ରୋହିଙ୍ଗ୍ୟା ଶରଣାର୍ଥୀଙ୍କ କରୁଣ କାହାଣୀ : ୪୦ ଦିନ ସମୁଦ୍ରରେ ବିତାଇ ଇଣ୍ଡୋନେସିଆ ପହଞ୍ଚିଲେ

36

ଜାକର୍ତ୍ତା: ମିଆଁମାରରୁ ଜୀବନ ବିକଳରେ ପଳାଇ ଆସୁଥିବା ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଅକଥନୀୟ ଦୁର୍ଦ୍ଦଶାର ପରିସମାପ୍ତି ଘଟୁନାହିଁ । ୨୦୧୮ ପରଠାରୁ ଏପର୍ଯ୍ୟନ୍ତ ୧୦ ଲକ୍ଷରୁ ଅଧିକ ରୋହିଙ୍ଗ୍ୟା ଶରଣାର୍ଥୀ ବାଂଲାଦେଶ, ଥାଇଲାଣ୍ଡ, ଭାରତ, ମାଲେସିଆ ଓ ଇଣ୍ଡୋନେସିଆରେ ଆଶ୍ରୟ ନେଇଥିବାବେଳେ ଏବେ ମଧ୍ୟ ଏହି ପ୍ରକ୍ରିୟା ଜାରି ରହିଛି । ନିକଟରେ ଇଣ୍ଡେନେସିଆରେ ପହଞ୍ଚିଥିବା ରୋହିଙ୍ଗ୍ୟା ଦଳ ସେମାନଙ୍କର କରୁଣ କାହାଣୀ ବର୍ଣ୍ଣନା କରିଛନ୍ତି । ସମୁଦ୍ରରେ ଦୀର୍ଘ ୪୦ ଦିନ ବିତାଇବାପରେ ସେମାନେ ଇଣ୍ଡୋନେସିଆରେ ପହଞ୍ଚିଥିବା ଜଣାପଡିଛି । ଜଣେ ଭୁକ୍ତଭୋଗୀଙ୍କ ବୟାନ ଅନୁଯାୟୀ ଗତ ନଭେମ୍ବରରେ ୨୦୦ରୁ ଊର୍ଦ୍ଧ୍ୱ ରୋହିଙ୍ଗ୍ୟା ମୁସ୍‌ଲିମ୍ ବାଂଲାଦେଶରୁ ଏକ ଛୋଟ ବୋଟ୍‌ରେ ଇଣ୍ଡୋନେସିଆ ଅଭିମୁଖେ ଯାତ୍ରାରମ୍ଭ କରିଥିଲେ । ୧୦ ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍‌ଠାକ୍ ଚାଲିଥିଲା । ତେବେ ପରବର୍ତ୍ତୀ ସମୟରେ ଖାଦ୍ୟାଭାବ ସେମାନଙ୍କର ସ୍ଥିତିକୁ ଜଟିଳ କରିଥିଲା । ପୁନଶ୍ଚ ବୋଟ୍‌ରେ କଣା ହେବାରୁ ପାଣି ପ୍ରବେଶ କରିବା ଆରମ୍ଭ କରିଥିଲା । ସମୁଦ୍ରର ଲୁଣି ପବନ ଦ୍ୱାରା ଅଧିକାଂଶ ଗୁରୁତର ଅସୁସ୍ଥ ହୋଇପଡିଥିବାବେଳେ ବାଟରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପିଇବା ପାଣି, ଖାଦ୍ୟ ଅଭାବ ଯୋଗୁଁ ବୋଟ୍‌ରେ ଥିବା ମହିଳା ଓ ଶିଶୁଙ୍କ ଅବସ୍ଥା ଶୋଚନୀୟ ହୋଇପଡିଥିଲା । ବାଂଲାଦେଶରେ ରହିବା ଓ ଖାଇବା ସୁବିଧା ମିଳୁନଥିବାରୁ ଏମାନେ ମୁସଲମାନ ବହୁଳ ଇଣ୍ଡୋନେସିଆ ପଳାଇ ଆସିବାକୁ ଉଚିତ ମନେ କରୁଛନ୍ତି । ଅପରପକ୍ଷରେ ଚଳିତମାସ ପ୍ରାରମ୍ଭରେ ୧୮୦ ରୋହିଙ୍ଗ୍ୟାଙ୍କୁ ନେଇ ଆସୁଥିବା ଗୋଟିଏ ବୋଟ୍ ବଙ୍ଗୋପସାଗରରେ ବୁଡିିଯାଇଥିବାବେଳେ ସମସ୍ତେ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି ।

Comments are closed, but trackbacks and pingbacks are open.