ମିଜୋରାମରେ ଜିତିବାକୁ ମୋଦିଙ୍କ ବିରୋଧରେ ରାହୁଲଙ୍କ ମଣିପୁର ଅସ୍ତ୍ର !

274

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପୂର୍ବରୁ ମିଜୋରାମ ଗସ୍ତରେ ଯାଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ମିଜୋରାମର ୪୦ ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ରାହୁଲ ଦୁଇ ଦିନିଆ ଗସ୍ତରେ ଯାଇ ପ୍ରଚାରକୁ ଜୋରଦାର କରିଛନ୍ତି।ମିଜୋରାମରେ ରାହୁଲ ମଣିପୁର ହିଂସା ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଘେରିଛନ୍ତି। ମଣିପୁରଠାରୁ ମୋଦିଙ୍କର ଇସ୍ରାଏଲରେ ଯାହା ହେଉଛି ସେ ଚିନ୍ତା ଅଧିକ ବୋଲି ସେ କହିଛନ୍ତି।ମିଜୋରାମ ରାଜଭବନ ନିକଟରେ ହୋଇଥିବା ଜନସଭାରେ ରାହୁଲ ମଣିପୁରରେ ଲୋକଙ୍କୁ ହତ୍ୟା କରାଯାଉଥିବା କହିବା ସହ ମହିଳା ଓ ଶିଶୁଙ୍କୁ ମାରିଦିଆଯାଉଛି ବୋଲି କହିଛନ୍ତି।

ସେମାନଙ୍କୁ ବ୍ୟାପକ ନିର୍ଯାତନା ମଧ୍ୟ ଦିଆଯାଉଛି।କିନ୍ତୁ ଏସବୁ ପ୍ରତି କେନ୍ଦ୍ରର ବିଜେପି ସରକାରର ଆଦୌ ଧ୍ୟାନ ନ ଥିବାବେଳେ ଇସ୍ରାଏଲ ଉପରେ ଅଧିକ ଧ୍ୟାନ ଦିଆଯିବାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାହୁଲ।ଆସନ୍ତା ନଭେମ୍ବର ସାତ ତାରିଖରେ ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ରାହୁଲଙ୍କ ମଣିପୁର ପ୍ରସଙ୍ଗରେ ବିଜେପିକୁ ଆଟାକ ଜଟିଳ ରାଜନୈତିକ ସ୍ଥିତି ସୃଷ୍ଟି କରିଛି। ଆଇଜୋଲରେ ପହଂଚିବା ପରେ ରାହୁଲ ଏକ ବିଶାଳ ପଦଯାତ୍ରାରେ ଭାଗ ନେଇଥିଲେ। ଠିକ ରାହୁଲ ଗାନ୍ଧୀଙ୍କ ଗସ୍ତ ସମୟରେ କଂଗ୍ରେସ ମିଜୋରାମ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

୪୦ ଟି ସିଟ ମଧ୍ୟରୁ ଦଳ ୩୯ ଟିରେ ପ୍ରାର୍ଥୀ ଘୋଷଣା କରିଛି। କେବଳ ଲୁଙ୍ଗଲେଇ ଦକ୍ଷିଣ ସିଟ କୁ ଛାଡିଲେ ଅନ୍ୟ ସବୁ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଦଳ।ମିଜୋରାମରେ ମିଜୋ ନ୍ୟାସନାଲ ଫ୍ରଣ୍ଟ ସରକାରରେ ରହିଛି। ମିଜୋରାମ ବିଧାନସଭାରେ ଶାସକ ମିଜୋ ନ୍ୟାସନାଲ ଫ୍ରଣ୍ଟର ୨୮ ଜଣ ସଦସ୍ୟ ଥିବା ବେଳେ କଂଗ୍ରେସର ପାଞ୍ଚ ଜଣ, ଜେଡପିଏମର ଜଣେ ଓ ବିଜେପିର ଜଣେ ମାତ୍ର ବିଧାୟକ ରହିଛନ୍ତି।

ଅକ୍ଟୋବର ଚାରି ତାରିଖରେ ଶାସକ ଏମଏନଏଫ ସବୁ ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଛି। ତେଣୁ ନିର୍ବାଚନ ପୂର୍ବରୁ ରାହୁଲ ଗାନ୍ଧୀ ମିଜୋରାମରେ ମଣିପୁର ପ୍ରସଙ୍ଗ ଉଠାଇ ବିଜେପିକୁ ଟାର୍ଗେଟ କରିବା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏପରିକି ନିଜ ଭାରତ ଯୋଡୋ ଯାତ୍ରାର ମହତ୍ତ୍ୱ ସମ୍ପର୍କରେ କହିଛନ୍ତି ରାହୁଲ। ଏହି ଯାତ୍ରାର ଉଦେଶ୍ୟ ପରସ୍ପରକୁ ସମ୍ମାନ, ସହନଶୀଳତା, ପରସ୍ପରର ବିଚାରରୁ ଶିକ୍ଷା, ସମସ୍ତଙ୍କ ପ୍ରତି ପ୍ରେମ ଭାବ ବଢାଇବା ବୋଲି ରାହୁଲ କହିଛନ୍ତି। ଏହି ବିଚାରକୁ ବିଜେପି ଚ୍ୟାଲେଞ୍ଜ ଦେଉଛି ବୋଲି କହିବା ସହ ବିଭିନ୍ନ ସମୁଦାୟ, ଧର୍ମ ଓ ସଂସ୍କୃତି ମଧ୍ୟରେ ହିଂସା ଓ ଅହଂକାରକୁ ବଢାଇବା କାର୍ଯ୍ୟ କରୁଛି ବୋଲି ରାହୁଲ କହିଛନ୍ତି। ଯାହାକୁ ନେଇ ଦେଶର ରାଜନୀତି ଚଳଚଂଚଳ ହୋଇଛି।

Comments are closed, but trackbacks and pingbacks are open.