ପ୍ରଶ୍ନପତ୍ର ଲିକ୍: ସମ୍ପୃକ୍ତ ୮୮ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ସୁପାରିଶ

76

ବାଲେଶ୍ୱର ପ୍ରଶ୍ନପତ୍ର ଲିକ୍ ଘଟଣାରେ ଆକ୍ସନ ମୋଡରେ ପୁଲିସ୍। ଲିକ୍ ପ୍ରଶ୍ନ ପତ୍ରରେ ସମ୍ପୃକ୍ତ ୮୮ ପରୀକ୍ଷାର୍ଥୀଙ୍କୁ ଆଜୀବନ ବ୍ୟାନ୍ ଲାଗି ଓଏସ୍ଏସ୍‌ସିକୁ ସୁପାରିଶ କରିଛନ୍ତି ବାଲେଶ୍ୱର ଏସପି। ସେପଟେ OSSCକୁ କାହିଁକି ତଦନ୍ତ ପରିସରଭୁକ୍ତ କରାଯିବନି ବୋଲି ପ୍ରଶ୍ନ ଉଠାଇଛନ୍ତି ପରୀକ୍ଷାର୍ଥୀ ଓ ପୂର୍ବତନ ପୁଲିସ୍ ଅଧିକାରୀ। ଆଉ ବିରୋଧୀ ଘଟଣାରେ ସରକାରଙ୍କ ତଦନ୍ତକୁ କଡା ସମାଲୋଚନା କରି ସତସାହସ ଥିଲେ ସିବିଆଇ କିମ୍ବା ଏସଆଇଟି ସ୍ତରୀୟ ତଦନ୍ତ ପାଇଁ ଦାବି କରିଛନ୍ତି।

ଖାଲି ସେତିକି ନୁହେଁ ମୁଖ୍ୟ ଅଭିଯୁକ୍ତ ବୀରେନ୍ଦ୍ର ସିଂ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଲାଗି ସେ ଚାକିରୀ କରୁଥିବା ପାଟନା ଆକାଉଣ୍ଟାଣ୍ଚ ଜେନେରାଲଙ୍କୁ ବି ଚିଠି ଲେଖିଛନ୍ତି ବାଲେଶ୍ୱର ଏସପି। ଗିରଫ ହୋଇଥିବା କନ୍ଧମାଳର ଶିକ୍ଷକ ଗୋବିନ୍ଦ ତ୍ରିପାଠୀ ଓ ଯାଜପୁରର ଶିକ୍ଷକ ସୁଶାନ୍ତ ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବି ଦୁଇ ଜିଲ୍ଲାର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏସପି ଚିଠି ଲେଖିଛନ୍ତି। ଆବଶ୍ୟକ ହେଲେ ରାଜ୍ୟ ବାହାରର ଯେଉଁ ପ୍ରିଣ୍ଟିଂ ପ୍ରେସରୁ ପ୍ରଶ୍ନପତ୍ର ଲିକ୍ ହୋଇଥିଲା ,ସେଠାକାର ସିସିଟିଭି ଫୁଟେଜ୍‌ ଚେକ୍ କରାଯିବା ସହ ପ୍ରେସ୍ ମାଲିକଙ୍କୁ ବି ତଦନ୍ତ ପରିସର ଭୁକ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଏସପି ସାଗରିକା ନାଥ।

ତେବେ ଏଠି ପ୍ରଶ୍ନ ଉଠୁଛି ଏତେ ବଡ ସ୍କାମ୍ ରେ ଓଏସ୍ଏସ୍‌ସି କାହିଁକି ତଦନ୍ତ ପରିସରଭୁକ୍ତ ନହେବ? ଓଏସ୍ଏସ୍‌ସି କର୍ମଚାରୀଙ୍କ ବିନା ସମ୍ପୃକ୍ତିରେ ପ୍ରଶ୍ନ ପତ୍ର ଲିକ୍ ହେବା କଣ ସମ୍ଭବ ?

