ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ନିମନ୍ତେ ବିଭାଗର ପୁନର୍ଗଠନ ବୈଠକ

57

ଭୁବନେଶ୍ୱର : ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ବିଭାଗର ବିଭିନ୍ନ କ୍ୟାଡର ପୁନର୍ଗଠନ ସଂପର୍କରେ ଏକ ବୈଠକ କୃଷି ଓ କୃଷକ
ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।
କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ କ୍ୟାଡର ପୁନର୍ଗଠନ ନିମନ୍ତେ ସଂଘଗୁଡ଼ିକ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବ ଉପରେ ଶ୍ରୀ ସ୍ୱାଇଁ ବରିଷ୍ଠ ବିଭାଗୀୟ ଅଧିକାରୀ ଓ ସଂଘର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ସମସ୍ତ ପ୍ରସ୍ତାବର ପୁଙ୍ଖାନୁପୁଙ୍ଖ ତର୍ଜମା କରାଯାଇ ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ମତ୍ସ୍ୟ ଓ ପ୍ରାଣୀସଂପଦ ଗ୍ରାମାଞ୍ଚଳର ଅର୍ଥନୀତିରେ ଓ ଚାଷୀମାନଙ୍କ ଜୀବନଜୀବିକା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ରାଜ୍ୟ
ସରକାରଙ୍କ ପକ୍ଷରୁ ପ୍ରଣୀତ ବିଭିନ୍ନ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ କରି ଏହାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ଦିଗରେ ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଅଧିକ ତତ୍ପରତା ପ୍ରକାଶ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ପରାମର୍ଶ ଦେଇଥିଲେ ।
ବୈଠକରେ ଓଡ଼ିଶା ମତ୍ସ୍ୟସେବା, ଓଡ଼ିଶା ପ୍ରାଣୀଚିକିତ୍ସା ସେବାର ବିଭିନ୍ନ କ୍ୟାଡର ପୁନର୍ଗଠନ କରି ଅସଙ୍ଗତି ଦୂର କରିବା ସହିତ ଅଧିକ ପଦବୀ ଓ ପଦୋନ୍ନତି ସୁଯୋଗ ସୃଷ୍ଟି କରିବା ନିମନ୍ତେ ଦିଆଯାଇଥିବା ପ୍ରସ୍ତାବ ସଂପର୍କରେ ସବିଶେଷ ଆଲୋଚନା ହୋଇଥିଲା ।

ଏଥି ସହିତ ବୈଠକରେ ନିଖିଳ ଓଡ଼ିଶା ନନ୍‌-ଗେଜେଟେଡ୍‌ ପ୍ରାଣୀଚିକିତ୍ସା ବୈଷୟିକ ଅଧିକାରୀ ସଂଘ ଏବଂ ରାଜ୍ୟ ଗୋମିତ୍ର ମହାସଂଘର ବିଭିନ୍ନ ପ୍ରସ୍ତାବ ସଂପର୍କରେ ମଧ୍ୟ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା । ମତ୍ସ୍ୟ ଏବଂ ପ୍ରାଣୀପାଳନ ଓ ପ୍ରାଣୀଚିକିତ୍ସା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଡ. ୟେଦୁଲ୍ଲା ବିଜୟ, ବିଭାଗୀୟ ସ୍ୱତନ୍ତ୍ର ଶାସନ ସଚିବ, ଅର୍ଥ ପରାମର୍ଶଦାତା ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ ବିଭିନ୍ନ ସଂଘର ସଭାପତି,ସଂପଦାକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

Comments are closed, but trackbacks and pingbacks are open.