ଏସ୍‌ବିଆଇ ରିପୋର୍ଟ: ୨୦୨୯ ସୁଦ୍ଧା ଭାରତ ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି

33

ନୂଆଦିଲ୍ଲୀ: ଭାରତ ନିକଟରେ ବ୍ରିଟେନକୁ ପଛରେ ପକାଇ ବିଶ୍ୱର ୫ମ ବୃହତ୍ତମ ଅର୍ଥନୀତି ରାଷ୍ଟ୍ରଭାବେ ମାନ୍ୟତା ହାସଲ କରିଛି । ୨୦୧୪ ପରଠାରୁ ଭାରତର ଅର୍ଥନୈତିକ ଢାଞ୍ଚାରେ ବୈପ୍ଲବିକ ପରିବର୍ତ୍ତନ ଦେଖାଦେଇଥିବାବେଳେ ଆଗାମୀ ୭ ବର୍ଷ ମଧ୍ୟରେ ସ୍ଥିତି ଅଧିକ ଉନ୍ନତ ହେବ ବୋଲି ଆକଳନ କରାଯାଉଛି । ଦେଶର ସର୍ବବୃହତ ଜାତୀୟକରଣ ବ୍ୟାଙ୍କ ଏସ୍‌ବିଆଇ (ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ) ପକ୍ଷରୁ ପ୍ରକାଶିତ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୭ ସୁଦ୍ଧା ଭାରତ ଏହି ପ୍ରସଙ୍ଗରେ ଜର୍ମାନୀକୁ ଏବଂ ୨୦୨୯ ସୁଦ୍ଧା ଜାପାନକୁ ଅତିକ୍ରମ କରି ବିଶ୍ୱର ୩ୟ ବୃହତ୍ତମ ଅର୍ଥନୀତି ମାନ୍ୟତା ହାସଲ କରିବ ବୋଲି କୁହାଯାଇଛି । ୨୦୧୪ରେ ଭାରତ ଏହି ତାଲିକାର ୧୦ମ ସ୍ଥାନରେ ରହିଥିଲା । ତେବେ ବିଗତ ଆଠବର୍ଷ ମଧ୍ୟରେ ଭାରତର ଅର୍ଥନୀତି ଯେଉଁ ହାରରେ ବୃଦ୍ଧି ପାଉଛି, ତଦନୁଯାୟୀ ୨୦୨୯ ସୁଦ୍ଧା ଏହା ଜର୍ମାନୀ ଓ ଜାପାନକୁ ପଛରେ ପକାଇ ବିଶ୍ୱର ୩ୟ ସ୍ଥାନକୁ ଉନ୍ନୀତ ହେବ ବୋଲି ଏସ୍‌ବିଆଇ ରିସର୍ଚ୍ଚ ଗ୍ରୁପ୍ ପକ୍ଷରୁ କୁହାଯାଇଛି । ଏହା ନିଶ୍ଚିତଭାବେ ବିରାଟ ସଫଳତା ବୋଲି ଏସ୍‌ବିଆଇ ଗ୍ରୁପ୍‌ର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ସୌମ୍ୟକାନ୍ତି ଘୋଷ କହିଛନ୍ତି । ୨୦୨୨-୨୩ ଆର୍ôଥକବର୍ଷର ପ୍ରଥମ ତୈମାସିକରେ ଭାରତର ଜିଡିପି (ମୋଟ ଜାତୀୟ ଉତ୍ପାଦ) ୧୩.୫ ପ୍ରତିଶତ ରହିଥିଲା । ଯଦି ଏହି ଧାରା ଅବ୍ୟାହତ ରହେ, ତେବେ ଚଳିତ ଆର୍ôଥକବର୍ଷରେ ଭାରତୀୟ ଅର୍ଥନୀତି ନୂତନ ଶିଖରରେ ପହଞ୍ଚିବ ବୋଲି ଅର୍ଥନୀତି ବିଶେଷଜ୍ଞମାନେ ଆଶାବ୍ୟକ୍ତ କରିଛନ୍ତି । ୨୦୨୨-୨୩ ଆର୍ôଥକବର୍ଷରେ ଭାରତର ଜିଡିପି ହାର ୬.