ସେପଟେ ଓଏସ୍ଏସ୍‌ସି ପ୍ରଶ୍ନ ପତ୍ର ଲିକ୍ ଘଟଣାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବିଜେପି ରାଜ୍ୟ ସଭାପତି ସିଧାସଳଖ ଟାର୍ଗେଟ କରି ରାଜ୍ୟ ସରକାରଙ୍କ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ଲଗାଇଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି,ସରକାରଙ୍କ ଯଦି ସତସାହସ ଅଛି ତେବେ ନିରପେକ୍ଷତା ପାଇଁ ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ। ନଚେତ୍‌ ଏହାର ସିବିଆଇ ତଦନ୍ତ କିପରି ହେବ ସେଥିନିମନ୍ତେ ବିଜେପି ପଦକ୍ଷେପ ନେବ।

କଂଗ୍ରେସ ବି ସମାନ ଢଙ୍ଗରେ ଆକ୍ରମଣ କରି ଘଟଣାର ଏସ୍ଆଇଟି ତଦନ୍ତ ଦାବି କରିଛି। କେନ୍ଦ୍ର ଆଡ଼କୁ ପରୋକ୍ଷରେ ଅଙ୍ଗିତ କରି ବିଜେଡି କହିଛି, ଘଟଣାର ମାଷ୍ଟର ମାଇଣ୍ଡ ବୀରେନ୍ଦ୍ର ସିଂ କେନ୍ଦ୍ର ସରକାରଙ୍କ କର୍ମଚାରୀ। ସେଣ୍ଟ୍ରାଲ ଷ୍ଟାଫ୍ ସିଲେକ୍ସନରେ ମଧ୍ୟ ଏହି ରାକେଟ୍ ସମ୍ପୃକ୍ତ। ତେଣୁ ପୁଲିସ୍ ତଦନ୍ତ ଠିକ୍ ବାଟରେ ଚାଲିଛି, ରାଜନୀତି କରାନଯାଉ ବୋଲି ଦଳ କହିଛି।

କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର କହିଛନ୍ତି, ବିନା ଓଏସ୍‌ଏସ୍‌ସି ଭିତିରି ସହଯୋଗ ବିନା ପ୍ରଶ୍ନପତ୍ର ଲିକ୍‌ ହେବା ମୁସକିଲ। ତେଣୁ ହାଇକୋର୍ଟର ଜଣେ ବିଚାରପତିଙ୍କ ନିରୀକ୍ଷଣରେ ଘଟଣାର ଏସ୍‌ଆଇଟି ତଦନ୍ତ କରାଯାଉ।

ବିରୋଧୀଙ୍କ ବିରୋଧକୁ ସମାଲୋଚନା କରି ବିଜେଡି ମୁଖପାତ୍ର ଗୌତମ ବୁଦ୍ଧଦାସ କହିଛନ୍ତି, ଯେଉଁ ମୁଖ୍ୟ ଅଭିଯୁକ୍ତ ଧରାପଡ଼ିଛି ସେ କେନ୍ଦ୍ର ସରକାରଙ୍କ କର୍ମଚାରୀ। ତେଣୁ ଏହି ଘଟଣାକୁ ନେଇ ବିଜେପି ପ୍ରଥମେ ରାଜନୀତି କରିବା ବନ୍ଦ କରୁ।

ସୂଚନା ଥାଉକି, ଏହି ମାମଲାରେ ଏଯାଏଁ ୧୭ ଜଣଙ୍କୁ ଗିରଫ କରାଯାଇଛି। ତେବେ ଦେଖିବାର କଥା ବାଲେଶ୍ୱର ଏସପିଙ୍କ ସୁପାରିସ୍ ପରେ ଓଏସ୍ଏସ୍‌ସି ସମ୍ପୃକ୍ତ ୮୮ ପରୀକ୍ଷାର୍ଥୀଙ୍କ ଉପରେ କେବେ ବ୍ୟାନ୍ ଲଗାଉଛି। ଆଉ ଓଏସ୍ଏସ୍‌ସିକୁ ତଦନ୍ତ ପରିସରଭୁକ୍ତ କରାଯାଉଚି ନା ନାହିଁ।

Comments are closed, but trackbacks and pingbacks are open.