ରୁଚି କମ୍ପାନୀର ପ୍ରତିଷ୍ଠାତା ଡ.ଶରତ ସାହୁଙ୍କ ପରଲୋକ

402

ଭୁବନେଶ୍ୱର : ଶିଳ୍ପ ଜଗତରେ ଶୋକର ଛାୟା I ପ୍ରସିଦ୍ଧ ଶିଳ୍ପପତି ତଥା ରୁଚି କମ୍ପାନୀର ପ୍ରତିଷ୍ଠାତା ଡ.ଶରତ ସାହୁଙ୍କ ପରଲୋକ I ଆଜି ଅପରାହ୍ନରେ ମୁମ୍ବାଇ ଲୀଳାବତୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା I ସେ ସେ “ରୁଚି ମସଲା” କମ୍ପାନୀ ଓଏଫଏମଏଲର ଏମଡି ଥିଲେ।

ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (OASME)ର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବରେ ସେ ରାଜ୍ୟ ସାରା MSME ଗୁଡ଼ିକୁ ସଶକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
ସ୍ବର୍ଗତ ଶରତ ସାହୁ ୧୯୫୦ ମସିହା ଜୁଲାଇ ୨୩ ତାରିଖରେ କଟକର ରାଣୀହାଟଠାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ସ୍ୱର୍ଗତ ବନମାଳି ସାହୁ ଓ ମା’ମଇନା ଦେବୀଙ୍କ । ୧୯୭୬ରେ ମାତ୍ର ୫ ହଜାର ଟଙ୍କାରେ ରୁଚି କମ୍ପାନୀ ଆରମ୍ଭ କରିଥିଲେ ଶରତ ସାହୁ। ବର୍ତ୍ତମାନ ୩୫୦ କୋଟିରୁ ଅଧିକ ଟଙ୍କାରେ ପହଞ୍ଚିଛି ରୁଚି କମ୍ପାନୀ। ଦେଶ ବିଦେଶରେ ରୁଚି ମସଲାର ଆଦର ରହିଛି। ବିଶ୍ବରେ ୭ ଦେଶକୁ ରୁଚି ଉତ୍ପାଦ ରତ୍ପାନୀ ହେଉଛି। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ଏବଂ ସ୍ୱଦେଶୀ ଖାଦ୍ୟ ଉତ୍ପାଦକୁ ପ୍ରୋତ୍ସାହିତ କରିବା ପ୍ରତି ତାଙ୍କର ପ୍ରତିବଦ୍ଧତା ପାଇଁ ବହୁଳ ଭାବରେ ସମ୍ମାନିତ ହୋଇଥିଲେ। ରୁଚି ମସଲାକୁ ଲୋକପ୍ରିୟ କରିବା ଏବଂ ଏହାକୁ ଘରେ ଘରେ ପରିଚିତ କରାଇବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।

Comments are closed, but trackbacks and pingbacks are open.