ଏସସିବି ଟ୍ରାଜେଡି ୪ ସସ୍ପେଣ୍ଡ

24

କଟକ : କଟକ ବଡ ମେଡିକାଲ ଅଗ୍ନିକାଣ୍ଡ ଘଟଣା । ୪ଜଣଙ୍କୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ଘଟଣାର ୩ଦିନ ପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ନିଲମ୍ବିତ ଅଧିକାରୀ ମାନେ ହେଲେ କଟକ ସର୍କଲର ଡେପୁଟି ଫାୟାର ଅଫିସର ପ୍ରକାଶ ଜେନା, ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ ବେହେରା, ଏସସିବି ମେଡିକାଲ ଓ ହସ୍ପିଟାଲର ଷ୍ଟେସନ ଅଫିସର ଅଭିନବ ପୃଷ୍ଟି ଓ ଏସସିବି ସବଡ଼ିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ରଞ୍ଜନ ବିଶ୍ୱାଳ।

ସୂଚନାନୁସାରେ, ଗତ ରବିବାର ରାତିରେ ଏସସିବି ମେଡିକାଲ ଟ୍ରମା କେୟାର ଆଇସିୟୁରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଘଟଣା ଘଟିବା ସମୟରେ ଟ୍ରମା କେୟାର ଆଇସିୟୁରେ ୨୩ ଜଣ ରୋଗୀ ଥିଲେ। ଘଟଣା ସ୍ଥଳରେ ୧୦ଜଣଙ୍କ ଏବଂ ପରେ ଆଉ ୩ଜଣଙ୍କ ମୃତ୍ୟୁ ଘଟିଛି । ଅଗ୍ନିକାଣ୍ଡ ପରେ ଆୟୁସିୟୁରେ ସାଂଘାତିକ ସ୍ଥିତି ଉପୁଜିଥିଲା। ଗୁରୁତର ରୋଗୀଙ୍କୁ ନ୍ୟୁ ମେଡିସିନ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏସସିବିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକଙ୍କ ପରିବାରକୁ ୨୫ ଲକ୍ଷ କ୍ଷତିପୂରଣ ଘୋଷଣା କରିଥିଲେ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଗ୍ନିକାଣ୍ଡ ଘଟଣାର ଅନୁଧ୍ୟାନ କରିବା ପାଇଁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଗଠନ କରିଥିଲେ । ଏହି କମିଟି ମେଡିକାଲ୍ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ପ୍ରାଥମିକ ତଦନ୍ତ କରିଥିଲେ। ଘଟଣାର ସମ୍ବେଦଶୀଳତାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଘଟଣା ଦିନ ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣା ସାରା ରାଜ୍ୟରେ ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଥିଲା। ଆଜି ସରକାର ଏହା ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୪ଜଣଙ୍କୁ ନିଲମ୍ବନ କରିଛନ୍ତି ।

ଅନ୍ୟପଟେ, ଆଜି ପୁଣି ନନ ଟ୍ରମା କାଜୁଆଲଟିରେ ନିଆଁ ଲାଗିଥିଲା। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବାବେଳେ ରୋଗୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନନ ଟ୍ରମା କାଜୁଆଲଟିରେ ଶହେରୁ ଅଧିକ ରୋଗୀ ଚିକିତ୍ସିତ ହେଉଥିଲେ। ଧୂଆଁ ବାହାରିବା କାରଣରୁ ସ୍ମୋକ ଡିଟେକ୍ଟର ଅକ୍ଟିଭ ହୋଇଯାଇଥିଲା। ସଠିକ ସମୟରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏକ ପ୍ୟାନେଲ ବୋର୍ଡରେ ସର୍ଟସର୍କିଟ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ରହିଛି।

Comments are closed, but trackbacks and pingbacks are open.