ରେଭେନ୍ସାରେ ଛାତ୍ର ଆନ୍ଦୋଳନ, ୨୪ ଘଣ୍ଟାରୁ ଅଧିକ ଅନଶନରେ ଶତାଧିକ ଛାତ୍ର

7

କଟକ: ପ୍ରାୟ ୨୪ ଘଣ୍ଟାରୁ ଅଧିକ ସମୟ ହେଲାଣି ଛାତ୍ର ମାନେ ଅନଶନରେ ବସିଛନ୍ତି । ହାତରେ ପ୍ଲାକାର୍ଡ ଏବଂ ଡେପୁଟି ୱାର୍ଡେନଙ୍କ ଇସ୍ତଫା ଦାବିରେ ଅଡ଼ି ବସିଛନ୍ତି ରେଭେନ୍ସା ଇଷ୍ଟ ହଷ୍ଟେଲର ଛାତ୍ର ମାନେ । ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ଅଭିଯୋଗ, ହଷ୍ଟେଲର ଡେପୁଟି ୱାର୍ଡେନ ମନମାନି ଚଳାଇଛନ୍ତି । ଅଚାନକ ହଷ୍ଟେଲକୁ ଆସି, ମନଇଚ୍ଛା ପିଲା ମାନଙ୍କୁ ବାହାର କରିଦେଇ ଘରେ ତାଲା ପକାଇ ଦେଉଛନ୍ତି । ଯାହାର ପ୍ରତିବାଦ ସ୍ୱରୂପ ଛାତ୍ରମାନେ ଆନ୍ଦୋଳନ କରିଛନ୍ତି । ଅଭିଯୋଗ ଅନୁଯାୟୀ, ଇଷ୍ଟ ହଷ୍ଟେଲର ଡେପୁଟି ୱାର୍ଡେନ ରବି ଉଲ ଆନସାରୀ ଜଣେ ଅନ୍ତେବାସୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିଛନ୍ତି । ଛାତ୍ର ଜଣଙ୍କର ରୁମ୍‌ରେ ତାଲା ପକାଇବା ସହ ତାଙ୍କୁ ହଷ୍ଟେଲ ବାହାରକୁ ଚାଲିଯିବାକୁ କହିଛନ୍ତି । ସମ୍ପୃକ୍ତ ଛାତ୍ରଙ୍କ ବିରୁଦ୍ଧରେ ସାକ୍ଷୀ ଦେବାଲାଗି ଅନ୍ୟ ଅନ୍ତେବାସୀ ମାନଙ୍କୁ ବାଧ୍ୟ କରୁଛନ୍ତି । ଯାହାକୁ ନେଇ ଏହି ଆନ୍ଦୋଳନ ଆରମ୍ଭ ହୋଇଛି । ତେବେ ରବିବାର ରାତିରେ ରେଭେନ୍ସା କର୍ତ୍ତୃପକ୍ଷ ଆନ୍ଦୋଳନରତ ଛାତ୍ର ମାନଙ୍କ ସହ ଆଲୋଚନା କରିଥିଲେ, ଯାହା ବିଫଳ ହେଲା । ଆଜି ପୁଣି ଥରେ ଚିଫ୍ ୱାର୍ଡେନ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଆଲୋଚନା କରିଛନ୍ତି । ଡେପୁଟି ୱାର୍ଡେନ ତାଲା ପକାଇବା ଅଭିଯୋଗକୁ ମଧ୍ୟ କର୍ତ୍ତୃପକ୍ଷ ସ୍ୱୀକାର କରୁଛନ୍ତି । ତେବେ ସମସ୍ତ ଘଟଣାର ତଦନ୍ତ ପାଇଁ ସମୟ ଲୋଡିଛନ୍ତି ଚିଫ୍ ୱାର୍ଡେନ । ହେଲେ ଏଭଳି ପ୍ରତିଶ୍ରୁତି ଛାତ୍ର ମାନଙ୍କୁ ଶାନ୍ତ କରିପାରିନାହିଁ । ରେଭେନ୍ସାରେ ଅନେକ ଥର ଛାତ୍ର ଅଶାନ୍ତି ହୋଇଥିବାବେଳେ ତାର ଆଶୁ ସମାଧାନ ମଧ୍ୟ କରାଯାଇଛି । ଏଥର କିନ୍ତୁ ୨୪ ଘଣ୍ଟାରୁ ଅଧିକ ସମୟ ଧରି ଛାତ୍ର ମାନେ ଧାରଣାରେ ବସିଛନ୍ତି ଯାହାର ସମାଧାନ ମିଳିନାହିଁ |

Comments are closed, but trackbacks and pingbacks are open.