ଡଲାର ତୁଳନାରେ ଟଙ୍କାର ବିନିମୟ ମୂଲ୍ୟ: ଚଳିତବର୍ଷ ସୁଦ୍ଧା ୮୪.୫୦ ଛୁଇଁବ: ରିପୋର୍ଟ

33

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଗୁରୁବାର ଏହି ବିନିମୟ ମୂଲ୍ୟ ୮୨.୭୫ ରହିଛି । ତେବେ ଚଳିତବର୍ଷ ଶେଷ ସୁଦ୍ଧା ଏହା ଆହୁରି ହ୍ରାସ ପାଇ ୮୪.୫୦ରେ ପହଞ୍ଚିବ ବୋଲି ରଏଟର ପକ୍ଷରୁ ପ୍ରସ୍ତୁତ ରିପୋର୍ଟରୁ ଜଣାପଡିଛି । ୧୪ ଜଣ ବ୍ୟାଙ୍କର ଓ ବିଦେଶୀ ମୁଦ୍ରା ପରାମର୍ଶଦାତାଙ୍କ ମତାମତକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୨୦୨୨ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ଟଙ୍କାର ବିନିମୟ ମୂଲ୍ୟ ୧୨ ପ୍ରତିଶତ ହ୍ରାସ ପାଇସାରିଛି । ବିଗତ ୯ ବର୍ଷ ମଧ୍ୟରେ ଏହା ସର୍ବାଧିକ ବୋଲି ଜଣାପଡିଛି । ୨୦୧୩ରେ ଶେଷଥର ପାଇଁ ଏଭଳି ସ୍ଥିତି ଦେଖିବାକୁ ମିଳିଥିଲା । ଆନ୍ତର୍ଜାତିକ ସର୍କିଟରେ ସେଭଳି ଆଶାନୁରୂପ ସ୍ଥିତି ଉପୁଜିନଥିବାରୁ ବିନିମୟ ମୂଲ୍ୟ ୮୫କୁ ବୃଦ୍ଧି ପାଇପାରେ ବୋଲି ବ୍ୟାଙ୍କ ଅଫ୍ ବରୋଦା ଚିଫ୍ ଇକୋନୋମିଷ୍ଟ ମଦନ ସବ୍‌ନବିସ ଆଶଙ୍କା ବ୍ୟକ୍ତ କରିଛନ୍ତି । ଡଲାର ଦିନକୁ ଦିନ ଶକ୍ତିଶାଳୀ ହେଉଥିବାବେଳେ ଘରୋଇ ବ୍ୟବସ୍ଥା ଦୁର୍ବଳ ରହୁଥିବାରୁ ସ୍ଥିତିରେ ଉନ୍ନତି ଘଟିବା ଆଶା ଅତ୍ୟନ୍ତ କ୍ଷୀଣ ବୋଲି ସେ କହିଛନ୍ତି । ସଂପ୍ରତି ଭାରତର ଆର୍ôଥକ ନିଅଣ୍ଟ ୩ରୁ ୩.୫ ପ୍ରତିଶତ ରହିଛି । ବିଶ୍ୱରେ ବର୍ତ୍ତମାନ ଆର୍ôଥକ ମାନ୍ଦାବସ୍ଥା ଜାରି ରହିଥିବାବେଳେ ଭାରତର ବାଣିଜ୍ୟିକ ନିଅଣ୍ଟରେ ମଧ୍ୟ ଉନ୍ନତି ପରିଲକ୍ଷିତ ହେଉନାହିଁ । ତେଣୁ ଟଙ୍କାର ସ୍ଥିତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ୨୦୨୧ରେ ଭାରତର ମାସିକିଆ ବାଣିଜ୍ୟିକ ନିଅଣ୍ଟ ହାରାହାରି ୧୫.୩ ବିଲିୟନ ଡଲାର ରହିଥିବାବେଳେ ୨୦୨୨ର ପ୍ରଥମ ୯ ମାସରେ ଏହା ୨୩.୨ ବିଲିୟନ ରହିଛି । ବିଦେଶୀ ପୁଞ୍ଜି ନିବେଶକମାନେ ଚଳିତବର୍ଷ ଭାରତୀୟ ମାର୍କେଟରୁ ୨୩.୪ ବିଲିୟନ ଡଲାର ଇକ୍ୟୁଟୀ ପ୍ରତ୍ୟାହାର କରିନେଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.