ନେପାଳର ପ୍ରସିଦ୍ଧ ପବ୍ ରେ ରାହୁଲ ଗାନ୍ଧୀ : ଭିଡିଓ ଭାଇରାଲ ପରେ ବିଜେପି କଂଗ୍ରେସ ମଧ୍ୟରେ ଟ୍ୱିଟ ୱାର

27

କଂଗ୍ରେସ ର ପୂର୍ବ ଅଧ୍ୟକ୍ଷ ସହିତ କେରଳର ୱାୟାନାଡର ପୂର୍ବତନ କଂଗ୍ରେସ ସଭାପତି ତଥା ସାଂସଦ ରାହୁଲ ଗାନ୍ଧୀ ବର୍ତ୍ତମାନ ନେପାଳ ଗସ୍ତରେ ଅଛନ୍ତି। କୁହାଯାଉଛି ଯେ ସେ ଜଣେ ବନ୍ଧୁଙ୍କ ବିବାହ ଉତ୍ସବରେ ଯୋଗଦେବା ପାଇଁ ନେପାଳ ଯାଇଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ କାଠମାଣ୍ଡୁର ଏକ ପ୍ରସିଦ୍ଧ ପବ୍ ଲର୍ଡ ଅଫ୍ ଦି ଡ୍ରିଙ୍କସରେ ନଜର ଆସିଛନ୍ତି। ଏଥିପାଇଁ ବିଜେପି ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛି।
ସେପଟେ ବିଜେପି ନେତା କପିଲ ମିଶ୍ର ଟ୍ୱିଟ୍ କରି ରାହୁଲ ଗାନ୍ଧୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଟ୍ୱିଟ୍ କରି କହିଛନ୍ତି, ‘ଏହା ରାହୁଲ ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନର ବିଷୟ ନୁହେଁ I ରାହୁଲ ଗାନ୍ଧୀଙ୍କ ପବ ରେ କାହା ସହିତ ଅଛନ୍ତି ? କ’ଣ ଚାଇନାର ଏଜେଣ୍ଟଙ୍କ ସହିତ ଅଛନ୍ତି ? ଚୀନ୍‌ର ଚାପରେ ରାହୁଲ ଗାନ୍ଧୀ ଭାରତୀୟ ସେନା ବିରୋଧରେ ଟ୍ୱିଟ୍ କରିଛନ୍ତି କି? ପ୍ରଶ୍ନ ତ ପଚରାଯିବ ? ପ୍ରଶ୍ନ ରାହୁଲ ଗାନ୍ଧୀଙ୍କ ନୁହେଁ, ଦେଶର ପ୍ରଶ୍ନ।

ଏହା ସହିତ ବିଜେପି ମୁଖପାତ୍ର ଶୋହଜାଦ୍ ପୁନଓ୍ବାଲା କହିଛନ୍ତି, ଏଠାରେ ରାହୁଲ ଗାନ୍ଧୀ କ’ଣ କରୁଛନ୍ତି, ହେଇଥାଇପାରେ ଏହା ତାଙ୍କର ବ୍ୟକ୍ତିଗତ ମାମଲା । କିନ୍ତୁ ଯେତେବେଳେ ରାଜସ୍ଥାନର ଯୋଧପୁରରେ ହିଂସାକାଣ୍ଡ ହେଉଛି, ସେଠାରେ ବି କଂଗ୍ରେସର ସରକାର ଅଛି, ତଥାପି ରାଜସ୍ଥାନ ଜଳୁଛି । ଏହା ଉପରେ ଚିନ୍ତା ବ୍ୟକ୍ତ କରିବା ବଦଳରେ ରାହୁଲ ଗାନ୍ଧି ନେପାଳରେ ନାଇଟ କ୍ଲବରେ ପାର୍ଟି କରୁଛନ୍ତି । ଲାଇଫକୁ ଏନଜୟ କରୁଛନ୍ତି । ହେଲେ ସେ ଭୁଲିଯାଉଛନ୍ତି, ଯେ ତାଙ୍କୁ ଲୋକଙ୍କ ସମସ୍ୟା ବିଷୟରେ ଜାଣିବା ଦରକାର ।

ପୁନଓ୍ୱାଲା ଆହୁରି କହିଛନ୍ତି, କଂଗ୍ରେସ ପାର୍ଟି ଶେଷ ହୋଇଯାଇଛି । କିନ୍ତୁ ରାହୁଲ ଗାନ୍ଧୀଙ୍କ ପାର୍ଟି ସେଭଳି ଚାଲିଛି । ସେ ରାଜନୀତିରେ ଗମ୍ଭୀର ନୁହନ୍ତି । ଯେତେବେଳେ ତାଙ୍କର ପାର୍ଟି ଓ ଦେଶର ଲୋକଙ୍କୁ ତାଙ୍କର ଦରକାର, ସେତେବେଳେ ସେ ନେପାଳରରେ ମଉଜ କରୁଛନ୍ତି । କେନ୍ଦ୍ରମନ୍ତ୍ରୀ କିରେନ୍‌ ରିଜିଜୁ ରାହୁଲ ଗାନ୍ଧୀଙ୍କ ଭିଡିଓ ସେୟାର କରି ସମାଲୋଚନା କରିଛନ୍ତି। ଭାକେସନ୍‌, ପାର୍ଟି, ହଲିଡେ, ପ୍ଲେଜର ଟ୍ରିପ୍‌, ପ୍ରାଇଭେଟ୍ ଫରେନ୍ ଭିଜିଟ୍‌ ଆଦି ଏବେ ଦେଶ ପାଇଁ କୌଣସି ନୂଆ କଥା ନୁହେଁ।

