ପଞ୍ଜାବ ରାଜନୀତି :ପୁଣି ସିଦ୍ଧୁ ହୋଇପାରନ୍ତି ପିସିସି ସଭାପତି

28

ପଞ୍ଜାବ ରାଜନୀତି ରେ ଲଗାତାର ଜାରି ରହିଛି ହଟଚମଟ । ପଞ୍ଜାବ କଂଗ୍ରେସ ଦଳରେ ପ୍ରତ୍ୟେକ ଦିନ ନୂଆ ନୂଆ ଘଟଣା ସାମ୍ନାକୁ ଆସୁଛି I କିଛିଦିନ ପୂର୍ବରୁ ପଞ୍ଜାବ ପ୍ରଦେଶ କଂଗ୍ରେସ ଦଳରେ ହଲଚଲ ସୃଷ୍ଟି କରି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ନବଜୋତ ସିଂହ ସିଦ୍ଧୁ ବର୍ତ୍ତମାନ ନିଜ ନିଷ୍ପତି ବଦଳାଇବେ ବୋଲି ଶୁଣାଯାଉଛି I ଗୁରୁବାର ମୁଖ୍ୟମନ୍ତ୍ରୀ ଚରଣଜୀତ ସିଂହ ଚନ୍ନିଙ୍କ ସହ ଆଲୋଚନା ପରେ ଏଭଳି କିଛି ସୁରାକ ମିଳିଛି । ତେବେ ଏନେଇ ସେ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି । ଯାହାକୁ ଆଗାମୀ କ୍ୟାବିନେଟ୍ ବୈଠକରେ ଉପସ୍ଥାପନ କରାଯିବ ବୋଲି ସୂଚନା ମିଳିଛି । ସିଦ୍ଧୁ ମୁଖ୍ୟତଃ କ୍ୟାବିନେଟ୍ ନିଯୁକ୍ତିକୁ ବିରୋଧ କରି ଇସ୍ତଫା ଦେଇଥିଲେ । ସୂଚନା ଅନୁସାରେ ଚନ୍ନି ଶୀର୍ଷ ନିଯୁକ୍ତିକୁ ପ୍ରତ୍ୟାହାର କରିପାରନ୍ତି । ସିଦ୍ଧୁ କେତେକ ମନ୍ତ୍ରୀ, ପୋଲିସ ମୁଖ୍ୟ ଓ ଆଟର୍ଣ୍ଣିଂ ଜେନେରାଲଙ୍କ ନିଯୁକ୍ତକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ସେପଟେ କଂଗ୍ରେସ ଛାଡିବା ପରେ ନୂଆ ଦଳ ଗଢିପାରନ୍ତି କ୍ୟାପଟେନ୍ ଅମରିନ୍ଦର ସିଂହ । ଖୁବ୍ ଶୀଘ୍ର ସେ ନୂଆ ଦଳ ଗଢିବା ନେଇ ଘୋଷଣା କରିପାରନ୍ତି । ସୂଚନା ଅନୁସାରେ ୧୫ ଦିନ ମଧ୍ୟରେ କ୍ୟାପଟେନ ଅମରିନ୍ଦର ସିଂହ ନୂଆ ଦଳ ଗଢିବେ । ଯାହାର ନାଁ ସେ ଫୌଜ ରଖିପାରନ୍ତି । ଅନେକ କଂଗ୍ରେସ ନେତା ମଧ୍ୟ ତାଙ୍କ ସହ ସଂପର୍କରେ ଥିବା ଚର୍ଚ୍ଚା ହେଉଛି । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ତାଙ୍କ ଆଗାମୀ ପଦକ୍ଷେପ କ’ଣ ହେବ ସେନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ସେ ଗୃହମନ୍ତ୍ରୀ ଅମିତ ଶାହ ଓ ଏନଏସଏ ଅଜିତ ଡୋଭାଲଙ୍କୁ ଭେଟିସାରିଛନ୍ତି ଆଉ ସେ ଅପମାନ ସହି ନପାରି କଂଗ୍ରେସ ଛାଡିଥିବା କଥା ସ୍ପଷ୍ଟ କରିଛନ୍ତି । ତେବେ କ୍ୟାପଟେନଙ୍କ ଏଭଳି ଅଭିଯୋଗ ଅସ୍ୱୀକାର କରିଛନ୍ତି ପଞ୍ଜାବ କଂଗ୍ରେସ ପ୍ରଭାରୀ ହରିଷ ରାୱତ ।

Leave A Reply

Your email address will not be published.