ଧର୍ମେନ୍ଦ୍ରଙ୍କ ପାଇଁ ସହଜ ହୋଇପାରେ ସମ୍ବଲପୁର !

30

ସମ୍ବଲପୁର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏଥର ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢ଼ିବା ନେଇ ଆଗ୍ରହ ପ୍ରକାଶ ପରେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଧର୍ମେନ୍ଦ୍ରଙ୍କ ନଜରରେ ‌ଢେଙ୍କାନାଳ ଓ ସମ୍ବଲପୁର ଲୋକସଭା ଆସନ ରହିଥିବା କୁହାଯାଉଛି। ତେବେ, ଢେଙ୍କାନାଳ ଅପେକ୍ଷା ସମ୍ବଲପୁରରୁ ତାଙ୍କ ବିଜୟ ଅଧିକ ସହଜ ହୋଇପାରେ ବୋଲି ରାଜନୈତିକ ମହଲରେ ଆକଳନ କରାଯାଉଛି। ଗତ ୨୦୧୪ ‌ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନଙ୍କୁ ୩,୫୮,୬୧୮ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିର ସୁରେଶ ପୂଜାରୀଙ୍କୁ ୩,୨୮,୦୪୨ ଖଣ୍ଡ ଭୋଟ ମିଳିଥିଲା। ଅନୁଗୁଳିଆ ନେତା ନଗେନ୍ଦ୍ର ପ୍ରଧାନଙ୍କ ବିଜୟ ପଛରେ ଅନୁଗୁଳ ଜିଲ୍ଲାର ଦୁଇ ବିଧାନସଭା କ୍ଷେତ୍ର ଛେଣ୍ଡିପଦ‌ା ଓ ଆଠମଲ୍ଲିକର ଭୋଟ ବେଶ୍‌ ସହାୟକ ହୋଇଥିଲା। ତେବେ, ୨୦୧୯ ସାଧାରଣ ନିର୍ବାଚନରେ ବିଜେଡି ପ୍ରାର୍ଥୀ ଇଂ. ନଳିନୀକାନ୍ତ ପ୍ରଧାନଙ୍କୁ ଛେଣ୍ଡିପଦା ଓ ଆଠମଲ୍ଲିକରୁ ଅଧିକ ଭୋଟ ମିଳିଥିଲେ ହେଁ ସମ୍ବଲପୁର ଜିଲ୍ଲାରୁ ଆଶାନୁରୂପ ଭୋଟ ନମିଳିବା ତାଙ୍କ ପରାଜୟର ପ୍ରମୁଖ କାରଣ ପାଲଟିଥିଲା। ବିଜେଡି ପ୍ରାର୍ଥୀ ଇଂ. ନଳିନୀକାନ୍ତ ପ୍ରଧାନଙ୍କୁ ୪,୬୪,୬୦୮ ଖଣ୍ଡ ଭୋଟ ମିଳିଥିବା ‌ବେଳେ ତାଙ୍କଠାରୁ ୯୧୬୨ ଖଣ୍ଡ ଅଧିକ ଭୋଟ ପାଇ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ପ୍ରଥମ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

ତେବେ, ନିତେଶଙ୍କ ଉପରେ ଅଧିକ ବିଶ୍ବାସ ରଖି ସମ୍ବଲପୁର ଜିଲ୍ଲାବାସୀ ଏବେ ପସ୍ତେଇ ହେଉଥିବା ସର୍ବତ୍ର ଆଲୋଚନା ହେଉଛି। ‌ଏ‌ପଟେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଥରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସଭାରେ ନିତେଶଙ୍କ ଉପସ୍ଥିତିରେ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବାରେ ଆଗ୍ରହ ପ୍ରକାଶ କରିଥିଲେ। ନିତେଶଙ୍କୁ ଏଠାରୁ ପୁଣି ପ୍ରାର୍ଥୀ କରାଗଲେ ବିଜେପିର ବିଜୟ କଷ୍ଟକର‌ ହୋଇଯିବ। ସମ୍ବଲପୁର ଲୋକସଭା କ୍ଷେତ୍ରରେ ଗ୍ରହଣୀୟ ହେଲା ଭଳି ଅନ୍ୟ ଜଣେ ନେତା ହେଉଛନ୍ତି ସମ୍ବଲପୁର ବିଧାୟକ ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। ସ୍ବାସ୍ଥ୍ୟଗତ ସମସ୍ୟା କାରଣରୁ ଜୟ ନାରାୟଣ ତାଙ୍କ ପାଇଁ ସୁରକ୍ଷିତ ସମ୍ବଲପୁର ବିଧାନସଭା କ୍ଷେତ୍ର ଛାଡ଼ି ଲୋକସଭା ନିର୍ବାଚନ ଲଢ଼ିବାକୁ ଚାହିବେ ନାହିଁ। ସମ୍ବଲପୁର ଲୋକସଭା ସହିତ ବିଭିନ୍ନ ନିର୍ବାଚନରେ ପରାଜୟ ପରେ ବରଗଡ଼ରୁ ବିଜୟର ସ୍ବାଦ ଚାଖିଥିବା ସାଂସଦ ସ‌ୁରେଶ ପୂଜାରୀଙ୍କ ପାଇଁ ବରଗଡ଼ ପ୍ରଥମ ପସନ୍ଦ ହୋଇପାରେ।

