ଚାଉଳ ଯୋଗାଣ ଯନ୍ତ୍ର – ହିତାଧିକାରୀ ହଟହଟା

22

ଭୁବନେଶ୍ୱର: ଟଙ୍କିକିଆ ଚାଉଳ ଯୋଗାଣରେ ସ୍ୱଚ୍ଛତା ଆଣିବାପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ବିଭିନ୍ନ ମୈତ୍ରୀ ବିକ୍ରୟ କେନ୍ଦ୍ରରେ ଲାଗିଥିବା ସ୍ୱୟଂଚାଳିତ ଯନ୍ତ୍ର ଏବେ ହିତାଧିକାରୀଙ୍କ ପାଇଁ କାଳ ହୋଇଛି । ଏହି ମେସିନ ଲାଗିବା ପରଠାରୁ କିଏ ପାହାନ୍ତାରୁ ଆସି ଧାଡି ଲଗାଉଛି ତ ଆଉ କିଏ ଚାଉଳ ପାଇବା ପାଇଁ ଦୁଇ ତିନି ଧରି ଦଉଡୁଛି ।   ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ସହାୟତାରେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ରାସନ ସାମଗ୍ରୀ ଯୋଗାଣ ହେଉଥିବା ମୈତ୍ରୀ ବିକ୍ରୟ କେନ୍ଦ୍ରରେ ଏହି ବୃହଦାକାୟ ମେସିନ ଲାଗିଛି । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ହିତାଧିକାରୀଙ୍କ ଚାଉଳ ପରିମାଣ ଏଥିରେ ଉଲ୍ଲେଖ କରିବାପରେ ମେସିନ ମଧ୍ୟରୁ ଛାଏଁ ଛାଏଁ ସେତିକି ପରିମାଣର ଚାଉଳ ବାହାରୁଛି । ଅବଶ୍ୟ ମେସିନର ଅନ୍ୟ ପଟରେ ବସ୍ତା ଖୋଲି ଚାଉଳ ଏଥିରେ ଭର୍ତ୍ତି କରିବାକୁ ପଡୁଛି ।   ଜଣେ ହିତାଧିକାରୀ ଏଥିରୁ ଚାଉଳ ପାଇବାକୁ ହେଲେ ତାଙ୍କୁ ଅତି କମରେ ୧୦ ମିନିଟ୍‍ ଲାଗୁଛି । ମେସିନଟିକୁ ଜୋରରେ ବି ଚଳାଯାଇ ପାରୁନାହିଁ । ଫଳରେ ଗୋଟିଏ ଦିନରେ ମାତ୍ର ୫୦/୬୦ ଜଣଙ୍କୁ ଏହି ଯନ୍ତ୍ର ସହାୟତାରେ ଚାଉଳ ଯୋଗାଇବା ସମ୍ଭବପର ହେଉଥିବା ଖୋଦ ଯୋଗାଣ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ପୂର୍ବରୁ ମୈତ୍ରୀ ଦୋକାନଗୁଡିକରେ ହିତାଧିକାରୀଙ୍କୁ ଓଜନ କଣ୍ଟା ବା କିଲ ପାଲରେ ଚାଉଳ ଓଜନକରି ଦିଆଯାଉଥିଲା । ଜଣେ ବ୍ୟକ୍ତି ବସ୍ତାରୁ ଚାଉଳ ଢାଳିବା ସହିତ ତାହାକୁ ଓଜନ କରୁଥିଲେ । ଏଥିରେ ହିତାଧିକାରୀମାନେ ବି ସହାୟତାର ହାତ ବଢାଉଥିଲେ । ଫଳରେ ଗୋଟିଏ ବେଳାରେ ଶହ ଶହ ରାସନଧାରୀଙ୍କୁ ଚାଉଳ ଓ ଗହମ ଯୋଗାଣ ସମ୍ଭବପର ହେଉଥିଲା । ତେବେ ମେସିନ ବସିଲା ପରଠାରୁ ହିତାଧିକାରୀମାନେ କିଭଳି ହଟହଟା ହେଉଛନ୍ତି ତାହା ସ୍ଥାନୀୟ ୪ନମ୍ବର ଅଞ୍ଚଳରେ ଥିବା ମୈତ୍ରୀ ଦୋକାନକୁ ଗଲେ ଯେ କେହି ଦେଖିପାରିବ । ଏଠାରେ ନିଜ ନିଜର ରାସନ ଚାଉଳ ପାଇବାକୁ ଲୋକେ ପାହାନ୍ତାରୁ ଆସି ଧାଡି ଲଗାଉଛନ୍ତି । ଯେତିକି ଲୋକେ ଆସୁଛନ୍ତି ସେମାନଙ୍କ ମଧ୍ୟରୁ କେତେକ କାମଧନ୍ଦା ସମୟ ହୋଇଯିବାରୁ ଖାଲି ହାତରେ ଫେରୁଛନ୍ତି । ମହିଳାମାନେ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଛନ୍ତି । କର୍ତ୍ତୃପକ୍ଷ ଚାହିଁଲେ ବି କିଛି କରିବାର ଜୁ ନାହିଁ । ମୈତ୍ରୀ କେନ୍ଦ୍ରରେ ଧାଡିରେ ଥିବା କିଛି ହିତାଧିକାରୀଙ୍କ ମତ ହେଉଛି ଏହି ଯନ୍ତ୍ରଟି ଲାଗିବା ପରଠାରୁ ସେମାନଙ୍କ ଦୁର୍ଦ୍ଦଶା ବଢିଛି । ଏଥିରେ କେବଳ ଚାଉଳ ଓଜନ ହେବାଛଡା ଅନ୍ୟ କିଛି ହେଉନାହିଁ । ପୂର୍ବରୁ ଘଣ୍ଟାଏ ମଧ୍ୟରେ ରାସନ ଚାଉଳ ନେଇ ସେମାନେ ଘରକୁ ଫେରୁଥିବାବେଳେ ଏବେ ଏଥିପାଇଁ ଦିନେ ଦୁଇ ଦିନ ଦଉଡିବାକୁ ପଡୁଛି । ଓଜନ ଠକେଇ ନେଇ ସେଭଳି କୌଣସି ଅଭିଯୋଗ ନଥିବାବେଳେ ସରକାର ଏହି ଯନ୍ତ୍ରଟି ବସାଇ କାହିଁକି ହଟହଟା କରୁଛନ୍ତି ବୋଲି ଅନେକ ହିତାଧିକାରୀ ପ୍ରଶ୍ନ କରିଛନ୍ତି ।

Comments are closed, but trackbacks and pingbacks are open.