ମୁମ୍ବାଇ:- ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୮ତମ ବାର୍ଷିକ ସାଧାରଣ ବୈଠକରେ ଅନେକ ପ୍ରମୁଖ ଘୋଷଣା କରାଯାଇଛି। ସାରା ବିଶ୍ଵରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)କୁ ନେଇ ପ୍ରତିଦ୍ଵନ୍ଦ୍ଵିତା ଚାଲି ଥିବାବେଳେ ଏହି ଦୌଡ଼ରେ ସାମିଲ ହୋଇଛି ରିଲାଏନ୍ସ। ଏହି ଅବସରରେ ନୂଆ ଏଆଇ କମ୍ପାନି ‘ରିଲାଏନ୍ସ ଇଣ୍ଟେଲିଜେନ୍ସ’ ଗଠନ କରିବାକୁ ଘୋଷଣା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ।ମୁକେଶ ଅମ୍ବାନୀ କହିଛନ୍ତି ଜିଓ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଡିଜିଟାଲ ବିପ୍ଲବ ଆଣିଥିଲା, ଏବେ ରିଲାଏନ୍ସ ଇଣ୍ଟେଲିଜେନ୍ସ ଲୋକଙ୍କ ପାଖରେ ଏଆଇ ପହଞ୍ଚାଇବ। ଏହି ଅବସରରେ ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କମ୍ପାନି ମେଟା ଏବଂ ଗୁଗୁଲ ସହିତ ଏକ ନୂତନ ଏଆଇ ସହଭାଗିତା ଘୋଷଣ କରିଛି ରିଲାଏନ୍ସ। ଏହି ସହଭାଗିତା ସମ୍ପର୍କରେ ମେଟାର ପ୍ରତିଷ୍ଠାତା ତଥା ସିଇଓ ମାର୍କ ଜୁକରବର୍ଗ ଏବଂ ଆଲଫାବେଟ ଓ ଗୁଗୁଲର ସିଇଓ ସୁନ୍ଦର ପିଚାଇ ରିଲାଏନ୍ସ ଏଜିଏମରେ ସମ୍ବୋଧିତ କରିଥିଲେ।
ରିଲାଏନ୍ସ ଇେଣ୍ଟେଲିଜେନ୍ସ ଗୁଜରାଟର ଜାମନଗରରେ ଗିଗାୱାଟ୍-ସ୍କେଲ, ଏଆଇ-ରେଡି ଡାଟା ସେଣ୍ଟର ନିର୍ମାଣ କରିବ, ଯାହା ସବୁଜ ଶକ୍ତି ଦ୍ୱାରା ପରିଚାଳିତ ହେବ। ମୁକେଶ ଅମ୍ବାନୀ କହିଛନ୍ତି, “ଏକ ଦଶନ୍ଧି ପୂର୍ବରୁ ଡିଜିଟାଲ ସେବା ରିଲାଏନ୍ସ ପାଇଁ ଏକ ନୂତନ ଅଭିବୃଦ୍ଧି ଇଞ୍ଜିନ ହୋଇଥିଲା। ବର୍ତ୍ତମାନ ଏଆଇ ସହିତ କମ୍ପାନି ସାମ୍ନାରେ ସମାନ ସୁଯୋଗ ରହିଛି। ଜିଓ ସବୁଠି ଏବଂ ସବୁ ଭାରତୀୟଙ୍କ ପାଇଁ ଡିଜିଟାଲ ସେବା ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲା ଏବଂ ପୂରଣ ମଧ୍ୟ କରିଛି। ଏବେ ରିଲାଏନ୍ସ ଇଣ୍ଟେଲିଜେନ୍ସ ପ୍ରତ୍ୟେକ ଭାରତୀୟଙ୍କ ନିକଟରେ ଏଆଇ ପହଞ୍ଚାଇବ।” ସେ ଆହୁରି କହିଛନ୍ତି ଯେ, ରିଲାଏନ୍ସ ଇଣ୍ଟେଲିଜେନ୍ସ ଗ୍ରାହକ, ଛୋଟ ବ୍ୟବସାୟ ଏବଂ ଉଦ୍ୟୋଗଗୁଡ଼ିକ ପାଇଁ ବିଶ୍ୱସ୍ତ, ବ୍ୟବହାର କରିବାକୁ ସହଜ ଏଆଇ ସେବା ଏବଂ ଶିକ୍ଷା, ସ୍ୱାସ୍ଥ୍ୟସେବା ଓ କୃଷି ଭଳି ଜାତୀୟ ଗୁରୁତ୍ୱ ବହନ କରୁଥିବା କ୍ଷେତ୍ର ପାଇଁ ସହଜଲବ୍ଧ ସମାଧାନ ପ୍ରଦାନ କରିବ।
Comments are closed, but trackbacks and pingbacks are open.