ସରିବ କାର୍ତ୍ତିକ, ଭିଡ଼ ନିୟନ୍ତ୍ରଣ ପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ

324

ଭୁବନେଶ୍ବର: ପଞ୍ଚୁକ ଆରମ୍ଭ ହୋଇସାରିଥିବାବେଳେ ଶେଷ ହେବାକୁ ଯାଉଛି କାର୍ତ୍ତିକ ମାସ। ପଞ୍ଚୁକ ଉପଲକ୍ଷେ ପୁରୀ ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଏଥିପାଇଁ ଶ୍ରୀକ୍ଷେତ୍ରରେ ବ୍ୟାପକ ବ୍ୟବସ୍ଥା ହୋଇଛି। ପୁରୀରେ ମୁତୟନ ହେବେ ୪୫ ପ୍ଲାଟୁନ ପୁଲିସ ଫୋର୍ସ। ସାତ ପାହାଚ ଏବଂ ବାହାର କାଠ ନିକଟରେ ପୁଲିସ ପ୍ରଶାସନର ବ୍ୟାପକ ବ୍ୟବସ୍ଥା କରାଯାଇଛି। ବଡ଼ଦାଣ୍ଡରେ ଫାଷ୍ଟଟେଡ୍ କାଉଣ୍ଟର, ପିଇବା ପାଣି ଓ ଅସ୍ଥାୟୀ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ସମୁଦ୍ର ବେଳାଭୂମିରେ ଜଣେ ଏସ୍ପି ରାଙ୍କର ଅଫିସର, ୩୭୦ ଲାଇଫ ଗାର୍ଡ, ୨ଟି ଓଡ୍ରାଫ ଟିମ୍, ୩ଟି ଆମ୍ବୁଲାନ୍ସ, ୩ଟି ଫାଷ୍ଟଟେଡ କାଉଣ୍ଟର ଏବଂ ପୁଲିସ କଣ୍ଟ୍ରୋଲ ରୁମ୍ ରହିବ। ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ବୁଧବାର ଶ୍ରୀମନ୍ଦିରରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ ହେବ। ରତ୍ନ ସିଂହାସନରେ ସୁନାବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ଦିବ୍ୟ ବେଶ ଦର୍ଶନ କରିବାକୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବା ଅନୁମାନ କରାଯାଉଛି । ଶ୍ରୀମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ ନିମନ୍ତେ ପ୍ରଶାସନ ବ୍ୟାରିକେଡ୍‌କୁ ଲମ୍ବାଇ ଦେଇଛି। ବଗଲା ଧର୍ମଶାଳା ପର୍ଯ୍ୟନ୍ତ ବ୍ୟାରେକଡ୍ ବ୍ୟବସ୍ଥା ବୃଦ୍ଧି କରାଯାଇଛି। ସେହିଭଳି ମେଡିକାଲ ଛକରୁ ନୋ ଭେଇକିଲ୍ ଜୋନ କରାଯାଇଛି। ବରିଷ୍ଠ, ମହିଳା, ଶିଶୁ, ସ୍ଥାନୀୟ ଲୋକ, ହବିଷ୍ୟାଳି ସମସ୍ତଙ୍କ ନିମନ୍ତେ ଏହି ବିଶାଳ ୨  କିଲୋମିଟର ଲମ୍ବା ବ୍ୟାରିକେଡ୍‌ ପାର କରି  ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ହେବ। ବିଭିନ୍ନ ସମୟରେ ଭୋଗ ଓ ଅନ୍ୟ ନୀତି ଯୋଗୁ ଶ୍ରଦ୍ଧାଳୁଙ୍କୁ ଘଣ୍ଟା ଘଣ୍ଟା ବ୍ୟାରିକେଡ୍‌ ଭିତରେ ଅପେକ୍ଷା କରିବାକୁ ପଡ଼ିପାରେ ।

Comments are closed, but trackbacks and pingbacks are open.