ଅନ୍ୟପଟେ ନିଜ ଯୁବାବସ୍ଥାର ବହୁ ସମୟ ସମ୍ବଲପୁରରେ ବିତାଇଥିବା ଧର୍ମେନ୍ଦ୍ରଙ୍କ ନିମନ୍ତେ ରାଜନୈତିକ ଦୃଷ୍ଟିକୋଣରୁ ବି ସୁବିଧା ହୋଇପାରେ। ଢେଙ୍କାନାଳ ଲୋକସଭା କ୍ଷେତ୍ରରେ ଆସୁଥିବା ୭ଟି ବିଧାନସଭା କ୍ଷେତ୍ରରେ ବର୍ତ୍ତମାନ ଜଣେ ବି ବିଜେପିର ବିଧାୟକ ନାହାନ୍ତି। ଗତ କେତୋଟି ନିର୍ବାଚନ ହେଲା ବିଜେଡି ଦଖଲରେ ଏହି ଆସନ ରହିଆସିଛି। ଅବଶ୍ୟ ଏଠାକାର ଅନ୍ୟ ଆସନ ତୁଳନାରେ ପରଜଙ୍ଗ ଓ ଅନୁଗୁଳ ବିଧାନସଭା କ୍ଷେତ୍ରରେ ବିଜେପିର ସଂଗଠନ ଅଧିକ ସୁଦୃଢ଼ ରହିଛି। ଅନ୍ୟପଟେ ସମ୍ବଲପୁର ଲୋକସଭା କ୍ଷେତ୍ର ଅନ୍ତର୍ଗତ ୭ଟି ବିଧାନସଭା ଆସନ ମଧ୍ୟରୁ ସମ୍ବଲପୁର, ରେଂଗାଲି ଓ ଦେବଗଡ଼ରେ ବର୍ତ୍ତମାନ ବିଜେପି ବିଧାୟକ ଥିବା ବେଳେ କୁଚିଣ୍ଡାରେ ଦଳୀୟ ସଂଗଠନ ବି ସୁଦୃଢ଼ ରହିଛି। ଧର୍ମେନ୍ଦ୍ରଙ୍କ ଗୃହ ଜିଲ୍ଲା ଅନୁଗୁଳର ୨ଟି ବିଧାନସଭା ଛେଣ୍ଡିପଦା ଓ ଆଠମଲ୍ଲିକରୁ ବିଜେଡିକୁ ବିପୁଳ ଭୋଟ ମିଳିଥାଏ। ଧର୍ମେନ୍ଦ୍ର ପ୍ରାର୍ଥୀ ହେଲେ ଏହି ଦୁଇ ଅଂଚଳରୁ ଭୋଟ ବିଭାଜନ ହେବା ସହ ଏହା ବିଜେପି ଫାଇଦା ହୋଇପାରେ। ଅନ୍ୟ ପଟେ ଚଷାଜାତି ବହୁଳ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନସଭା ‌କ୍ଷେତ୍ରରୁ ବି ଧର୍ମେନ୍ଦ୍ରଙ୍କ ଭଲ ସମର୍ଥନ ମିଳିପାରେ। ଏମିତିରେ ବି ଧର୍ମେନ୍ଦ୍ର ଦେବଗଡ଼ ସାଂସଦ ଥିବା ସମୟରୁ ଦେବଗଡ଼ ଜିଲ୍ଲାର ଲୋକଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି। ଏସବୁ ଦୃଷ୍ଟିରେ ଦେଖିଲେ ଢେଙ୍କାନାଳ ତୁଳନାରେ ସମ୍ବଲପୁର ହିଁ ଉଭୟ ବିଜେପି ଓ ଧର୍ମେନ୍ଦ୍ରଙ୍କ ନିମନ୍ତେ ସହଜ ହୋଇପାରେ ବୋଲି ସମ୍ବଲପୁର ରା‌ଜନୈତିକ ମହଲରେ ଚର୍ଚ୍ଚା ଚାଲିଛି।

Comments are closed, but trackbacks and pingbacks are open.