ସେହିଭଳି ବିଜେପିର ସୋସିଆଲ ମିଡିଆ ଇନଚାର୍ଜ ଅମିତ ମାଲବୀୟ ଟ୍ୱିଟ୍‌ କରି କହିଛନ୍ତି, ଯେତେବେଳେ ମୁମ୍ବାଇ ଉପରେ ଆକ୍ରମଣ ହୋଇଥିଲା, ସେତେବେଳେ ରାହୁଲ ଗାନ୍ଧୀ ନାଇଟ କ୍ଲବରେ ଥିଲେ । ଏବେ ଯେତେବେଳେ ତାଙ୍କର ପାର୍ଟି ସଙ୍କଟରେ ରହିଛି, ସେତେବେଳେ ସେ ନାଇଟ କ୍ଲବରେ ଅଛନ୍ତି । ତାଙ୍କ ଭିତରେ ଏହି ନିରନ୍ତରତା ପୂର୍ବରୁ ରହିଆସିଛି I

ତେବେ ଏହି ପ୍ରଶ୍ନ ର ମୁହଁତୋଡ ଜବାବ ଦେଇଛି କଂଗ୍ରେସ,ଭିଡିଓରେ କ’ଣ ଅସୁବିଧା ରହିଛି ବୋଲି ପ୍ରଶ୍ନ କରି ବିଜେପିକୁ କାଉଣ୍ଟର ପଞ୍ଚ ମାରିଛି। ଏଥିସହ ବରିଷ୍ଠ ବିଜେପି ନେତା ପ୍ରକାଶ ଜାଭଡେକର ଗୋଟିଏ ପାର୍ଟିରେ କେମିତି ମଉଜ କରୁଥିଲେ, ତା’ର ଫଟୋ ମଧ୍ୟ କଂଗ୍ରେସ ଆଜି ପୋଷ୍ଟ କରିଛି।

ଗୋଟିଏ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲାଙ୍କୁ ରାହୁଲଙ୍କ ଭାଇରାଲ ଭିଡିଓ ସମ୍ପର୍କରେ ପଚରା ଯାଇଥିଲା। ଏହାର ଜବାବରେ ସେ କହିଛନ୍ତି, “ରାହୁଲ ଗାନ୍ଧି ଜଣେ ବନ୍ଧୁଙ୍କ ବାହାଘରରେ ଯୋଗ ଦେବା ପାଇଁ କାଠମାଣ୍ଡୁ ଯାଇଛନ୍ତି। ସେ ବ୍ୟକ୍ତିଗତ ସ୍ତରରେ ସେଠାକୁ ଯାଇଛନ୍ତି। ବିଜେପି କାହିଁକି ବିଜୁଳି ସଙ୍କଟ, ମାନ୍ଦାବସ୍ଥା ଭଳି ପ୍ରସଙ୍ଗରେ ଉତ୍ତର ନ ଦେଇ କେବଳ ରାହୁଲ ଗାନ୍ଧିଙ୍କ ପଛରେ ସମୟ ଖର୍ଚ୍ଚ କରୁଛି? ପରିବାର କଥା ବୁଝିବା, ବାହାଘର କାର୍ଯ୍ୟକ୍ରମରେ ଯୋଗଦେବା ଓ ନିର୍ବନ୍ଧରେ ସାମିଲ ହେବା ଆମ ସଂସ୍କୃତି ଓ ପରମ୍ପରାର ଅଂଶ ବିଶେଷ। ଆମେ ଦେଶରେ ଏଯାଏ ବାହା ହେବା, କାହା ସହ ବନ୍ଧୁତା ସ୍ଥାପନ କରିବା କିମ୍ବା କାହା ବାହାଘରରେ ଯୋଗଦେବା ଅପରାଧର ମାନ୍ୟତା ପାଇନାହିଁ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭଳି ରାହୁଲ ଗାନ୍ଧି ବିନା ନିମନ୍ତ୍ରଣରେ ପାର୍ଟି ଆଟେଣ୍ଡ କରିବାକୁ ପାକିସ୍ତାନ ଯାଇ ନାହାନ୍ତି। ରାହୁଲ ଗାନ୍ଧି ଗୋଟିଏ ବନ୍ଧୁ ରାଷ୍ଟ୍ର ନେପାଳ ଯାଇ ସେଠାରେ ନିଜର ଜଣେ ବ୍ୟକ୍ତିଗତ ବନ୍ଧୁଙ୍କ ବାହାଘର ପାର୍ଟିରେ ଯୋଗଦେଇଛନ୍ତି।”

Comments are closed, but trackbacks and pingbacks are open.