୧୨ ଡିଜିଟାଲ ପ୍ଲାଟ୍‌ଫର୍ମ ସେବାର ରେଟିଂ ପ୍ରସଙ୍ଗ : ଓଲା, ଉବେର ସମେତ ୫ଟି ସେବାକୁ ଜିରୋ ରେଟିଂ

27

ନୂଆଦିଲ୍ଲୀ: ଡିଜିଟାଲ ପ୍ଲାଟ୍‌ଫର୍ମରେ ସେବା ପ୍ରଦାନ କରୁଥିବା ୧୨ଟି କମ୍ପାନୀର ପ୍ରଦର୍ଶନକୁ ସମୀକ୍ଷା କରାଯାଇଛି । ଇତିମଧ୍ୟରୁ ଓଲା ଓ ଉବେର ଭଳି ପରିବହନ ସେବା ସମେତ ୫ଟି ସେବା ଜିରୋ ରେଟିଂ ପାଇଥିବା ଜଣାପଡିଛି । ଅନ୍ୟ ତିନିଟି ସଂସ୍ଥା ହେଲା ଡୁଞ୍ଜୋ (ଗ୍ରୋସରୀ ଡେଲିଭେରୀ), ଫାର୍ମାଇଜି ଏବଂ ଆମାଜନ ଫ୍ଲେକ୍ସ (ଉଭୟ ଔଷଧ ଯୋଗାଣକାରୀ ସଂସ୍ଥା) । ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ସହଯୋଗରେ ଫେୟାରୱାର୍କ ଇଣ୍ଡିଆ ଟିମ୍ ପକ୍ଷରୁ ଏହି ସର୍ଭେ କରାଯାଇ ରେଟିଂ ପଏଣ୍ଟ ପ୍ରଦାନ କରାଯାଇଛି । ସର୍ଭେରେ ସାମିଲ ହୋଇଥିବା ଅନ୍ୟ ୭ଟି କମ୍ପାନୀ ହେଲା ବିଗ୍‌ବାସ୍କେଟ୍‌, ଫ୍ଲିପ୍‌କାର୍ଟ, ସ୍ୱିଗି, ଅର୍ବାନ କମ୍ପାନୀ, ଜେପ୍‌ଟୋ, ଜମାଟୋ ଓ ପୋର୍ଟର । ପାଞ୍ଚଟି ମୁଖ୍ୟ ପ୍ରସଙ୍ଗ ଯଥା ସ୍ୱଚ୍ଛ ବେତନ, ସ୍ୱଚ୍ଛ କାର୍ଯ୍ୟ ପରିବେଶ, ସ୍ୱଚ୍ଛ ଚୁକ୍ତି ପ୍ରକ୍ରିୟା, ସ୍ୱଚ୍ଛ ମ୍ୟାନେଜମେଣ୍ଟ ଓ ସ୍ୱଚ୍ଛ ପ୍ରତିନିଧିତ୍ୱକୁ ମାନଦଣ୍ଡଭାବେ ଗ୍ରହଣ କରାଯାଇ ସର୍ଭେ କାର୍ଯ୍ୟ ସମ୍ପାଦିତ ହୋଇଛି । ରିପୋର୍ଟ ଅନୁଯାୟୀ ଓଲା, ଉବେର, ଡୁଞ୍ଜୋ, ଫାର୍ମାଇଜି ଓ ଆମାଜନ ଫ୍ଲେକ୍ସ ଭଳି ୫ଟି କମ୍ପାନୀ ୧୦ ପଏଣ୍ଟ ମଧ୍ୟରୁ ଗୋଟିଏ ହେଲେ ପଏଣ୍ଟ ସ୍କୋର କରିପାରିନାହାନ୍ତି । ଚଳିତବର୍ଷର ରିପୋର୍ଟରେ କୌଣସି କମ୍ପାନୀ ୭ ପଏଣ୍ଟରୁ ଅଧିକ ସ୍କୋର କରିନଥିବା କୁହାଯାଇଛି । ପାଞ୍ଚଟି ମାନଦଣ୍ଡକୁ ଦୁଇଟି ପର୍ଯ୍ୟାୟ ଯଥା ଫାଷ୍ଟ୍ ପଏଣ୍ଟ ଓ ସେକେଣ୍ଡ ପଏଣ୍ଟ୍‌ରେ ବିଭକ୍ତ କରାଯାଇଛି । ଯଦି କୌଣସି କମ୍ପାନୀ ଫାଷ୍ଟ ପଏଣ୍ଟ୍ ପାଇବାରେ ସଫଳ ହୋଇଥାଏ, ତେବେ ସେହି କମ୍ପାନୀକୁ ହିଁ ସେକେଣ୍ଡ ପଏଣ୍ଟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଉପରୋକ୍ତ ୧୨ଟି କମ୍ପାନୀ ମଧ୍ୟରୁ ଅର୍ବାନ କମ୍ପାନୀ ସର୍ବାଧିକ ୭ ପଏଣ୍ଟ ପାଇଁ ଶୀର୍ଷରେ ରହିଥିବାବେଳେ ଏହାପଛକୁ ବିଗ୍‌ବାସ୍କେଟ୍ (୬ ପଏଣ୍ଟ), ଫ୍ଲିପ୍‌କାର୍ଟ (୫ ପଏଣ୍ଟ), ସ୍ୱିିଗି (୫ ପଏଣ୍ଟ), ଜମାଟୋ (୪ ପଏଣ୍ଟ), ଜେପ୍‌ଟୋ (୨ ପଏଣ୍ଟ) ଓ ପୋର୍ଟର (୧ ପଏଣ୍ଟ) ଯଥାକ୍ରମେ ଦ୍ୱିତୀୟରୁ ସପ୍ତମ ସ୍ଥାନ ଅଧିକାର କରିଛନ୍ତି । ଆଇନ ଅନୁଯାୟୀ ଡିଜିଟାଲ ପ୍ଲାଟ୍‌ଫର୍ମରେ କାର୍ଯ୍ୟରତ କର୍ମଚାରୀ ସ୍ୱାଧୀନ ବିବେଚିତ ହେଉଥିବାରୁ ସେମାନେ ଶ୍ରମ ଆଇନ ପରିସରଭୁକ୍ତ ହୋଇନଥାନ୍ତି । ଅପରପକ୍ଷରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ/ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ, ଉପଯୁକ୍ତ କାର୍ଯ୍ୟ ପରିବେଶ ଯେଗାଇବା, ସେମାନଙ୍କର ଯୁକ୍ତିଯୁକ୍ତ ଦାବି ପୂରଣ ଭଳି ପ୍ରସଙ୍ଗକୁ କମ୍ପାନୀ କର୍ତ୍ତୃପକ୍ଷ ପ୍ରାଥମିକତା ଦେବା ଜରୁରୀ ବୋଲି କୁହାଯାଇଛି । ଫେୟାରୱାର୍କ ଇଣ୍ଡିଆ ଟିମ୍ ଘରୋଇ, ପର୍ସନାଲ କେୟାର, ଲଜିଷ୍ଟିକ୍‌, ଫୁଡ୍ ଡେଲିଭେରୀ, ଇ-ଫାର୍ମାସୀ ଓ ପରିବହନ ଭଳି ସେକ୍ଟରର ପ୍ରଦର୍ଶନକୁ ସର୍ଭେ କରିଥିବା କୁହାଯାଇଛି । ରିପୋର୍ଟ ଅନୁଯାୟୀ ଚଳିତବର୍ଷ ଅର୍ବାନ କମ୍ପାନୀ, ବିଗ୍‌ବାସ୍କେଟ୍ ଓ ଫ୍ଲିପକାର୍ଟ ସେମାନଙ୍କର କର୍ମଚାରୀଙ୍କୁ ଉଚିତ ପ୍ରାପ୍ୟ ପ୍ରଦାନ କରିଥିବାବେଳେ ଉପଯୁକ୍ତ କାର୍ଯ୍ୟ ପରିବେଶ ମଧ୍ୟ ଯୋଗାଇଥିବା ଜଣାପଡିଛି ।

Comments are closed, but trackbacks and pingbacks are open.