ରାଜସ୍ଥାନ ର ଫାଇନାଲ ଆଶା ଧୂଳିସାତ,୭ ଓ୍ଵିକେଟ୍‌ରେ ହରାଇ ଫାଇନାଲ୍‌ରେ ଗୁଜରାଟ

170

କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳାଯାଇଥିବା ପ୍ରଥମ କ୍ଵାଲିଫାୟରର ରୋମାଞ୍ଚକର ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଓ୍ଵିକେଟ୍‌ରେ ହରାଇଛି ନବାଗତ ଗୁଜରାଟ ଟାଇଟନ୍ସ। ଡେଭିଡ୍ ମିଲରଙ୍କ ବିସ୍ଫୋରକ ଅପପରାଜିତ ଅର୍ଦ୍ଧଶତକ(୬୮) ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ଵ ଇନିଂସ(୪୦) ଦମରେ ଗୁଜରାଟ ୧୯.୩ ଓଭରରେ ୩ ଓ୍ଵିକେଟ୍ ହରାଇ ଏହି ବିଜୟ ହାସଲ କରିଛି। ନିଜର ପଦାର୍ପଣ ସିଜିନରେ ଗୁଜରାଟ ଫାଇନାଲ୍‌ରେ ପହଞ୍ଚି ଥିବା ବେଳେ ରାଜସ୍ଥାନ ନିକଟରେ ଆଉ ଏକ ସୁଯୋଗ ରହିଛି। ଏଲିମିନେଟରର ବିଜେତା ଦଳ ସହ ଦ୍ଵିତୀୟ କ୍ଵାଲିଫାୟରରେ ଭେଟିବ ରାଜସ୍ଥାନ ରୟାଲ୍ସ। ଉକ୍ତ ମ୍ୟାଚର ବିଜେତା ଦଳ ଫାଇନାଲରେ ଗୁଜରାଟ ଟାଇଟନ୍ସକୁ ଭେଟିବ।

ଆଜିର ମ୍ୟାଚ୍‌ରେ ଗୁଜରାଟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ । ଯାହା ଫଳରେ ସଞ୍ଜୁ ସାମସନଙ୍କ ରାଜସ୍ଥାନ ରୟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରର ଖେଳ ଖେଳି ୪ ୱିକେଟ ବିନିମୟରେ ୧୮୮ ରନ୍‌ ସଂଗ୍ରହ କରିଥିଲା।ରାଜସ୍ଥାନ ରୟାଲ୍ସ ପକ୍ଷରୁ ଦମଦାର ବ୍ୟାଟିଂ କରିଥିଲେ ନିର୍ଭରଯୋଗ୍ୟ ବ୍ୟାଟର ଜସ ବଟଲର। ସେ ମାତ୍ର ୫୬ ବଲ ଖେଳି ୮୯ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୨ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଅଧିନାୟକ ସଞ୍ଜୁ ସାମସନ ୪୭ ରନ କରିଥିଲେ । ସେହିପରି ଦେବୀଦତ୍ତ ପଡ଼ିକଲ୍ଲ ୨୮ ରନ କରିଥିଲେ । ତେବେ ସିମରନ ହେଟମେୟର ଓ ରିୟାନ ପରାଗ ମାତ୍ର ୪ ରନ ଲେଖାଏଁ କରିଥିଲେ । ଗୁଜୁରାଟ ପକ୍ଷରୁ ମହମ୍ମଦ ସମି, ସାଇ କିଶୋର, ହାର୍ଦିକ ପାଣ୍ଡ୍ୟା ଓ ୟଶ ଦୟାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

୧୮୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଗୁଜରାଟ ଟାଇଟନ୍ସକୁ ଖାତା ଖୋଲିବା ପୂର୍ବରୁ ବଡ ଝଟକା ଲାଗିଥିଲା। ଇନଫର୍ମ ବ୍ୟାଟସମ୍ୟାନ ଋଦ୍ଧିମାନ ଶାହା(୦) ଆଉଟ୍ ହୋଇଥିଲେ। ଶୁଭମାନ ଗିଲ୍ ଏବଂ ମାଥ୍ୟୁ ଓ୍ଵେଦ ଦ୍ରୁତ ବ୍ୟାଟିଂ କରି ଦ୍ଵିତୀୟ ଓ୍ଵିକେଟରେ ୭୨ ରନ ଯୋଡିଥିଲେ। ଗିଲ୍ ୨୧ ବଲରୁ ୩୫ ରନ କରି ଆଉଟ୍ ହୋଇଥିଲେ। ଦଳୀୟ ସ୍କୋର ୮୫ ରନରେ ମାଥ୍ୟୁ ଓ୍ଵେଦ(୩୫) ପାଭିଲିୟନ ଫେରିଥିଲେ। ୮୫ ରନରେ ୩ ଓ୍ଵିକେଟ୍ ହରାଇବା ପରେ ଗୁଜରାଟର ଇନିଂସ ସମ୍ଭାଳିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଡେଭିଡ୍ ମିଲର।

