ମଙ୍ଗୋଲିଆ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଭେଟିଲେ ରାଜନାଥ

27

ଉଲାନ୍‌ବାଟର୍‌: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ମଙ୍ଗୋଲିଆ ପ୍ରତିରକ୍ଷା ମନ୍ତ୍ରୀ ଲେଫ୍ଟନାଣ୍ଟ୍ ଜେନେରାଲ୍ ସୌଖାନବୟାରଙ୍କ ସହ ସାକ୍ଷାତ କରିବା ସହ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗକୁ ଗତି ପ୍ରଦାନର ବିଭିନ୍ନ ଉପାୟ ଉପରେ ଆଲୋଚନା କରିଛନ୍ତି । ରାଜନାଥ ସିଂହ ସୋମବାରଠାରୁ ପାଞ୍ଚଦିନିଆ ମଙ୍ଗୋଲିଆ ଓ ଜାପାନ ଗସ୍ତରେ ଅଛନ୍ତି । କ୍ଷେତ୍ରୀୟ ସୁରକ୍ଷାର ସ୍ଥିତି ଏବଂ ବିଶ୍ୱ ଭୂ-ରାଜନୀତିରେ ଉତ୍‌ଥାନ ପତନ ମଧ୍ୟରେ ଦୁଇଦେଶ ସହ ଭାରତର ରଣନୈତିକ ଓ ପ୍ରତିରକ୍ଷା ସମ୍ପର୍କର ବିସ୍ତାର କରିବା ରାଜନାଥଙ୍କ ଏହି ଗସ୍ତର ଉଦ୍ଦେଶ୍ୟ । ସେ ପାଞ୍ଚର ସାତ ତାରିଖ ପର୍ଯ୍ୟନ୍ତ ମଙ୍ଗୋଲିଆ ଗସ୍ତରେ ରହିବେ । ଏହି ଅବସରରେ ରାଜନାଥ ସିଂହ ମଙ୍ଗୋଲିଆ ରାଷ୍ଟ୍ରପତି ୟୁ. ଖୁରେଲସୁଖ ଏବଂ ଷ୍ଟେଟ୍ ଗ୍ରେଟ୍ ଖରାଲ (ସଂସଦ)ର ଅଧ୍ୟକ୍ଷ ଜି. ଜାନଦନଶତାରଙ୍କ ସହ ମଧ୍ୟ ସାକ୍ଷାତ କରିବେ । ଏହି ପୂର୍ବ-ଏସୀୟ ଦେଶକୁ କୌଣସି ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀଙ୍କ ଏହା ପ୍ରଥମ ଯାତ୍ରା । ଉଲ୍ଲେଖନୀୟ ୨୦୧୫ ମେ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗୋଲିଆ ଯାତ୍ରା କରିଥିଲେ । ୮ ତାରିଖରେ ରାଜନାଥ ମଙ୍ଗୋଲିଆରୁ ଦୁଇଦିନିଆ ଜାପାନ ଗସ୍ତରେ ଯିବେ । ସେଠାରେ ୮ ତାରିଖରେ ଜାପାନ ସହିତ ହେବାକୁ ଥିବା ‘ଟୁ ପ୍ଲସ୍ ଟୁ’ ବାର୍ତ୍ତାରେ ସାମିଲ ହେବେ । ବାର୍ଷିକ ଭାରତ-ଜାପାନ ଶିଖର ସମ୍ମେଳନରେ ସାମିଲ ଦେବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦାଙ୍କ ଭାରତ ଯାତ୍ରାର ପ୍ରାୟ ପାଞ୍ଚମାସ ପରେ ଏହି ବାର୍ତ୍ତା ଆୟୋଜିତ ହେବ ।

Comments are closed, but trackbacks and pingbacks are open.