ସରପଞ୍ଚଙ୍କ ପାଇଁ ଓଡ଼ିଆ ପଢ଼ିବା ଓ ଲେଖିବା ଜରୁରୀ: ହାଇକୋର୍ଟଙ୍କ ରାୟ

110

କଟକ: ଏଣିକି ସରପଞ୍ଚ ହେଲେ ଓଡ଼ିଆ ଲେଖି ପଢ଼ି ଜାଣିବା ନିହାତି ଆବଶ୍ୟକ । ଗ୍ରାମ ପଞ୍ଚାୟତରେ ସରପଞ୍ଚ ଏକ ଗୁରୁତ୍ୱପୂର୍ଣ୍ଣ ପଦବି । ସରପଞ୍ଚଙ୍କୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ । ତେଣୁ ସରପଞ୍ଚ ନିଶ୍ଚିତ ଓଡ଼ିଆ ଭାଷା ପଢ଼ିବା ଏବଂ ଲେଖି ଜାଣିବା ଆବଶ୍ୟକ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ସୁହାଗପୁର ସରପଞ୍ଚଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଦିଆଯାଇଥିବା ଆଦେଶକୁ କାଏମ୍ ରଖିଛନ୍ତି । ସରପଞ୍ଚ ଶେଖ ଆବୁତେହେରଙ୍କ ପକ୍ଷରୁ ଆଗତ ମାମଲାକୁ ଖାରଜ କରିବା ଅବସରରେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ରାଧାକୃଷ୍ଣ ପଟ୍ଟନାୟକ ଏହି ଆଦେଶ ଦେବା ସହ ନିମ୍ନ ଅଦାଲତଙ୍କ ଆଦେଶ କାଏମ୍ ରଖିଛନ୍ତି । ୨୦୨୨ରେ ନିମାପଡ଼ା ଅଞ୍ଚଳର ସୁହାଗପୁର ସରପଞ୍ଚ ଭାବେ ଶେଖ ଆବୁତେହେର ନିର୍ବାଚିତ ହୋଇଥିଲେ । ନିର୍ବାଚନ ପରେ ପରାଜିତ ପ୍ରାର୍ଥୀ ଶାନ୍ତିଲତା ମିଶ୍ର ସିଭିଲ ଜଜ୍ (ଜୁନିୟର ଡିଭିଜନ୍), ନିମାପଡ଼ାଙ୍କ ନିକଟରେ ଏକ ନିର୍ବାଚନୀ ମାମଲା କରିଥିଲେ । ସେ ଅଭିଯୋଗ କରିଥିଲେ ଯେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ, ୧୯୬୪ର ଧାରା ୧୧(ବି) ଅନୁଯାୟୀ ନିର୍ବାଚିତ ସରପଞ୍ଚ ଓଡ଼ିଆ ପଢ଼ିବା ଓ ଲେଖିବା ନିହାତି ଆବଶ୍ୟକ କିନ୍ତୁ ଶେଖ୍ ଆବୁତେହେର ଓଡ଼ିଆ ଲେଖି ପଢ଼ି ଜାଣିନାହାନ୍ତି । ଏଥିସହ ଋଣ ଖିଲାପକାରୀ ଭାବେ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି। ତେଣୁ ଶେଖ୍ ଆବୁତେହେର୍ଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ଦାବି କରାଯାଇଥିଲା। ଯଦିଓ ଋଣ ଖିଲାପ ତାଙ୍କ ବିରୋଧରେ ପ୍ରମାଣ ହୋଇପାରି ନ ଥିଲା କିନ୍ତୁ ଓଡ଼ିଆ ଲେଖାପଢ଼ାକୁ ନେଇ ମାମଲା ଚାଲିଥିଲା । ଶେଖ ଆବୁତେହେରଙ୍କ ପକ୍ଷରୁ ଓଡ଼ିଆ ଅକ୍ଷର ଲେଖାଯାଇଥିବା ଏକ କାଗଜ, ସ୍କୁଲ ଲିଭିଂ ପ୍ରମାଣପତ୍ର ଆଦି ଅଦାଲତରେ ଦାଖଲ କରାଯାଇଥିଲା । ତେବେ ନିମ୍ନ ଅଦାଲତରେ ତାଙ୍କୁ ଖବରକାଗଜ ଏବଂ “ଛବିଳ ମଧୁ ବର୍ଣ୍ଣବୋଧ’ ପଢ଼ିବାକୁ ଦିଆଯାଇଥିଲା। ଏହା ସହ ଖୋଲା ଅଦାଲତରେ ତାଙ୍କୁ “ମହାତ୍ମାଗାନ୍ଧୀ ଗ୍ରାମୀଣ ରୋଜଗାର ଯୋଜନାରେ ପଞ୍ଚାୟତକୁ ଏହି ବର୍ଷ କେତେ ଟଙ୍କା ଆସିଛି’ ବୋଲି ଏକ ବାକ୍ୟ ଲେଖିବାକୁ କୁହାଯାଇଥିଲା। ସେ ଏହି ବାକ୍ୟଟି ଠିକ୍ ଭାବେ ଲେଖିପାରି ନ ଥିଲେ ଏବଂ ଖବରକାଗଜ ଓ ବର୍ଣ୍ଣବୋଧ ପଢ଼ିବାରେ ମଧ୍ୟ ବିଫଳ ହୋଇଥିଲେ । ନିମ୍ନ ଅଦାଲତ ଏହି କାରଣରୁ ସରପଞ୍ଚଙ୍କ ନିର୍ବାଚନ ଅବୈଧ ବୋଲି ରାୟ ଦେବା ସହ ପୁନଃନିର୍ବାଚନ ନିର୍ଦ୍ଦେଶ ଦେଇଥିଲେ ।
ଏହି ରାୟକୁ ଚାଲେଞ୍ଜ୍ କରି ଶେଖ ଆବୁତେହେର ଅତିରିକ୍ତ ଜିଲ୍ଲା ଜଜ୍ ଙ୍କ ନିକଟରେ ଅପିଲ ଦାୟର କରିଥିଲେ। ଅତିରିକ୍ତ ଜିଲ୍ଲା ଜଜ୍, ସିଭିଲ ଜଜ୍ ଙ୍କ ଆଦେଶକୁ କାଏମ୍ ରଖିଥିଲେ। ନିମ୍ନ ଅଦାଲତଙ୍କ ରାୟକୁ ଚାଲେଞ୍ଜ୍ କରି ଶେଖ ଆବୁତେହେର ହାଇକୋର୍ଟରେ ରିଟ୍ କରିଥିଲେ। ତାଙ୍କ ଆବେଦନରେ ସେ ଦର୍ଶାଇଥିଲେ ଯେ ଆଇନରେ କୌଣସି “ସର୍ବନିମ୍ନ ଷ୍ଟାଣ୍ଡାର୍ଡ’ ଧାର୍ଯ୍ୟ କରାଯାଇ ନାହିଁ। ଖୋଲା ଅଦାଲତରେ ତାଙ୍କର ପରୀକ୍ଷା ନିଆଯିବା ମଧ୍ୟ ଠିକ ନୁହେଁ। ହାଇକୋର୍ଟ ମାମଲାର ଶୁଣାଣି କରି ସରପଞ୍ଚ ଭଳି ପଦରେ ଥିବା ବ୍ୟକ୍ତି କେବଳ ସ୍ୱାକ୍ଷର ହେବା ପର୍ଯ୍ୟାପ୍ତ ନୁହେଁ ବୋଲି କହିଛନ୍ତି। ଜଣେ ସରପଞ୍ଚ ଭାବେ ଓଡ଼ିଆ ପଢ଼ିବା ଓ ଲେଖିବା ନିହାତି ଆବଶ୍ୟକ ବୋଲି କହିବା ସହ ନିମ୍ନ ଅଦାଲତଙ୍କ ଆଦେଶକୁ କାଏମ୍ ରଖିଛନ୍ତି।

Comments are closed, but trackbacks and pingbacks are open.