ଚଳିତ ବର୍ଷ ଜଙ୍ଗଲରେ ଅଧିକ ନିଆଁ ଲାଗିବା ଆଶଙ୍କା: ପିସିସିଏଫ୍

24

ଭୁବନେଶ୍ୱର : ଦୀର୍ଘ ଦିନ ହେଲା ରାଜ୍ୟରେ ବର୍ଷା ନଥିବାରୁ ଚଳିତ ବର୍ଷ ଅହେତୁକ ଗରମ ସାଙ୍ଗକୁ ଜଙ୍ଗଲ ନିଆଁ ଅଧିକ ବ୍ୟାପିବ । ବର୍ତ୍ତମାନ ଗଛ ପତ୍ର ଝଡ଼ା ଦେଇଥିବା ବେଳେ ଜାନୁୟାରୀ ମାସ ଅଧାରୁ ତାପମାତ୍ରା କ୍ରମଶଃ ବଢ଼ିବାରେ ଲାଗିଛି। ଜାନୁଆରୀ ପହିଲାରୁ ଫେବ୍ରୁଆରୀ ୪ତାରିଖ ଭିତରେ ରାଜ୍ୟର ୧୨ଶହରୁ ଅଧିକ ସ୍ଥାନରେ ନିଆଁ ଲାଗିଛି । ଯଦି ନିକଟ ଭବିଷ୍ୟତରେ ବର୍ଷା ନହୁଏ, ତେବେ ଜଙ୍ଗଲରେ ଅଧିକ ନିଆଁ ଲାଗିବାର ଆଶଙ୍କା ରହିଛି । ଏନେଇ ପିସିସିଏଫ୍(ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ) ଦେବୀଦତ୍ତ ବିଶ୍ୱାଳ ମତ ପ୍ରକାଶ କରିଛନ୍ତି I

୨୦୨୧ରେ ଜଙ୍ଗଲରେ ନିଆଁ ଲାଗିବା ଘଟଣା­­­­ ସବୁଠାରୁ ଅଧିକ ଚିହ୍ନଟ ହୋଇଥିଲା। ୨୦୨୨ରେ ଏହି ଏହି ଘଟଣା ପ୍ରାୟ ଅଧା କମିଥିଲା। ଏବର୍ଷ ଖରା ଆସିବା ଆଗରୁ ରାଜ୍ୟର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ପରେ ସତର୍କ ହୋଇଛି ବନବିଭାଗ । ଆଗାମୀ ଦିନରେ ଅଧିକ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ଥିବାରୁ କେମିତି ମୁକାବିଲା କରାଯାଇପାରିବ ସେଥିପାଇଁ ବ୍ଲୁପ୍ରିଂଟ ପ୍ରସ୍ତୁତ କରୁଛି ବନବିଭାଗ । ଏନେଇ ପିସିସିଏଫ ସୂଚନା ଦେଇ କହିଛନ୍ତି, ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଷ୍ଟାଫ, ଇକ୍ୟୁପମେଣ୍ଟ, ଟେକ୍ନୋଲୋଜି ପ୍ରସ୍ତୁତ କରି ରଖାଯାଇଛି । ବିଶେଷ କରି ବାଲିଗୁଡା, ଫୁଲବାଣୀ, ସୁନ୍ଦରଗଡ, ଶିମିଳିପାଳ ଜଂଗଲରେ ନିଆଁ ଲାଗିବା ଆଶଙ୍କା ଅଧିକ ଥିବାରୁ ଏସବୁ ସ୍ଥାନ ଉପରେ ନଜର ରଖାଯାଇଛି ।

ଜଙ୍ଗଲରେ ନିଆଁ ନ ଲାଗିବା ପାଇଁ ବନ ବିଭାଗ ଅନେକ ପଦକ୍ଷେପ ନିଏ, କିନ୍ତୁ ମନୁଷ୍ୟକୃତ ନିଆଁ ଯୋଗୁ ଜଙ୍ଗଲ ଓ ଜଙ୍ଗଲୀ ପ୍ରାଣୀଙ୍କ ବିଶେଷ କ୍ଷତି ହୋଇଥାଏ। ହରିଆନା, ପଞ୍ଚାବ ଭଳି ଓଡ଼ିଶାରେ ଏବେ ମେସିନ୍ ମାଧ୍ୟମରେ ବ୍ୟାପକ ଫସଲ କଟା ଯାଉଥିବାରୁ ଜମିରେ ରହି ଯାଉଥିବା ପାଳ ଓ ପାଳ ବୁଦାକୁ ପୋଡ଼ିବା ନିମନ୍ତେ ଲୋକେ ନିଆଁ ଲଗାଇ ଦେଉଛନ୍ତି। ଏହା ମଧ୍ୟ କେତେକାଂଶରେ ଜଙ୍ଗଲରେ ନିଆଁ ଲାଗିବାର କାରଣ ହେଉଛି। ଜଙ୍ଗଲରେ ନିଆଁ ଲାଗିବା ଜଣାପଡ଼ିବା ପରେ ବୈଷୟିକ ଜ୍ଞାନକୌଶଳର ସାହାଯ୍ୟ ନିଆଯାଉଛି। ସାଟେଲାଇଟ୍ ଫଟୋ ଆଧାରରେ ଜଙ୍ଗଲ ନିଆଁକୁ ଲିଭାଇବାକୁ ପ୍ରୟାସ କରାଯାଉଛି। ସୂଚନା ମିଳିବା ପରେ ଜଙ୍ଗଲ ନିଆଁ ଲିଭାଇବାରେ ବିଭାଗ ୯୦ ପ୍ରତିଶତ ସଫଳ ହେଉଛି। ଏବେ ଦିନକୁ ୧୦୦ରୁ ଅଧିକ ଜାଗାରେ ନିଆଁ ଲାଗିବା ଖବର ଆସୁଛି।

ତେବେ ଆଗକୁ ଜଦି ଜଙ୍ଗଲରେ ନିଆଁ ଲାଗିବା ଘଟଣା ବଢ଼େ ତେବେ ଏହାକୁ କାବୁ କରିବା ବନ ବିଭାଗ ତରଫରୁ ନେତୃତ୍ୱରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଜଙ୍ଗଲ ଭିତରେ ଥିବା ଗାଁଗୁଡ଼ିକରେ ନିଆଁ ନ ଲଗାଇବା ପାଇଁ ଓ ନିଆଁ ଦେଖିଲେ ତୁରନ୍ତ ସୂଚନା ଦେବାକୁ ସଚେତନତା କରାଯାଉଛି।

ଅନ୍ୟପଟେ ଲୋକଙ୍କୁ ସଚେତନତା କରିବା ନିମନ୍ତେ ଏସ୍‌ଏଚ୍‌ଜିକୁ ପଥପ୍ରାନ୍ତ ନାଟକ କରିବାକୁ ଦାୟିତ୍ୱ ଦିଆଯାଇଛି ବୋଲି ପିସିସିଏଫ୍(ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଓ ବନ ବାହିନୀ ମୁଖ୍ୟ) ଦେବୀଦତ୍ତ ବିଶ୍ୱାଳ କହିଛନ୍ତି।

Comments are closed, but trackbacks and pingbacks are open.