ଜୟଙ୍କ ପାଇଁ ଟାର୍ଗେଟରେ ସମ୍ବଲପୁର

28

ଆଗାମୀ ସାଧାରଣ ନିର୍ବାଚନରେ ଶାସକ ବିଜେଡିର ନଜର ସମ୍ବଲପୁର ବିଧାନସଭା କ୍ଷେତ୍ର ଉପରେ। ରାଜ୍ୟର ଅନ୍ୟ ନିର୍ବାଚନ ମଣ୍ଡଳୀ ପାଇଁ ଶାସକ ବିଜେଡିର ଯେତିକି ଚିନ୍ତା ନାହିଁ ତାଠୁ କାହିଁ କେତେ ଗୁଣରେ ଅଧିକ ଚିନ୍ତା ସମ୍ବଲପୁର ପାଇଁ ବୋଲି ଚର୍ଚ୍ଚା ହେଉଛି। ବିଜେଡି ପାଇଁ ଏବେ ସବୁଠୁ ଅଧିକ ମୁଣ୍ଡ ବ୍ୟଥାର କାରଣ ସାଜିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।

ନବ ଦାସ ହତ୍ୟାକାଣ୍ଡକୁ ନେଇ ଶାସକ ଦଳର ମଙ୍ଗୁଆଳ ମାନଙ୍କୁ ସିଧାସଳଖ ଟାର୍ଗେଟ ହେଉ କିମ୍ବା ଫାଇଭ ଟି କଣ ବୋଲି ଲଗାତର ପ୍ରଶ୍ନ କରିବା। ଏପରିକି ରାଜ୍ୟର ମନ୍ତ୍ରୀ ମାନେ ଅଫିସରଙ୍କ ଆଗରେ ମୁଣ୍ଡ ନୁଆଁଇବା ଆଦି କେତେ ସଙ୍ଗୀନ ଅଭିଯୋଗ ଲଗାତର ଭାବେ ଜୟ ନାରାୟଣ ଲଗାଇ ଆସୁଛନ୍ତି। ଶାସକ ବିଜେଡି ଜୟଙ୍କ ବିରୋଧରେ ଯେତେ କଥା କହିଲେ ମଧ୍ୟ ତାଙ୍କ କଥାରେ ବ୍ରେକ ଲାଗୁ ନ ଥିବା କୁହାଯାଉଛି।

ଶାସକ ବିଜେଡି ଜୟଙ୍କ ପାଇଁ ଅଡୁଆରେ ପଡୁଛି ବୋଲି କୁହାଯାଉଛି। ତେଣୁ ତାଙ୍କୁ ବ୍ରେକ ଦେବା ପାଇଁ ସମ୍ବଲପୁର ବିଧାନସଭା କ୍ଷେତ୍ରରେ ବିଜେଡି ସ୍ୱତନ୍ତ୍ର ଫୋକସ କରୁଥିବା ଆଲୋଚନା ହେଉଛି। ପଶ୍ଚିମ ଓଡ଼ିଶାର ବେସ କୁହାଯାଉଥିବା ସମ୍ବଲପୁର ଆସନରେ ୨୩ ବର୍ଷର ଶାସନ କାଳ ମଧ୍ୟରେ ବିଜେଡି ଗୋଟିଏ ଥର ଜିତିବାକୁ ସକ୍ଷମ ହୋଇଛି। ୨୦୧୯ ମସିହାରେ ମାତ୍ର ୪ ହଜାର ୩୮୦ ଖଣ୍ଡ ଭୋଟରେ ପରାଜିତ ହୋଇଥିବା ବିଜେଡିର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ଏବେ ଅଞ୍ଚଳରେ ଜୋରଦାର କାମ କରୁଛନ୍ତି।

ସେପଟେ ଜୟ ନାରାୟଣ ବର୍ତ୍ତମାନ କେବଳ ସମ୍ବଲପୁର ନୁହେଁ ରାଜ୍ୟର ଜଣେ ଚର୍ଚ୍ଚିତ ନେତା। ବିଜେଡିକୁ ଜୋରଦାର ବିରୋଧ କରୁଥିବା ଜୟଙ୍କୁ ପ୍ରକୃତ ବିରୋଧୀ ନେତା ଭାବେ ଲୋକେ ଗଣୁଥିବା ବେଳେ ତାଙ୍କ ଲୋକପ୍ରିୟତା ବୃଦ୍ଧି ପାଇଥିବା କୁହାଯାଉଛି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟ ଠିକ ରହୁ ନ ଥିବାରୁ ଆଗାମୀ ଦିନରେ କେତେଦୂର ଲଢ଼ିବେ ତାକୁ ନେଇ ଚର୍ଚ୍ଚା ହେଉଛି।

ଏପରିକି ବରଗଡ଼ ସାଂସଦ ସୁରେଶ ପୂଜାରୀ ମଧ୍ୟ ସମ୍ବଲପୁର ବିଧାନସଭା କ୍ଷେତ୍ରରୁ ଲଢ଼ିବାକୁ ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି। ସେପଟେ ବିଜେଡି ରାସେଶ୍ୱରୀଙ୍କୁ ପ୍ରାର୍ଥୀ କରିବ ନା ଆଉ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ରେଢ଼ାଖୋଲ ବିଧାୟକ ତଥା ଉଚ୍ଚ ଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମଧ୍ୟ ଦଳ ସମ୍ବଲପୁରରେ ପ୍ରାର୍ଥୀ କରିପାରେ ବୋଲି କୁହାଯାଉଛି।

Comments are closed, but trackbacks and pingbacks are open.