ନୂଆଦିଲ୍ଲୀ: କର୍ଣ୍ଣାଟକର ପୂର୍ବତନ ପୋଲିସ ମୁଖ୍ୟ ଓମ୍ ପ୍ରକାଶଙ୍କ ମୃତଦେହ ରବିବାର ତାଙ୍କ ବେଙ୍ଗାଲୁରୁ ସ୍ଥିତ ବାସଭବନରୁ ମିଳିଛି। ତାଙ୍କୁ ୬୮ ବର୍ଷ ହୋଇଥିଲା। ଯେଉଁ ଘରେ ତାଙ୍କ ମୃତଦେହ ମିଳିଥିଲା ସେଠାରେ ଚାରିଆଡ଼େ ରକ୍ତ ପଡ଼ିଥିବା ପୋଲିସ କହିଛି। ପୋଲିସ କହିଛି ଯେ ପୂର୍ବତନ ବରିଷ୍ଠ ପୁଲିସ କର୍ମଚାରୀଙ୍କ ପତ୍ନୀ ପଲ୍ଲବୀ ମୃତଦେହ ବିଷୟରେ ସୂଚନା ଦେଇଥିଲେ। ପୁଲିସ ପଲ୍ଲବୀ ଓ ତାଙ୍କ ଝିଅଙ୍କୁ ପଚରାଉଚରା ଆରମ୍ଭ କରିଛି। ସେ ବେଙ୍ଗାଲୁରୁର ଏଚ୍ଏସ୍ଆର୍ ଲେଆଉଟ୍ରେ ଥିବା ତାଙ୍କ ତିନି ମହଲା ଘରର ତଳ ମହଲାରେ ରହୁଥିଲେ।ଏଥିରେ ପରିବାରର ଜଣେ ସଦସ୍ୟଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ କରୁଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ଓମ୍ ପ୍ରକାଶ ୧୯୮୧ ବ୍ୟାଚ୍ ର ଭାରତୀୟ ପୁଲିସ ସେବା (ଆଇପିଏସ୍) ଅଧିକାରୀ ଥିଲେ। ୨୦୧୫ ମାର୍ଚ୍ଚରେ ତାଙ୍କୁ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିଲା। ଏହା ପୂର୍ବରୁ ସେ ଅଗ୍ନିଶମ ଓ ଜରୁରୀକାଳୀନ ସେବା ଏବଂ ହୋମଗାର୍ଡର ମଧ୍ୟ ନେତୃତ୍ୱ ନେଇଥିଲେ ।
Comments are closed, but trackbacks and pingbacks are open.