ଭାରତର ବିଦେଶୀ ମୁଦ୍ରା ପାଣ୍ଠି ସମ୍ପର୍କିତ ରିପୋର୍ଟ: ୨୦୨୨ ସୁଦ୍ଧା ଆଉ ୧୫ ବିଲିୟନ ଡଲାର କମିବ

37

ବେଙ୍ଗାଲୁରୁ : ଚଳିତବର୍ଷ ଅର୍ଥାତ ଡିସେମ୍ବର ୩୧ ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ପାଣ୍ଠି ଆହୁରି ୧୫ ବିଲିୟନ ଡଲାର ହ୍ରାସ ପାଇବ ବୋଲି ରଏଟର୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାପଡିଛି । ୧୯ ଜଣ ବିଶିଷ୍ଟ ଅର୍ଥନୀତିଜ୍ଞଙ୍କ ବୟାନକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଡଲାର ତୁଳନାରେ ଟଙ୍କାର ସ୍ଥିତିକୁ ଯଥାସମ୍ଭବ ଠିକ୍‌ଠାକ୍ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜୋରସୋର ଉଦ୍ୟମ କରାଯାଉଛି । ଗତବର୍ଷ ଭାରତର ବିଦେଶୀ ମୁଦ୍ରା ଗଚ୍ଛିତ ପରିମାଣ ୬୪୨ ବିଲିୟନ ଡଲାର ଥିବାବେଳେ ଚଳିତବର୍ଷ ଅକ୍ଟୋବର ସୁଦ୍ଧା ଏଥିରେ ୧୧୮ ବିଲିୟନ ଡଲାର ହ୍ରାସ ଘଟିସାରିଛି । ଏହି ସମୟରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ୧୨ ପ୍ରତିଶତ ହ୍ରାସ ପାଇଛି । ଚଳିତବର୍ଷ ଅକ୍ଟୋବର ୨୦ରେ ଟଙ୍କାର ବିନିମୟ ମୂଲ୍ୟ ସର୍ବକାଳୀନ ନିମ୍ନସ୍ତର (୮୩.୨୯)ରେ ପହଞ୍ଚିଥିଲା । ଆସନ୍ତା ଡିସେମ୍ବର ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ପାଣ୍ଠି ୫୧୦ ବିଲିୟନ ଡଲାରକୁ ଖସିଆସିବ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଚଳିତବର୍ଷ ସେପ୍ଟେମ୍ବରରେ ପ୍ରସ୍ତୁତ ରିପୋର୍ଟରେ କୁହାଯାଇଥିଲା ଯେ ୨୦୨୨ ଡିସେମ୍ବର ସୁଦ୍ଧା ଭାରତର ବିଦେଶୀ ମୁଦ୍ରା ପାଣ୍ଠି ୫୨୩ ବିଲିୟନ ଡଲାରକୁ କମିବ । ତେବେ ଡଲାର-ଟଙ୍କା ସ୍ଥିତି ମଜଭୁତ ରଖିବାକୁ ରିଜର୍ଭ ବ୍ୟାଙ୍କ କର୍ତ୍ତୃପକ୍ଷ ଇତିମଧ୍ୟରେ ପର୍ଯ୍ୟାପ୍ତ ଡଲାର ବିକ୍ରି କରିସାରିଥିବାରୁ ଏହାର ପ୍ରଭାବ ବିଦେଶୀ ମୁୁଦ୍ରା ପାଣ୍ଠି ଉପରେ ପଡିବ ବୋଲି ଆଶଙ୍କା କରାଯାଉଛି । କେତେକ ଅର୍ଥନୀତିଜ୍ଞଙ୍କ ମତରେ ଅତିକମରେ ୫୦୦ ବିଲିୟନ ବିଦେଶୀ ମୁଦ୍ରା ପାଣ୍ଠି ଭାରତର ଅର୍ଥନୀତି ପାଇଁ ଯଥେଷ୍ଟ । ବିଦେଶୀ ମୁଦ୍ରା ପାଣ୍ଠି ହ୍ରାସ ପ୍ରସଙ୍ଗକୁ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଏତେଟା ଗୁରୁତ୍ୱ ଦେଉନାହାନ୍ତି । ଡଲାର ଶକ୍ତିଶାଳୀ ହେଉଥିବାରୁ ଭାରତୀୟ ଟଙ୍କାର ସ୍ଥିତି ଦୁର୍ବଳ ହେଉଛି, ତେଣୁ ଏଥିରେ ବ୍ୟତିବ୍ୟସ୍ତ ହେବାର କାରଣ ନାହିଁ ବୋଲି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଆଶ୍ୱାସନା ଦେଇଛନ୍ତି ।

Comments are closed, but trackbacks and pingbacks are open.