ଜିଲ୍ଲାପାଳମାନଙ୍କ ସହିତ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ରାଜସ୍ୱ ମନ୍ତ୍ରୀ

124

ଭୁବନେଶ୍ଵର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୂର୍ବ ପ୍ରସ୍ତୁତି ସମ୍ପର୍କିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱତନ୍ତ୍ର ରିଲିଫ୍ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ବିଶଦ ଭାବେ ଆଲୋଚନା କରିଛନ୍ତି। ବୈଠକ ପରେ ରାଜୀବ ଭବନଠାରେ ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଲେ ଯେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଉପରେ ଥିବା ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାକୁ ୬ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର ୮ଟି ଜିଲ୍ଲା ଯଥା-ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ସବୁଠାରୁ ଅଧିକ ପ୍ରଭାବିତ ହେବ। ଏହିସବୁ ଜିଲ୍ଲାଗୁଡ଼ିକୁ ରେଡ୍ ଜୋନ୍ ଅନ୍ତର୍ଭୁକ୍ତ କରାଯାଇଛି। କାକିନାଡ଼ା ଓ ମଛଲିପଟନମ୍ ଯେଉଁଠାରେ ବାତ୍ୟା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି ମାଲକାନଗିରି ସେଠାରୁ ମାତ୍ର ୨୦୦ କିଲୋମିଟର ଦୂରରେ ଅବସ୍ଥିତ। ଶନିବାର ପନ୍ଦରଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପ୍ରସ୍ତୁତି ସଂପର୍କରେ ଆଲୋଚନା ହୋଇଥିବାବେଳେ ରବିବାର ସମସ୍ତ ୩୦ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ବାତ୍ୟା ପୂର୍ବ ପ୍ରସ୍ତୁତି ଓ ଏହାର ମୁକାବିଲା ସଂପର୍କରେ ବିଶଦ ଭାବେ ଆଲୋଚନା ହୋଇଛି। ମନ୍ତ୍ରୀ ଶ୍ରୀ ପୂଜାରୀ ପୁଣି କହିଛନ୍ତି ଯେ ସର୍ବାଧିକ ପ୍ରଭାବିତ ୮ଟି ଜିଲ୍ଲା ବ୍ୟତୀତ ଅନ୍ୟ ୨୨ଟି ଜିଲ୍ଲାରେ ବାତ୍ୟା ପ୍ରଭାବରେ ବର୍ଷାର ସମ୍ଭାବନା ରହିଛି । ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ସଂପୃକ୍ତ ବିଭାଗଗୁଡ଼ିକ ସହ ଆଲୋଚନା କରାଯାଇଛି। ଆବଶ୍ୟକ ପଡ଼ିଲେ ପଡୋଶୀ ଜିଲ୍ଲାକୁ ସହାୟତା କରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତି ଜିଲ୍ଲାରେ ସମ୍ଭାବ୍ୟ ଭୂସ୍ଖଳନର ଆଶଙ୍କା ଥିବାରୁ ସେଠାରେ ଓଡ୍ରାଫ୍, ଏନ୍ଡିଆର୍ଏଫ୍ ଓ ଅଗ୍ନିଶମ ବାହିନୀଙ୍କୁ ଆଗୁଆ ମୁତୟନ କରାଯାଇଛି। ଅଧିକ ସାହାଯ୍ୟକାରୀ ଦଳ ଆବଶ୍ୟକ ପଡ଼ିଲେ ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକରୁ ମଧ୍ୟ ପଠାଯାଇପାରିବ। ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ଶକ୍ତି ବିଭାଗ ସହ ଆଲୋଚନା ହୋଇଛି। ଡାକ୍ତରଖାନା, ଜରୁରୀ ସେବା, ପାନୀୟ ଜଳ ଯୋଗାଇଦେବା ପାଇଁ ବିକଳ୍ପ ଶକ୍ତିର ବ୍ୟବସ୍ଥା କରାଯାଇଛି। ବୟସ୍କ, ଶିଶୁମାନଙ୍କୁ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା ସହ ଆସନ୍ନ ପ୍ରସବାମାନଙ୍କୁ ସ୍ଥାନୀୟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ରଖାଯିବାର ବ୍ୟବସ୍ଥା କରାଯାଇଛି।

Comments are closed, but trackbacks and pingbacks are open.