ସମ୍ବଲପୁର ଆମ ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳୀ: ଧର୍ମେନ୍ଦ୍ର

68

ସମ୍ବଲପୁର : ସମ୍ବଲପୁର ଆଇଆଇଏମ କ୍ୟାମ୍ପସ ପରିଦର୍ଶନ ସହ ବୃକ୍ଷରୋପଣ କଲେ କେନ୍ଦ୍ରମନ୍ତ୍ରୀ । ମୋଦି ଦେଇଥିବା ‘ମିଶନ ଲାଇଫ’ ଆହ୍ୱାନ କ୍ରମେ ଶିକ୍ଷାନୁଷ୍ଠାନ ପରିସରରେ ଛାତ୍ରଛାତ୍ରୀଙ୍କ ସହ ବୃକ୍ଷରୋପଣ କରିଛନ୍ତି । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଆଇଆଇଏମ ସମ୍ବଲପୁର ସ୍ଥାନୀୟ ଅଞ୍ଚଳର ଅପାର ସମ୍ଭାବନାକୁ ଉପଯୋଗ କରିବା ପାଇଁ ନୂଆ ନୂଆ ବିଷୟ ଆରମ୍ଭ କରିବାକୁ ଯାଉଛି । ସମ୍ବଲପୁର ଜିଲ୍ଲାର ବୁଣାକାର ମାନଙ୍କର ଦକ୍ଷତା ବୃଦ୍ଧି ସହ ଗ୍ରାମୀଣ ଭିତ୍ତିକ ଅର୍ଥନୀତିକୁ ବଢାଇବା ପାଇଁ କୃଷକ ମାନଙ୍କ କାପାସିଟି ବିଲଡିଂ ବୃଦ୍ଧି କରିବା ଦିଗରେ ଶିକ୍ଷାନୁଷ୍ଠାନ ଯୋଜନା କରିଛି । ଏହାସହ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ତଥା ସରପଞ୍ଚ, ଜିଲ୍ଲା ପରିଷଦ ସଦସ୍ୟ, ମ୍ୟୁନିସପାଲଟି, କାଉନସିଲର, ଚେୟାରମ୍ୟାନ ଅର୍ଥାତ୍ ସ୍ଥାନୀୟ ପ୍ରଶାସନର କାପାସିଟି ବିଲଡିଂ ବଢାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସେ କହିଛନ୍ତି, ସମ୍ବଲପୁର ଆମ ଓଡ଼ିଶାର ସାଂସ୍କୃତିକ ପେଣ୍ଠସ୍ଥଳୀ । ମାଆ ସମଲେଇ ଏଠାରେ ବିରାଜମାନ । ଏହି ଅଞ୍ଚଳରେ ହୀରାକୁଦ ବନ୍ଧ, ସମ୍ବଲପୁର ବିଶ୍ୱବିଦ୍ୟାଳୟ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ, ବୁର୍ଲା ଇଞ୍ଜିନିୟରିଂ କଲେଜ, ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅନୁଷ୍ଠାନ ଅଛି । ଆଇଆଇଏମ ପ୍ରତିଷ୍ଠା ଦ୍ୱାରା ଏହି ଅଞ୍ଚଳ ଏକ ବୌଦ୍ଧିକ କେନ୍ଦ୍ରରେ ପରିଣତ ହେବ । ଖୁବ ଶୀଘ୍ର ସ୍ଥାନୀୟ ଯୁବକ ଯୁବତୀଙ୍କୁ ଉଦ୍ୟମିତା କରିବା ପାଇଁ ଏଠାରେ ଇନକ୍ୟୁବେସନ ସେଣ୍ଟର ସ୍ଥାପନା ହେବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିଷ୍ପତି କାରଣରୁ ସମ୍ବଲପୁର ଭଳି ଅଞ୍ଚଳରେ ୪୦୦ କୋଟି ଟଙ୍କା ବ୍ୟୟରେ ଆଇଆଇଏମ ଭଳି ଅତ୍ୟାଧୁନିକ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇପାରିଛି । ଦୁଇଟି ବ୍ୟାଚରେ ୬୦୦ ପିଲା ପାଠ ପଢ଼ିବେ ଏବଂ ଏଥିପାଇଁ ୩୦ ଜଣ ପ୍ରାଧ୍ୟାପକ ଓ ଅନ୍ୟ କର୍ମଚାରୀଙ୍କ ମାନଙ୍କ ନିଯୁକ୍ତି ହୋଇ ସାରିଛି । ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିବା ଏହି ଶିକ୍ଷାନୁଷ୍ଠାନକୁ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରାଯିବ। ବୃକ୍ଷରୋପଣ ନେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବିଶ୍ୱ ପର୍ଯ୍ୟାବରଣକୁ ସୁରକ୍ଷା ଦେବା ପାଇଁ ମିଶନ ଲାଇଫର ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆଇଆଇଏମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ, କର୍ମଚାରୀ ଓ ସ୍ଥାନୀୟ ନାଗରିକଙ୍କ ସମେତ ସ୍ଥାନୀୟ ଅଞ୍ଚଳରେ ଥିବା ସୈନିକ ସ୍କୁଲ, ନବଦୋୟ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।

ଏହି ଅବସରରେ ଶ୍ରୀ ପ୍ରଧାନ ଆଇଆଇଏମ ସମ୍ବଲପୁରର ନିର୍ଦ୍ଦେଶକ ଓ କର୍ମଚାରୀଙ୍କ ସହ ପାଠ୍ୟକ୍ରମ ସହ ଜଡ଼ିତ ବିଷୟ ନେଇ ମଧ୍ୟ ଆଲୋଚନା କରିଥିଲେ । ଛାତ୍ରଛାତ୍ରୀଙ୍କୁ ଆଇଏମଏସ କ୍ୟାମ୍ପସ ସମ୍ପର୍କରେ ସୁବିଧା ଅସୁବିଧା ପଚାରି ବୁଝିଥିଲେ । କ୍ୟାମ୍ପସ ବୁଲିବା ସହ ଡିଜିଟାଲ ଶ୍ରେଣୀ ଗୃହ ବୁଲି ଦେଖିଥିଲେ । ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା ଶ୍ରମିକ ମାନଙ୍କ ସହ ମଧ୍ୟ କେନ୍ଦ୍ରମନ୍ତ୍ରୀ କଥାବାର୍ତ୍ତା ହୋଇଥିଲେ ।

Comments are closed, but trackbacks and pingbacks are open.