ପୁରୀରେ ବିପର୍ଯ୍ଯସ୍ତ ଟ୍ରାଫିକ ପରିଚାଳନା

58

-ଭିଆଇପି ଙ୍କ ପାଇଁ ଦେଢ ଘଣ୍ଟା ରାସ୍ତା ବନ୍ଦ

– ରାସ୍ତା ଉପରେ ଅଟକି ରହିଲେ ହଜାର ହଜାର ଗାଡ଼ି

ଭୁବନେଶ୍ୱର : ନୌସେନାର ପରାକ୍ରମ ପ୍ରଦର୍ଶନ ଦେଖିବାକୁ ଗତକାଲି ପୁରୀରେ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପ୍ରଦର୍ଶନ ଅପରାହ୍ନ ଚାରିଟା ରୁ ଆରମ୍ଭ ହେବାକୁ ଥିଲେ ମଧ୍ଯ ସକାଳୁ ଲୋକ ମାନଙ୍କର ପୁରୀକୁ ଆସିବା ଆରମ୍ଭ ହୋଇ ଯାଇଥିଲା। ଅପରାହ୍ନ ସୁଦ୍ଧା ଲକ୍ଷ ଲକ୍ଷ ଯାନ ବାହାନ ସହର ମଧ୍ୟକୁ ପ୍ରବେଶ କରି ସାରିଥିଲେ। ତାଳବଣିଆ ପାର୍କିଂ, ହେଲିପ୍ଯାଡ଼୍ ଏବଂ ଅନ୍ୟାନ୍ୟ ପାର୍କିଂ ସମେତ ସମୁଦ୍ରକୂଳ ଅଞ୍ଚଳର ରାସ୍ତା କଡ ମାନଙ୍କରେ ଲକ୍ଷାଧିକ ବାଇକ, ଅଟୋ ଏବଂ ଚାରିଚକିଆ ଯାନ ପାର୍କିଂ କରିଥିଲେ। ସନ୍ଧ୍ୟା ପ୍ରାୟ ସାଢେ ପାଞ୍ଚଟା ବେଳକୁ ପ୍ରଦର୍ଶନ ସରିବା ପରେ ଲୋକ ମାନଙ୍କର ଫେରିବା ଆରମ୍ଭ ହୋଇଥିଲା। ମାତ୍ର ଠିକ୍ ଛଅଟା ବେଳକୁ ପୁରୀ ସହରର ମୁଖ୍ୟ ପ୍ରବେଶ ପଥ ତାଳବଣିଆ ଗ୍ରୀଡ ଷ୍ଟେସନ ଛକ ଠାରେ ପୁରୀ ପୋଲିସ ବ୍ୟାରିକେଡ ପକାଇ ସହରରୁ ବାହାରୁଥିବା ସମସ୍ତ ଗାଡି ଗୁଡ଼ିକୁ ଅଟକାଇ ଦେଇଥିଲେ। ଏହି ଛକଟି ସମୁଦ୍ର ପଟୁ ଏବଂ ପୁରୀ ସହରରୁ କୋଣାର୍କ ପଟକୁ ବାହାରକୁ ବାହାରିବା ପାଇଁ ଏକମାତ୍ର ପ୍ରବେଶ ପଥ। ଫଳରେ ହଜାର ହଜାର ଗାଡି ମୋଟର, ସାଇକେଲ୍ ଆରୋହୀ, ପାଦଚଲା ଲୋକ ମାନେ ମଧ୍ୟ ସହରରୁ ବାହାରି ନପାରି କି ସହରକୁ ପ୍ରବେଶ କରି ନ ପାରି ତାଳବଣିଆ ଛକ ଠାରେ ଅଟକି ରହିଥିଲେ। ଅନେକ ରୋଗୀ ଏବଂ ଟିଉସନ ଯାଉଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଏହି ଭିଡ ମଧ୍ୟରେ ଫସି ରହିଥିଲେ। ସନ୍ଧ୍ୟା ପ୍ରାୟ ଛଅଟା ରୁ ସାଢେ ସାତଟା ଯାଏ ଏଭଳି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଥିଲା। ବ୍ୟାରିକେଡ ପାଖରେ ଜଗି ରହିଥିବା ପୋଲିସ କର୍ମଚାରୀ ମାନଙ୍କୁ ପଚାରିବାରେ ଉତ୍ତର ମିଳିଥିଲା କେହି ଜଣେ ଭିଆଇପି ପୁରୀରୁ କୋଣାର୍କ ଯିବେ ବୋଲି ଉପରୁ ନିର୍ଦ୍ଦେଶ ଆସିଛି। ସେଥିପାଇଁ ରାସ୍ତା ବନ୍ଦ କରାଯାଇଛି। ରାସ୍ତା ଫାଙ୍କା ଥିବା ସତ୍ତ୍ୱେ ସହରରୁ ବାହାରିବା ପାଇଁ ଗାଡ଼ି ଗୁଡିକୁ ଛଡା ନଯିବାରୁ ଲୋକ ମାନଙ୍କ ମଧ୍ୟରେ ଅସନ୍ତୋଷ ବଢି ଥିଲା। କେତେକ ବ୍ୟାରିକେଡ ଠେଲି ଯିବାକୁ ଚେଷ୍ଟା କରି ପୋଲିସ ସହ ଧସ୍ତାଧସ୍ତି ମଧ୍ୟ ହୋଇଥିଲେ। ପୁରୀ ପୋଲିସର ଏପରି ଅପରିଣାମଦର୍ଶୀ ବିପର୍ଯ୍ୟସ୍ତ ଟ୍ରାଫିକ ପରିଚାଳନା ଯୋଗୁଁ ହଜାର ହଜାର ଲୋକ ଅସୁବିଧା ଭୋଗିଥିଲେ।

Comments are closed, but trackbacks and pingbacks are open.