ଖାଉଟିଙ୍କୁ ଆଶ୍ବସ୍ତି : ଆଳୁ, ପିଆଜ ,ତେଲ ସମେତ ୧୧ଟି ସାମଗ୍ରୀର ମୂଲ୍ୟ ହ୍ରାସ

88

ସାରାଦେଶରେ ମହଙ୍ଗାମାଡ଼ ସମୟରେ ସାଧାରଣ ଖାଉଟିଙ୍କୁ ଆଶ୍ବସ୍ତି । ମାସକମଧ୍ୟରେ ଖାଇବା ତେଲ ,ଆଳୁ ,ପିଆଜ ସମେତ ୧୧ ଟି ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ୨ରୁ ୧୧% ପର୍ଯ୍ୟନ୍ତ ହ୍ରାସ କରିଛନ୍ତି ସରକାର I

ଖାଦ୍ୟ ଏବଂ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ପୀୟୂଷ ଗୋୟଲ ଟ୍ୱିଟ କରି ଲେଖିଛନ୍ତି ଯେ, ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ହ୍ରାସ ପାଇଛି । ଏଥିରେ ପରିବାରକୁ ମାସିକ ବଜେଟରେ କିଛି ଆଶ୍ୱସ୍ତି ମିଳିଛି । ଗତ ମାସର ଦ୍ୱିତୀୟ ଦିନରେ ପାମ୍ ଅଏଲର ମୂଲ୍ୟ ସର୍ବାଧିକ ୧୧ ପ୍ରତିଶତ ହ୍ରାସ ପାଇ ଲିଟର ପିଛା ୧୧୮ ଟଙ୍କାରେ ପହଞ୍ଚିଛି । ଗତ ମାସରେ ଏହାର ଦାମ୍‌ ୧୩୨ ଟଙ୍କା ପ୍ରତିଲିଟର ରହିଥିଲା।

ଏହା ବ୍ୟତୀତ ବନସ୍ପତି ଘିଅର ମୂଲ୍ୟ ଛଅ ପ୍ରତିଶତ ହ୍ରାସ ପାଇ କିଲୋ ପିଛା ୧୫୨ ରୁ ୧୪୩ ଟଙ୍କାରେ ପହଞ୍ଚିଛି । ସୂର୍ଯ୍ୟମୁଖୀ ତେଲର ମୂଲ୍ୟ ମଧ୍ୟ ୬ ପ୍ରତିଶତ ହ୍ରାସ ପାଇ ୧୭୬ ରୁ ୧୬୫ ଟଙ୍କା ଲିଟର ହୋଇଥିବାବେଳେ ସୋୟାବିନ ତେଲର ମୂଲ୍ୟ ୫ ପ୍ରତିଶତ ହ୍ରାସ ପାଇ ୧୫୬ ରୁ ୧୪୮ ଟଙ୍କା ହୋଇଛି ।

ସେହିପରି ସୋରିଷ ତେଲର ମୂଲ୍ୟ ଲିଟର ପିଛା ୧୭୩ ରୁ ୧୬୭ ଟଙ୍କା ହୋଇଛି । ଗ୍ରାଉଣ୍ଡନାଟ୍ ତେଲ ଦାମ୍‌ ଦୁଇ ପ୍ରତିଶତ ହ୍ରାସ ପାଇ ଲିଟର ପିଛା ୧୮୯ରୁ ୧୮୫ ଟଙ୍କା ହୋଇଛି । ପିଆଜ ଦର ୮ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୨୬ ଟଙ୍କାରୁ ୨୪ ଟଙ୍କାକୁ କମିଛି । ଏଥିସହିତ ଆଳୁର ଦାମ୍‌ ସାତ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୨୮ ଟଙ୍କାରୁ ୨୬ ଟଙ୍କା ହୋଇଛି ।

ଏହା ସହ ବୁଟଡାଲି ୪ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୭୧ ଟଙ୍କା, ମସୁର ଡାଲି ୩ ପ୍ରତିଶତ ହ୍ରାସ ପାଇ ୯୪ ଟଙ୍କା ଏବଂ ହରଡ ଡାଲ ୨ ପ୍ରତିଶତ ହ୍ରାସ ପାଇ କିଲୋଗ୍ରାମ ପିଛା ୧୦୬ ଟଙ୍କା ହୋଇଛି । ମନ୍ତ୍ରଣାଳୟ ପକ୍ଷରୁ ରବିବାର କହାଯାଇଛି ଯେ, ବୈଷୟିକ ବଜାରରେ ଦାମ୍‌ କମିଥିବାରୁ ସାଧାରଣ ମାର୍କେଟ ସ୍ତରରେ ମଧ୍ୟ ଖାଦ୍ୟପଦାର୍ଥର ଦାମ୍‌ କମିଛି।

Comments are closed, but trackbacks and pingbacks are open.