ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମନ୍ତ୍ରୀ

50

ଭୁବନେଶ୍ୱର : ମାଛଚାଷ ଏବଂ ମତ୍ସ୍ୟଜୀବୀମାନଙ୍କର କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁ ଉନ୍ନତି ମୂଳକ ଯୋଜନା କାର୍ଯ୍ୟକାରୀ କରାଯାଇଛି । ବିଗତ ୨୦ ବର୍ଷରେ ମାଛ ଉତ୍ପାଦନ ପ୍ରାୟ ୪ ଗୁଣ ଅଧିକ ବୃଦ୍ଧି ପାଇଛି I ଏହା ସହିତ କୃଷକ ସଶକ୍ତିକରଣ ଓ ପ୍ରାଣୀସଂପଦ ବିକାଶ ହୋଇପାରିଛି I ଆଜି ବାଲେଶ୍ୱର ଆଇଟିଆଇ ପଡ଼ିଆଠାରେ ଆକ୍ୱାକଲଚର ଏକ୍ସପୋ-୨୦୨୩କୁ ଉଦ୍‌ଘାଟନ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏହା କହିଛନ୍ତି I

ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ମତ୍ସ୍ୟସଂପଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବିଗତ ୨୦ ବର୍ଷରେ ସାମୁଦି୍ରକ ଖାଦ୍ୟ ରପ୍ତାନୀ ପ୍ରାୟ ୧୨ଗୁଣ ବୃଦ୍ଧି ପାଇଛି । ୨୦୦୦-୦୧ ବର୍ଷରେ ଓଡ଼ିଶାରୁ ୩୭୯ କୋଟି ଟଙ୍କାର ସାମୁଦି୍ରକ ଖାଦ୍ୟ ବିଦେଶକୁ ରପ୍ତାନୀ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୪ ହଜାର ୫୨୬ କୋଟି ଟଙ୍କାରେ ପହଞ୍ଚିଛି । ଚିଙ୍ଗୁଡ଼ି ଚାଷ କ୍ଷେତ୍ରରେ ଓଡ଼ିଶା ଆଶାନୁରୂପ ସଫଳତା ପାଇବା ସହିତ ବୈଦେଶିକ ମୁଦ୍ରା ଅର୍ଜନ ହୋଇପାରୁଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । ଏଥି ସହିତ ମତ୍ସ୍ୟଜୀବୀମାନଙ୍କୁ ଯନ୍ତ୍ରଚାଳିତ ମାଛଧରା ଡଙ୍ଗା ସମେତ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବହାରକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆକର୍ଷଣୀୟ ରିହାତି ଯୋଗାଇ ଦିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବିଗତ ବର୍ଷରେ ବାଲେଶ୍ୱର ଜିଲ୍ଲା ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିବା କଥା ମନ୍ତ୍ରୀ କହିବା ସହିତ ଆଗାମୀ ଦିନରେ ବାଲେଶ୍ୱର ରାଜ୍ୟରେ ଅଗ୍ରଣୀ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ କରିଥିଲେ ଉତ୍ସବରେ ବାଲେଶ୍ୱର ସଦର ବିଧାୟକ ଶ୍ରୀ ସ୍ୱରୂପ କୁମାର ଦାସ, ରେମୁଣା ବିଧାୟକ ଶ୍ରୀ ସୁଧାଂଶୁ ଶେଖର ପରିଡ଼ା ବାଲେଶ୍ୱର ଜିଲ୍ଲାରେ ମତ୍ସ୍ୟଚାଷର ଭିତ୍ତିଭୂମିର ବିକାଶ ଓ ମତ୍ସ୍ୟ ଉତ୍ପାଦନ ବୃଦ୍ଧି ନିମନ୍ତେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଗୁରୁତ୍ୱାରୋପ କରିଥିଲେ ।

ମାଛଚାଷରେ କଟକଣା ଥିବା ଆଣ୍ଟିବାୟୋଟିକ୍‌ର ବ୍ୟବହାର ନକରିବା ପାଇଁ ଚାଷୀମାନଙ୍କୁ ନିବେଦନ କରିଥିଲେ । ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ, ବିଭିନ୍ନ ମତ୍ସ୍ୟ ରପ୍ତାନୀ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକମାନଙ୍କ ସହିତ ଆଲୋଚନା କରି ବାଲେଶ୍ୱର ଜିଲ୍ଲା କିପରି ଅଧିକ ଉତ୍ପାଦନ ଓ ରପ୍ତାନୀ କ୍ଷେତ୍ରରେ ଆଗୁଆ ଜିଲ୍ଲା ହୋଇପାରିବ ସେ ସଂପର୍କରେ ଗୁରୁତ୍ୱାରୋପ କରିଥିଲେ ।

ହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପ୍ରଦର୍ଶନୀ ଷ୍ଟଲ ଏବଂ ବାୟୋଫ୍ଲକ୍‌ ୟୁନିଟ୍‌କୁ ପରିଦର୍ଶନ କରିବା ସହ ଋଷିଆ ଜଳଭଣ୍ଡାରରେ ନୂଆକରି ଆରମ୍ଭ ହୋଇଥିବା କେଜ୍‌ କଲଚର ମାଧ୍ୟମରେ ମାଛଚାଷକୁ ସଫଳ କରିବାକୁ ପରାମର୍ଶ ଦେଇଥିଲେ । ଉତ୍ସବରେ ୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨,୯୭,୯୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲ । ଏଥି ସହିତ ୭ ଜଣ ହିତାଧିକାରୀଙ୍କୁ ଶୀତତାପ ନିୟନ୍ତ୍ରିତ ଯାନ, ଅଟୋ ବରଫ ବାକ୍ସ ଏବଂ ମୋଟର ସାଇକେଲ୍‌ ବରଫ ବାକ୍ସ ପ୍ରଦାନ କରାଯାଇଥିଲା । ଉତ୍ସବରେ ଆକ୍ୱାଟିକ୍‌ ଫିଡ୍‌ ଡିଲର ଆସୋସିଏସନ୍‌ର ଉପସଭାପତି ପୌରୋହିତ୍ୟ କରିଥିବାବେଳେ ସଂସ୍ଥାର ସାଂଗଠନିକ ସଂପାଦକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.