ପର୍ଯ୍ୟଟକଙ୍କ ପାଇଁ ନନ୍ଦନକାନନରେ ରୋପୱେ ବ୍ୟବସ୍ଥା

38

ସମସ୍ତ ପର୍ଯ୍ୟଟକଙ୍କ ପାଇଁ ଏକ ବଡ଼ ଖୁସି ଖବର । ରାଜଧାନୀ ଭୁବନେଶ୍ୱରର ବାରଙ୍ଗ ସ୍ଥିତ ନନ୍ଦନକାନନରେ ଏଣିକି ପର୍ଯ୍ୟଟକମାନେ ରୋପୱେର ମଜା ଉଠାଇ ପାରିବେ । ପୂର୍ବରୁ ନନ୍ଦନକାନନରେ ରୋପୱେ ବ୍ୟବସ୍ଥା ରହିଥିଲେ ହେଁ ତାହା ଦୀର୍ଘ ୧୨ ବର୍ଷ ଧରି ବନ୍ଦ ହୋଇ ପଡ଼ି ରହିଥିଲା ।

ତେବେ ଏବେ ପୁଣି ଥରେ ନନ୍ଦନକାନନରେ ରୋପୱେ ଚାଲିବା ଖବର ଶୁଣିବା ପରେ ପର୍ଯ୍ୟଟକମାନେ ଉତ୍ସାହିତ ହୋଇ ପଡ଼ିଛନ୍ତି । ସୂଚନା ମୁତାବକ, ଆସନ୍ତା ମାସରେ ନନ୍ଦନକାନନରେ ରୋପୱେ ଚାଲିବ । ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟି ଦେବା ସହିତ ଦୁର୍ଘଟଣାକୁ ଏଡ଼ାଇବା ପାଇଁ ମକଡ୍ରିଲ କରାଯାଇଛି । ରୋପୱେରେ ଯାତାୟାତ କରୁଥିବା ପର୍ଯ୍ୟଟକମାନେ କୌଣସି ଦୁର୍ଘଟଣାର ସମ୍ମୁଖୀନ ହେଲେ ସେଥିରୁ କିପରି ବର୍ତ୍ତିବେ ସେନେଇ ନନ୍ଦନକାନନ କର୍ମଚାରୀଙ୍କୁ ଜ୍ଞାନ କୌଶଳ ପ୍ରଦାନ କରାଯାଇଛି । ଯଦି ଅଧାବାଟରେ ହଠାତ୍ ରୋପୱେ ଅଟକିଯିବ, ତେବେ କାଞ୍ଜିଆ ହ୍ରଦ ଦେଇ ବୋଟ ମାଧ୍ୟମରେ ଯାତ୍ରୀଙ୍କୁ ଉଦ୍ଧାର କରାଯିବ । ଏ ବାବଦରେ ନିକଟରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା ।

ତେବେ ନିକଟରେ ନନ୍ଦନକାନନର ରୋପୱେ ବ୍ୟବସ୍ଥାରେ ଆଧୁନିକୀକରଣ କରାଯାଇଛି । ବିପଦମୁକ୍ତ ଓ ସ୍ୱୟଂଚାଳିତ ପୁଲିରୁ ରୋପୱେ ଖସିଲେ ଆପେ ଆପେ ଇଲେକ୍ଟ୍ରି ବିଚ୍ଛିନ୍ନ ହୋଇଯିବ । ଏହି ରୋପୱେ ଗୋଟିଏ ଘଣ୍ଟାରେ ୫ ଶହ ପର୍ଯ୍ୟଟକଙ୍କୁ ସେବା ଯୋଗାଇବ । ଏହାକୁ ଚଲାଇବା ପାଇଁ ଏକ ଠିକା ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିବା ବେଳେ ଠିକା ସଂସ୍ଥା ଦାୟିତ୍ୱରେ ଥିବା ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ୫ ବର୍ଷ ପର୍ଯ୍ୟନ୍ତ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ୧୩ ଲକ୍ଷ ଟଙ୍କା ପ୍ରଦାନ କରିବେ । ପରବର୍ତ୍ତୀ ସମୟରେ ପର୍ଯ୍ୟାୟକ୍ରମେ ଏହାକୁ ୫ରୁ ୧୦ ଓ ୧୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବ । ରୋପୱେ ପାଇଁ ପର୍ଯ୍ୟଟକଙ୍କଠାରୁ ଟିକେଟ ବାବଦକୁ ୯୫ ଟଙ୍କା ଆଦାୟ କରାଯିବ ।

Comments are closed, but trackbacks and pingbacks are open.