ଚୀନ୍ ସମେତ ପାଞ୍ଚ ଦେଶର ଯାତ୍ରୀଙ୍କ ଆର୍‌ଟି-ପିସିଆର୍ ଟେଷ୍ଟ ଅନିବାର୍ଯ୍ୟ: ମାଣ୍ଡଭିୟା

26

ନୂଆଦିଲ୍ଲୀ: କରୋନାର ନୂଆ ବିପଦ ମଧ୍ୟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ଆର୍‌ଟି-ପିସିଆର୍ ଟେଷ୍ଟ୍‌କୁ ଜରୁରୀ କରିଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ୍ ମାଣ୍ଡଭିୟା କହିଛନ୍ତି ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ଟ୍ରାକ୍ ପରେ ସେମାନଙ୍କ ଟେଷ୍ଟ୍ କରାଯିବ । ମାଣ୍ଡଭିୟା କହିଛନ୍ତି, ଚୀନ୍‌, ଜାପାନ, ଦକ୍ଷିଣ କୋରିଆ, ଥାଇଲାଣ୍ଡ୍ ଏବଂ ହଂକଂରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆର୍‌ଟି-ପିସିଆର୍ ଟେଷ୍ଟ୍ ଅନିବାର୍ଯ୍ୟ ହେବ । ସେହିପରି ଯଦି ଏହି ଦେଶରୁ ଆସିଥିବା କୌଣସି ଯାତ୍ରୀଙ୍କ ନିକଟରେ କରୋନା ଲକ୍ଷଣ ଦେଖାଯାଏ, ତେବେ ତାଙ୍କୁ କ୍ୱାରେଣ୍ଟାଇନରେ ରଖାଯିବ । ଏହା ବ୍ୟତୀତ ବିମାନ ବନ୍ଦରରେ ଏହି ଯାତ୍ରୀମାନଙ୍କ ଥର୍ମାଲ୍ ସ୍କ୍ରିନିଂ କରାଯିବ । ମାଣ୍ଡଭିୟା କହିଛନ୍ତି, ବିଦେଶରୁ ଆସୁଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଟ୍ରାକ୍ କରାଯିବ ଏବଂ ସେମାନଙ୍କୁ ଏକ ଫର୍ମ ଭରି ନିଜର ସ୍ୱାସ୍ଥ୍ୟ ସ୍ଥିତି ସମ୍ପର୍କରେ ସୂଚନା ଦେବାକୁ ହେବ । ଚୀନ୍ ଏବଂ ଅନ୍ୟ ଦେଶରେ କୋଭିଡ୍‌-୧୯ ମାମଲାରେ ବୃଦ୍ଧି ଦୃଷ୍ଟିରୁ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅବହେଳା ପ୍ରତି ସତର୍କ କରାଇବା ସହିତ କଡ଼ାକଡ଼ି ମନିଟରିଂ ପାଇଁ ଆହ୍ୱାନ ଦେଇଥିଲେ । ଶୁକ୍ରବାର ୨୦୧ ନୂଆ କୋଭିଡ୍‌-୧୯ ମାମଲା ଚିହ୍ନଟ ହେବାପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୭୮,୮୭୯ ହୋଇଥିବା ବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୩୯୭ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଶନିବାର ଅପ୍‌ଡେଟ୍ ତଥ୍ୟ ଅନୁସାରେ ଦେଶରେ କରୋନା ସଂକ୍ରମଣ ମୃତ୍ୟୁସଂଖ୍ୟା ବୃଦ୍ଧିପାଇ ୫,୩୦,୬୯୧ ହୋଇଛି । ମନ୍ତ୍ରଣାଳୟ ଅନୁସାରେ ଦୈନିକ ସଂକ୍ରମଣ ହାର ୦.୧୫ ପ୍ରତିଶତ ଏବଂ ସାପ୍ତାହିକ ହାର ୦.୧୪ ରେକର୍ଡ କରାଯାଇଛି । କୋଭିଡ୍‌-୧୯ ସଂକ୍ରମଣର ପତ୍ତା ଲଗାଇବା ନିମନ୍ତେ ମୋଟ ୯୦.୯୭ କୋଟି ସାମ୍ପଲ୍ ଟେଷ୍ଟ ସରିଛି । ଏହା ମଧ୍ୟରୁ୧,୩୬,୩୧୫ ସାମ୍ପଲ୍‌ଙ୍କ ଟେଷ୍ଟ ଗତ ୨୪ ଘଣ୍ଟା ମଧ୍ୟରେ କରାଯାଇଛି । ତଥ୍ୟ ଅନୁଯାୟୀ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ । ସେହିପରି ସଂକ୍ରମଣରୁ ସୁସ୍ଥ ହାର ୯୮.୮୦ ପ୍ରତିଶତ ରେକର୍ଡ ହୋଇଛି ।

Comments are closed, but trackbacks and pingbacks are open.