ଦୁଇ ବ୍ୟାଟସମ୍ୟାନ ପ୍ରଥମେ ସତର୍କତାର ସହ ବ୍ୟାଟିଂ କରିଥିଲେ। କ୍ରିଜରେ ଜମିବା ପରେ ଦ୍ରୁତ ବ୍ୟାଟିଂ କରିଥିଲେ। ଉଭୟ ଅବିଭାଜିତ ଚତୁର୍ଥ ଓ୍ଵିକେଟ୍‌ରେ ୧୦୬ ରନ ଯୋଡି ଦଳକୁ ବିଜୟୀ କରାଇଛନ୍ତି। ଶେଷ ଓଭରରେ ୧୬ ରନ ଦରକାର ଥିବା ବେଳେ ମିଲର ପ୍ରଥମ ଦୁଇଟି ବଲ୍ ଛକା ଏବଂ ତୃତୀୟ ବଲ୍‌ରେ ବିଜୟ ସୂଚକ ଚୌକା ମାରିଥିଲେ। ମିଲର ୩୮ ବଲରୁ ୩ ଚୌକା ଏବଂ ୫ ଛକା ଜରିଆରେ ୬୮ ରନ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୨୭ ବଲରୁ ୫ ଚୌକା ସହ ୪୦ ରନରେ ଅପରାଜିତ ଥିଲେ। ରାଜସ୍ଥାନ ପକ୍ଷରୁ ଟ୍ରେଣ୍ଟ ବୋଲ୍ଟ ଏବଂ ଓବେମ ମାକକୟ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

ରାଜସ୍ଥାନ ଇନିଂସ

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ରୟାଲ୍ସର ଆରମ୍ଭ ନିରାଶଜନକ ଥିଲା। ଜୟସଓ୍ଵାଲ ୩ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ବୋଟଲର ଏବଂ ଅଧିନାୟକ ସଞ୍ଜୁ ସାମସନ ଦ୍ଵିତୀୟ ଓ୍ଵିକେଟ୍‌ରେ ୬୮ ରନ ଯୋଡିଥିଲେ। ସାମସନ ଦ୍ରୁତ ବ୍ୟାଟିଂ କରି ୨୬ ବଲରୁ ୫ ଚୌକା ଏବଂ ୩ ଛକା ଜରିଆରେ ୪୭ ରନ କରିଥିଲେ। ପାଡିକଲ ୨୮ ରନ କରି ପାଭିଲିୟନ ଫେରିଥିଲେ। ଅନ୍ୟପଟେ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ଜୋସ୍ ବଟଲର ଇନିଂସ ସମ୍ଭାଳିଥିଲେ। ହେଟମାୟର(୪) ନିରାଶ କରିଥିଲେ। ଅର୍ଦ୍ଧଶତକ ପରେ ବିସ୍ଫୋରକ ବ୍ୟାଟିଂ କରିଥିଲେ ବଟଲର। ସେ ୫୬ ବଲରୁ ୧୨ ଚୌକା ଏବଂ ୨ ଛକା ସହ ୮୯ ରନ କରି ଶେଷ ଓଭରରେ ଆଉଟ୍ ହୋଇଥିଲେ। ତାଙ୍କର ଏହି ଇନିଂସ ଦମରେ ରାଜସ୍ଥାନ ୬ ଓ୍ଵିକେଟ୍ ହରାଇ ୧୮୮ ରନ କରି ପାରିଛି।ଗୁଜରାଟ ତରଫରୁ ହାର୍ଦ୍ଦିକ ପାଣ୍ଡ୍ୟା, ସାଇ କିଶୋର, ୟଶ ଦୟାଲ ଏବଂ ମହମ୍ମଦ ଶାମି ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।

Comments are closed, but trackbacks and pingbacks are open.