ପ୍ରଧାନମନ୍ତ୍ରୀ ମୋଦୀଙ୍କ ୭୫ ତମ ଜନ୍ମଦିନରେ ଓଡିଶାରେ ଲାଗିବ ରେକର୍ଡ ସଂଖ୍ୟକ ୭୫ ଲକ୍ଷ ଗଛ

321

ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି। ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି। ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡିଶା ଆସି ଆମର ମା ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ଓଡିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ସେପ୍ଟେମ୍ବର ୧୭ ତାରିଖରେ ଓଡିଶାରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ। ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର। ଆଜି ଲୋକସେବା ଭବନରେ ଏକ୍ ପେଡ୍ ମା କେ ନାମ୍ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏକ୍ ପେଡ ମା କେ ନାମ୍ ଅଭିଯାନ ଆରମ୍ଭ ହୋଇଥିଲା। ଚଳିତବର୍ଷ ଜୁନ୍ ୫ରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଏହାର ଦ୍ୱିତୀୟ ସଂସ୍କରଣ ଏକ ପେଡ୍ ମା କେ ନାମ୍ ୨.୦ ଚାଲିବ। ଦ୍ୱିତୀୟ ସଂସ୍କରଣର ଏହି କାର୍ଯ୍ୟକ୍ରମରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି। ଗତବର୍ଷ ଏହି କାର୍ଯ୍ୟକ୍ରମରେ ଓଡିଶା ତା’ର ଲକ୍ଷ୍ୟ ଅତିକ୍ରମ କରି ୬.୭୨ କୋଟି ଗଛ ଲଗାଇ ସାରା ଦେଶରେ ଚତୁର୍ଥ ସ୍ଥାନ ଅଧିକାର କରିଥିଲା। ଏ ବର୍ଷ ୭.୫ କୋଟି ଗଛ ଲଗାଇବାର ଲକ୍ଷ୍ୟ ରଖାଯାଇଛି ଏବଂ ତା ସହିତ କେବଳ ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲାଗିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ଏକ ରେକର୍ଡ ହେବ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଜଙ୍ଗଲ ବିଭାଗ ଏବଂ କୃଷି ଓ କୃଷକସଶକ୍ତି କରଣ ବିଭାଗର ଏଥିରେ ପ୍ରମୁଖ ଦାୟିତ୍ୱ ରହିଥିଲେ ମଧ୍ୟ ଏହି ପ୍ରକ୍ରିୟାକୁ ଆହୁରି ବ୍ୟାପକ କରିବା ପାଇଁ ଏହି ଅଭିଯାନରେ ବିଭିନ୍ନ ସରକାରୀ ବିଭାଗ ସହିତ ପିଏସୟୁ, ଏନ୍.ଜି.ଓ ସଂସ୍ଥା, ବିଭିନ୍ନ ଯୁବସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଧିକରୁ ଅଧିକ ସାମିଲ କରାଯିବାର ଆବଶ୍ୟକତା ରହିଛି ।

Comments are closed, but trackbacks and pingbacks are open.