ଶିବସେନାରୁ ବିଦାହେଲେ ସଞ୍ଜୟ

28

ସରଗରମ ହେଉଛି ମୁମ୍ବାଇ ରାଜନୀତି । ଉଦ୍ଧବ ଠାକରେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଗୋଷ୍ଠୀ ମଧ୍ୟରୁ ନିର୍ବାଚନ କମିଶନ ସିନ୍ଦେ ଗୋଷ୍ଠୀକୁ ପ୍ରକୃତ ଶିବସେନାର ମାନ୍ୟତା ଦେଇଛନ୍ତି । ଏହାପରେ ଏକନାଥ ସିନ୍ଦେ ଶିବସେନା ଦଳ ମଧ୍ୟରେ ନିଜର ଦବଦବା ଜାହିର କରିବାରେ ଲାଗିଛନ୍ତି । ଏହି କ୍ରମରେ ଏକନାଥ ସିନ୍ଦେ ଗୁରୁବାର ଦଳର ବରିଷ୍ଠ ନେତା ତଥା ଉଦ୍ଧବ ଗୋଷ୍ଠୀରେ ସାମିଲ ଥିବା ସଞ୍ଜୟ ରାଉତଙ୍କୁ ଦଳର ସଂସଦୀୟ ଦଳ ନେତା ପଦରୁ ବିଦା କରିଛନ୍ତି । ତାଙ୍କ ବଦଳରେ ଲୋକସଭା ସାଂସଦ ଗଜାନନ କିରତିକରଙ୍କୁ ଶିବସେନାର ସଂସଦୀୟ ନେତା ଭାବେ ନିଯୁକ୍ତ କରାଯାଇଛି ।

ଲୋକସଭା ବାଚସ୍ପତି ଓମ ବିର୍ଲା ଓ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀବ ଧନଖଡଙ୍କୁ ଶିବସେନାର ମୁଖିଆ ସିନ୍ଦେ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି । ଏଣିକି ଶିବସେନାର ସଂସଦୀୟ ନେତା ଭାବେ ଗଜାନନ କାମ କରିବେ ବୋଲି ସେ ଚିଠିରେ କହିଛନ୍ତି । ଏହି ନିଷ୍ପତ୍ତି ପରେ ସଂସଦର ତୃତୀୟ ମହଲାରେ ଥିବା ଶିବସେନାର ସଂସଦୀୟ କାର୍ଯ୍ୟାଳୟରେ ଗଜାନନଙ୍କୁ ଦଳୀୟ ସାଂସଦମାନେ ସମ୍ବର୍ଦ୍ଧନା ଜଣାଇଛନ୍ତି । ଲୋକସଭାରେ ଶିବସେନାର ୧୮ ଜଣ ସାଂସଦ ଥିବା ବେଳେ କେବଳ ୪ ଜଣ ଉଦ୍ଧବ ଠାକରେଙ୍କୁ ସମର୍ଥନ କରୁଛନ୍ତି । ନିକଟରେ ନିର୍ବାଚନ କମିଶନ ଶିବସେନାର ଦଳର ପୂରା କମାଣ ସିନ୍ଦେଙ୍କୁ ଦେବା ପରେ ଆଜି ସେ ଉଦ୍ଧବଙ୍କ ଗୋଷ୍ଠୀର ସଞ୍ଜୟ ରାଉତଙ୍କୁ ଦଳର ସଂସଦୀୟ ନେତା ପଦରୁ ବିଦା କରିଛନ୍ତି । ସଞ୍ଜୟ ରାଉତ ଶିବସେନାର ରାଜ୍ୟସଭା ସାଂସଦ ରହିଛନ୍ତି ।

ତେବେ ପୂର୍ବରୁ ସିନ୍ଦେ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭାରେ ଥିବା ଶିବସେନା କାର୍ଯ୍ୟାଳୟକୁ ମଧ୍ୟ ନିଜ ଅକ୍ତିଆରକୁ ନେଇଥିଲେ । ଅନ୍ୟପଟେ ଦଳକୁ ନେଇ ଦେଖାଦେଇଥିବା ବିବାଦ ମଧ୍ୟରେ ଉଦ୍ଧବ ଠାକରେ ଆଇନଗତ ଲଢେଇ ଜାରି ରଖିଛନ୍ତି ।

Comments are closed, but trackbacks and pingbacks are open.