ଦ, ଡକ୍ଟର ରାଜେଶ କୁମାର ପୃଷ୍ଟି ଓ ଡକ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଜ୍ଞାନ ଓ କାରିଗରୀ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ପ୍ରମୁଖ ଶାସନ ସଚିବ, ଚିତ୍ରା ଆରୁମୁଗମ ଯୋଗଦେଇ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ, ପ୍ରଫେସର ଆଶିଷ କୁମାର ମହାନ୍ତି ଧନ୍ୟବାଦ ଦେଇଥିଲେ।
Comments are closed, but trackbacks and pingbacks are open.