ମାଟ୍ରିକ ସାର୍ଟିଫିକେଟ ଅନୁଯାୟୀ ମିଳିବ ଅବସର

27

ଭୁବନେଶ୍ବର: ମାଟ୍ରିକ ସାର୍ଟିଫିକେଟରେ ଥିବା ଜନ୍ମ ତାରିଖ ହିଁ ସବୁ କ୍ଷେତ୍ର ପାଇଁ ପ୍ରଯୁଜ୍ୟ । ଏଭଳି କିଛି ଗୁରୁତ୍ବପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି ଓଡିଶା ହାଇକୋର୍ଟ । ଆବେଦନକାରୀଙ୍କ ସର୍ଭିସବୁକ୍ ସହ ଜଡିତ  ଥିବା ମାଟ୍ରିକ୍ ପ୍ରମାଣପତ୍ରରେ ଉଲ୍ଲେଖ ଥିବା ଜନ୍ମ ତାରିଖ ଅନୁଯାୟୀ ହିଁ ତାଙ୍କୁ ଅବସର ଦିଆଯିବା ଉଚିତ୍ । ମଦନ ରାଉଳ ନାମକ ବ୍ୟକ୍ତିଙ୍କ ପକ୍ଷରୁ ଦିଆଯାଇଥିବା ଆବେଦନର ଶୁଣାଣି କରି ଏପରି କିଛି ନିର୍ଦ୍ଦେଶ କରିଛନ୍ତି ବିଚାରପତି ଜଷ୍ଟିସ ବିରଜା ପ୍ରସନ୍ନ ଶତପଥୀ ।

ମଦନଙ୍କୁ ଉଲ୍ଲେଖିତ ତାରିଖ ୨୦୦୮ ଜୁଲାଇ ୩୧ ବଦଳରେ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଛି ।ଯାହାକୁ ନେଇ ସେ କୋର୍ଟରେ ଆବେଦନ କରିଥିଲେ । ତେବେ ସେ ଏହି ସମୟ ପାଇଁ କୌଣସି କାର୍ଯ୍ୟ କରିନଥିବାରୁ ଉପରୋକ୍ତ ଅବଧିର ବେତନ ପାଇଁ ସେ ଦାବିଦାର ନୁହଁନ୍ତି ବୋଲି ଅଦାଲତ କହିଛନ୍ତି। କିନ୍ତୁ ଏହି ଅନୁସାରେ ତାଙ୍କୁ ୩ ମାସ ମଧ୍ୟରେ ସଂଶୋଧିତ ପେନସନ୍‌ ଓ ଅନ୍ୟ ବକେୟା ପ୍ରଦାନ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ସମ୍ବଲପୁର କୃଷି ବିଭାଗର ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ୧୯୬୮ଫେବ୍ରୁଆରୀ ୨୭ରେ ପିଅନ ଭାବେ ଯୋଗ ଦେଇଥିଲେ। ସେହି ସମୟରେ ସେ ମାଟ୍ରିକ୍‌ ପାସ୍‌ କରି ନଥିଲେ। ତାଙ୍କ ସର୍ଭିସ୍‌ ବୁକରେ ଜନ୍ମ ତାରିଖ ୧୯୪୮ ଜୁଲାଇ ୧୨ ବୋଲି ଉଲ୍ଲେଖ ଥିଲା। ୧୯୭୦ରେ ଆବେଦନକାରୀ ମାଟ୍ରିକ୍‌ ପାସ୍‌ କରିଥିଲେ ଓ ୧୯୭୩ରେ ଡାଇରିଷ୍ଟ ତଥା ଟାଇପିଷ୍ଟ ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ। ମାଟ୍ରିକ୍‌ ପ୍ରମାଣପତ୍ରରେ ତାଙ୍କର ଜନ୍ମ ତାରିଖ କିନ୍ତୁ ୧୯୫୦ ଜୁଲାଇ ୧୨ବୋଲି ଉଲ୍ଲେଖ ଥିଲା। ଯାହା ସର୍ଭିସ୍ ବୁକ୍‌ରେ ରେକର୍ଡ ହୋଇଥିଲା। ହେଲେ ଆବେଦନକାରୀଙ୍କୁ ତାଙ୍କର ଜନ୍ମ ତାରିଖ ୧୯୪୮ ଜୁଲାଇ ୧୨ ଅନୁସାରେ ଗତ ୨୦୦୬ ଜୁଲାଇ ୩୧ରେ ଅବସର ଦିଆଯାଇଥିଲା। ଏହି ଆଦେଶ ବିରୋଧରେ ସେ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲ ଉଚ୍ଛେଦ ପରେ ମାମଲା ହାଇକୋର୍ଟକୁ ସ୍ଥାନାନ୍ତର ହୋଇଥିଲା।

Comments are closed, but trackbacks and pingbacks are open.