୭ରୁ ୭.୭ ପ୍ରତିଶତ ମଧ୍ୟରେ ସୀମିତ ରହିବ ବୋଲି ଆକଳନ କରାଯାଉଥିଲେ ସୁଦ୍ଧା ଏଥିରେ ବ୍ୟତିକ୍ରମ ଘଟିପାରେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ବର୍ତ୍ତମାନ ବିଶ୍ୱରେ ଯେଭଳି ଅନିଶ୍ଚିତତା ଲାଗିରହିଛି, ସେହି ଦୃଷ୍ଟିରୁ ୬.୫ ପ୍ରତିଶତ ବୃଦ୍ଧି ମଧ୍ୟ ସ୍ୱାଗତଯୋଗ୍ୟ ବୋଲି କୁହାଯାଇଛି । ୨୦୧୨ରେ ଭାରତର ଆଇଆଇପି (ଇଣ୍ଡେକ୍ସ ଅଫ୍ ଇଣ୍ଡଷ୍ଟ୍ରିଆଲ ପ୍ରଡକ୍‌ସନ) ଯାହା ରହିଥିଲା, ତାହା ବର୍ତ୍ତମାନ ପୁରୁଣା ହୋଇଗଲାଣି । ଆତ୍ମନିର୍ଭର ଯୋଜନାରେ ଏକାଧିକ ସ୍ୱଦେଶୀ କମ୍ପାନୀ ବର୍ତ୍ତମାନ ନୂଆ ନୂଆ ସାମଗ୍ରୀ ଉତ୍ପାଦନ କରୁଥିବାରୁ ଆଗାମୀ ଦିନରେ ଆଇଆଇପିରେ ଆଖିଦୃଶିଆ ଉନ୍ନତି ଘଟିବାର ସମ୍ଭାବନା ଦେଖାଦେଇଛି । ବିଶ୍ୱ ଜିଡିପିରେ ଭାରତର ଅବଦାନ ୨୦୧୪ରେ ୨.୬ ପ୍ରତିଶତ ଥିବାବେଳେ ବର୍ତ୍ତମାନ ଏହା ୩.୫ ପ୍ରତିଶତକୁ ବୃଦ୍ଧି ପାଇଛି । ୨୦୨୭ ସୁଦ୍ଧା ଏହା ୪ ପ୍ରତିଶତ ଅତିକ୍ରମ କରିବ ବୋଲି ଅର୍ଥନୀତି ବିଶାରଦମାନେ ଆଶା ରଖିଛନ୍ତି । ଚୀନ୍ ବର୍ତ୍ତମାନ ବୈଷୟିକ ଉତ୍ପାଦ ପ୍ରସ୍ତୁତିରେ ଧିମା ହୋଇପଡିଛି । ଏହାସତ୍ତ୍ୱେ ଚୀନ୍ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତିଭାବେ ସ୍ଥାନ ବଜାୟ ରଖିଛି । ଅବଶ୍ୟ ଚୀନ୍‌ର ପରିବର୍ତ୍ତିତ ଅର୍ଥନୈତିକ ସଂସ୍କାର ଭାରତର ଅର୍ଥନୀତିକୁ ସୁହାଇବ ବୋଲି କୁହାଯାଇଛି । ଏକାଧିକ ଅର୍ନ୍ତରାଷ୍ଟ୍ରୀୟ କମ୍ପାନୀ ଭାରତରେ ସାମଗ୍ରୀ ଉତ୍ପାଦନ ଲକ୍ଷ୍ୟ ରଖିଥିବାରୁ ଏହା ନିଶ୍ଚିତଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି କୁହାଯାଇଛି ।

Comments are closed, but trackbacks and pingbacks are open.