ରେଳ ମନ୍ତ୍ରୀ ଇସ୍ତଫା ଦିଅନ୍ତ: ଶରତ ପଟ୍ଟନାୟକ

29

ଭୁବନେଶ୍ୱର:ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ବିଜେପି ସରକାର ଉପରେ ଜୋରଦାର ବର୍ଷିଛି କଂଗ୍ରେସ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନରେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଇସ୍ତଫା ଦାବି କରିଛି ଦଳ ।

ପିସିସି ସଭାପତି ଶରତ ପଟ୍ଟନାୟକ  ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ କହିଥିଲେ, ଉପା ସରକାର ୨୦୧୨ରେ  ଆଣ୍ଟି କୋଲିଜନ ଡିଭାଇସ ସିଷ୍ଟମ ଆରମ୍ଭ କରିଥିଲା । ବିଜେପି ସରକାର ଏବେ ଏହାର ନାମ ବଦଳାଇ ଏବେ ର କବଚ ରଖିଛନ୍ତି । ହେଲେ ଏ ବାବଦରେ ମାତ୍ର ୩୭୩ କୋଟି ଟଙ୍କା ବିଜେପି ୨ଟି ଟର୍ମରେ ମଞ୍ଜୁର କରିଛନ୍ତି ଯାହା ଏହି ସିଷ୍ଟମକୁ କାର୍ଯ୍ୟକାରୀ କରିବା ପାଇଁ ଯଥେଷ୍ଟ ନୁହେଁ । ଦୁର୍ଘଟଣା ରୋକିବା ପାଇଁ କିପରି ସିଗନାଲ ଏବଂ ଟ୍ରେନ ଲାଇନର ନବୀକରଣ କରାଯିବ ତା ଉପରେ ବିଜେପି ସରକାର ଗୁରୁତ୍ୱ ଦେଉନି ବା ଅର୍ଥ ଖର୍ଚ୍ଚ କରୁନି । ଏହାର ପରିଣାମ ସ୍ୱରୂପ ଆଜି ଏପରି ଏକ ବଡ ଧରଣର ଦୁର୍ଘଟଣା ଘଟିଲା ବୋଲି କହିଛନ୍ତି ଶରତ ପଟ୍ଟନାୟକ ।

ରାଜ୍ୟ ସରକାରଙ୍କ ଉପରେ ବର୍ଷି ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟ ସରକାରଙ୍କ ସୁରକ୍ଷା ଟିମ ଠିକ ସମୟରେ ପହଞ୍ଚିଥିଲେ ଆଉ କିଛି ଜୀବନ ବଞ୍ଚି ଯାଇ ପାରିଥାନ୍ତା । ସ୍ଥାନୀୟ ଲୋକ ଦେବଦୂତ ପରି ସେଠାରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ପହଞ୍ଚାଇଲେ । ହେଲେ ଦୁର୍ଘଟଣାର ଅନେକ ସମୟ ପରେ ପହଞ୍ଚିଥିଲେ ରାଜ୍ୟ ସରକାରଙ୍କ ସୁରକ୍ଷା ଟିମ ।

ତେବେ ଏତେବଡ ଦୁର୍ଘଟଣା ପାଇଁ  ରେଳ ମନ୍ତ୍ରୀ ଉତ୍ତରଦାୟୀ ହୋଇ ନିଜ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କରିଥିଲେ ଶ୍ରୀ ପଟ୍ଟନାୟକ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ବଦଳରେ ୧୫ ଲକ୍ଷ ସହାୟତ ପ୍ରଦାନ, ମୃତକଙ୍କ ପରିବାରର ଜଣକୁ ଚାକିରୀ ଯୋଗାଇବା ସହ ଅକ୍ଷମ ହୋଇଥିବା ବ୍ୟକ୍ତିଙ୍କୁ ଚାକିରୀ ଦେବା ପାଇଁ  ଦାବି କରିଥିଲେ ପିସିସି ସଭାପତି । ଏପରି ଏକ ପରିସ୍ଥିତିରେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ବୟାନକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ଶରତ ପଟ୍ଟନାୟକ । ସେ କହିଛନ୍ତି, ସକାଳେ ରେଳ ମନ୍ତ୍ରୀ କହିଲେ ସିଗନାଲ ଫେଲ ଯୋଗୁ ଦୁର୍ଘଟଣା ଘଟିଲା । ସନ୍ଧ୍ୟାରେ କହିଲେ ଏହାର ସିବିଆଇ ତଦନ୍ତ ହେବ । ସିବିଆଇ କାହିଁକି ତଦନ୍ତ କରିବ ? କି ତ୍ରୁଟି ବା ଅପରାଧିକ ସୂଚନା ପାଇଛନ୍ତି ଯେ ସିବିଆଇ ତଦନ୍ତ ଦିଆଯାଉଛି ତାହାର ଉତ୍ତର ଦିଅନ୍ତୁ ବୋଲି ପିସିସି ସଭାପତି କହିଛନ୍ତି ।

ସେହିପରି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ମଧ୍ୟ ରେଳ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି । ରେଳ ମନ୍ତ୍ରୀଙ୍କ ଦାୟିତ୍ୱହୀନତା ଯୋଗୁ  ଏତେବଡ ଦୁର୍ଘଟଣା ଘଟିଲା ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ । ସେପଟେ ଦୁର୍ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଆମେରିକା ଗସ୍ତରେ ଥିବା ଏହି ନେତା ଭାରତୀୟ ବଂଶୋଦ୍ଭବକୁ ଉଦବୋଧନ ଦେବା ଅବସରରେ ସେ କହିଛନ୍ତି, କଂଗ୍ରେସ ସରକାର ବେଳେ ଟ୍ରେନ ଦୁର୍ଘଟଣା ହେଲେ ମନ୍ତ୍ରୀ ମାନେ ଉତ୍ତରଦାୟିତ୍ୱ ନେଉଥିଲେ ଏବଂ ଇସ୍ତଫା ଦେଉଥିଲେ । ଏବେ କିନ୍ତୁ ଉତରଦାୟିତ୍ୱ କେହି ନେଉ ନାହାନ୍ତି ।

Comments are closed, but trackbacks and pingbacks are open.