ଗିରଫ ହେଲେ ସାଲୁଜାଙ୍କ ପୁଅ

21

କଂଗ୍ରେସ ନେତା ସାଲୁଜା ଅଡୁଆରେ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜାଙ୍କ ଜିମରୁ ୧୯ ଲକ୍ଷ ଟଙ୍କା ଓ ୧୭ ଲିଟର ମଦ ଜବତ କରାଯାଇଥିବାର ଖବର ମିଳିଛି । ପୁଲିସ ଗତକାଲି ରାତିରେ ଜିମରେ ଚଢ଼ାଉ କରି ଏସବୁ ଜବତ କରିଥିବାର ସୂଚନା ରହିଛି । ଏଣେ ଆଜି ସକାଳେ ବେଲପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସେଜି ସିଂ ସାଲୁଜାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି ।

ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି । କିଛିଦିନ ଆଗରୁ ଜିଲ୍ଲାପାଳଙ୍କ ସହିତ ମୁହାଁମୁହିଁ ହୋଇଥିଲେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂହ ସାଲୁଜା । ଏହି ଘଟଣା ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । କିନ୍ତୁ ବୁଧବାର ସଂଧ୍ୟାରେ ଅନ୍ୟ ଏକ ଘଟଣାର ଭିଡିଓ ଭାଇରାଲ ହୋଇଥିଲା । ଭିଡିଓରେ ସନ୍ତୋଷ ସିଂ ସାଲୁଜାଙ୍କ ପୁଅ ସେଜି ସିଂ ସାଲୁଜା କଣ୍ଟାବାଞ୍ଜିର ଆଲିସାନ ସିନେମା ହଲ ଭିତରେ କୌଣସି ଏକ କାରଣକୁ ନେଇ ଗଣ୍ଡଗୋଳ ସମୟରେ ନିଜେ ଉପସ୍ଥିତ ଥିବା ଦେଖିବାକୁ ମିଳିଛି । ଏପରିକି ପୁଲିସ ସହିତ ଉଚ୍ଚବାଚ ହେଉଥିବା ଭିଡିଓରେ ସ୍ପଷ୍ଟ ଜଣାପଡୁଛି । ଗତକାଲି ଆଲିସାନ ସିନେମା ହଲ ଭିତରେ ମାଲିକଙ୍କ ପୁଅଙ୍କୁ ଆକ୍ରମଣ ହୋଇଥିବା ଓ ଘଟଣାସ୍ଥଳକୁ ପୁଲିସ ପହଞ୍ଚିଥିଲା ।

ଏହି ଘଟଣାରେ ପୁଲିସ ଆଇପିସି ଧାରା ୩୮୪, ୫୦୬, ୩୫୩ ଓ ଆର୍ମ ଆକ୍ଟରେ ମାମଲା ରୁଜୁ କରି ସେଜି ସିଂହ ସାଲୁଜାଙ୍କୁ ଗିରଫ କରିଥିଲା । ତେଣେ ପୁଲିସ ଯାଏ ସେଜି ସିଂ ସାଲୁଜାଙ୍କ ନିକଟରୁ କୌଣସି ବନ୍ଧୁକ ଜବତ କରିପାରିନଥିବା କୁହାଯାଉଛି । ଏହି ଘଟଣା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କଣ୍ଟାବାଞ୍ଜିରେ ଆଲୋଚନା ହେଉଛି ।

Comments are closed, but trackbacks and pingbacks are open.