ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ଟ୍ରେନିଂ ଡାକ୍ତରାଣୀ ଦୁଷ୍କର୍ମ ଓ ହତ୍ୟା ଘଟଣା: ସିବିଆଇ ଚାର୍ଜସିଟ୍‌ରେ ସଞ୍ଜୟ ରୟ ମୁଖ୍ୟ ଅଭିଯୁକ୍ତ

33

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସ୍ଥିତ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରାଣୀଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସିବିଆଇ ସୋମବାର କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟ୍ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ସିବିଆଇ ନିଜର ଏହି ଚାର୍ଜସିଟ୍‌ରେ ସଞ୍ଜୟ ରୟଙ୍କୁ ମୁଖ୍ୟ ଅଭିଯୁକ୍ତ ଭାବେ ଦର୍ଶାଇଛି। ଏତଦ୍‌ବ୍ୟତୀତ ପୀଡ଼ିତାଙ୍କୁ ସେଦିନ ଗଣଦୁଷ୍କର୍ମ ନୁହେଁ ବରଂ ଦୁଷ୍କର୍ମ କରାଯାଇଥିଲା। ଏହାପରେ ଦୁଷ୍କର୍ମକାରୀ ପୀଡ଼ିତାଙ୍କୁ ହତ୍ୟା ମଧ୍ୟ କରିଥିଲା। ଦୁଷ୍କର୍ମକାରୀ ଏବଂ ହତ୍ୟାକାରୀ ଜଣେ ହିଁ ବ୍ୟକ୍ତି। ସେ ଅନ୍ୟ କେହି ନୁହଁନ୍ତି ବରଂ ସଞ୍ଜୟ ରୟ ବୋଲି ସିବିଆଇ ନିଜ ଚାର୍ଜସିଟ୍‌ରେ ଉଲ୍ଲେଖ କରିଛି। ୨ ମାସର ତଦନ୍ତ ମଧ୍ୟରେ ସୋମବାର କୋଲକାତାର ସିଲଦା ସ୍ଥିତ ଅତିରିକ୍ତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ଏହି ଚାର୍ଜସିଟ୍‌କୁ ଦାଖଲ କରିଛି ସିବିଆଇ। ସିବିଆଇ ସୂତ୍ର ଅନୁଯାୟୀ, ପ୍ରାୟ ୨୦୦ ଜଣଙ୍କ ବିବୃତ୍ତି ଏହି ମାମଲାରେ ଚାର୍ଜସିଟ୍‌ରେ ରେକର୍ଡ କରାଯାଇଛି। ଏହି ମାମଲାର ରହସ୍ୟ ସମାଧାନ କରୁଥିବାବେଳେ ସିବିଆଇ ପୂର୍ବରୁ ଗିରଫ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ହତ୍ୟା ଏବଂ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତ ବୋଲି କହିଛି। ପ୍ରକାଶ, ଅଗଷ୍ଟ ୯ରେ କୋଲକାତାର ଆରଜି କର ହସ୍ପିଟାଲ ଓ ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ଅସନ୍ତୋଷ ବୃଦ୍ଧି ପାଇଥିଲା। ଘଟଣାକୁ ବିରୋଧ କରି ଡାକ୍ତରମାନେ ରାଜରାସ୍ତାକୁ ଓହ୍ଲାଇଥିଲେ। ଘଟଣାର ଗୋଟିଏ ଦିନ ପରେ ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରୟଙ୍କୁ ପୁଲିସ୍ ଗିରଫ କରିଥିଲା। ମାତ୍ର ଦେଶବ୍ୟାପୀ ଆନ୍ଦୋଳନ ଜୋର୍ ଧରିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ହସ୍ତାନ୍ତର କରିଥିଲେ କୋଲକାତା ହାଇକୋର୍ଟ। ସମ୍ପ୍ରତି ସେ ଜେଲ୍‌ରେ ରହିଛି।

Comments are closed, but trackbacks and pingbacks are open.