ପ୍ରାଦେଶିକ ସର୍ବୋଦୟ ସମ୍ମିଳନୀ:ଗାନ୍ଧୀଙ୍କ ସ୍ୱପ୍ନର ଭାରତକୁ ଆମେ ଦେଖିପାରୁ ନାହୁଁ: ରାହୀ

34

ଭୁବନେଶ୍ୱର: ରାଜନୀତିକ ସ୍ୱାଧୀନତା ମିଳିଥିଲେ ହେଁ ଏବେ ବି ଆମେ ସାମାଜିକ ଓ ଅର୍ଥନୈତିକ ସ୍ୱାଧୀନତାକୁ ହାସଲ କରିପାରୁନାହୁଁ । ସାମନ୍ତବାଦୀ ଓ ଗୋଲାମୀ ମାନସିକତାରୁ ମୁକୁଳି ଗାନ୍ଧୀଙ୍କ ସ୍ୱପ୍ନର ଭାରତର ସ୍ୱରୂପକୁ ଦେଖିପାରୁନାହୁଁ । ପୁଞ୍ଜିପତିଙ୍କ ହାତରେ ଆଜି ଲୋକତନ୍ତ୍ରର ନିୟନ୍ତ୍ରଣ । ଦେଶରେ ଆମେ ଯେଉଁ ଲୋକତନ୍ତ୍ର କହୁଛୁ, ସେଠି ତନ୍ତ୍ର ଅଛି ହେଲେ ଲୋକ ନାହାନ୍ତି । ତେଣୁ ପୁଣି ଥରେ ଆମକୁ ଚରମ ଅବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ କରିବାକୁ ହେବ । ସେହି ସଂଗ୍ରାମ ଗାନ୍ଧୀଜୀଙ୍କ ସତ୍ୟ ଅଂହିସାର ପୃଷ୍ଠଭୂମିରେ ଏବଂ ସର୍ବୋଦୟ ବିଚାରଧାରାରେ ସମ୍ଭବ ବୋଲି ପ୍ରାଦେଶିକ ସର୍ବୋଦୟ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦାନ କରି ବକ୍ତବ୍ୟ ରଖିଛନ୍ତି କେନ୍ଦ୍ରୀୟ ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷ ରାମଚନ୍ଦ୍ର ରାହୀ ।
ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ରାଷ୍ଟ୍ରୀୟ ଯୁବା ସଂଗଠନ, ଜିଲ୍ଲା ସର୍ବୋଦୟ ମଣ୍ଡଳ ସମୂହ, ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ଉତ୍ତରଦାୟାଦ ସଙ୍ଗଠନ, କସ୍ତୁରବା ସ୍ମାରକ ଟ୍ରଷ୍ଟ, ବାଜିରାଉତ ଛାତ୍ରାବାସର ମିଳିତ ସହଯୋଗରେ ରାଜ୍ୟ ସ୍କାଉଟ୍‌ସ ଓ ଗାଇଡ୍‌ସ ପରିସରରେ ଆୟୋଜିତ ପ୍ରାଦେଶିକ ସର୍ବୋଦୟ ସମ୍ମିଳନୀରେ ରାଜ୍ୟର ସତେଇଶ ଜିଲ୍ଲାର ପ୍ରତିନିଧି ଯୋଗଦାନ କରିଥିଲେ । ବିଶିଷ୍ଟ ସର୍ବୋଦୟ ନେତ୍ରୀ ତଥା ଗାନ୍ଧୀ ଚିନ୍ତକ କୃଷ୍ଣା ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଶିଷ୍ଟ ଅତିଥି ଭାବେ ସର୍ବସେବା ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚନ୍ଦନ ପାଲ୍ ଯୋଗଦାନ କରି କହିଲେ ଯେ ଭୂଦାନ ଆନ୍ଦୋଳନର ବ୍ୟାପକତା ଗରିବ ମଣିଷ ପାଇଁ ଅଭିପ୍ରେତ ଥିଲା । ସମ୍ପ୍ରତି ଭୂଦାନ ଓ ଗ୍ରାମଦାନ ଆନ୍ଦୋଳନର ମୂଳ ଲକ୍ଷ୍ୟ ଠାରୁ ସମାଜ ଦୂରେଇ ଯାଇଛି ଏବଂ ଭୂଦାନର ଜମି ଆଜି ମୁଷ୍ଟିମେୟଙ୍କ କବଳରେ । ଖଦୀର ପ୍ରଚାର ଓ ପ୍ରସାର ପାଇଁ କେବଳ ଉପର ଠାଉରିଆ ଭାବେ କାର୍ଯ୍ୟ ହେଉଛି । ସରକାରୀ ଯୋଜନାରେ ଖଦୀ ନୁହେଁ, ସର୍ବୋଦୟ ବିଚାରରେ ଖଦୀ ପୁନରୁଦ୍ଧାରର ଆବଶ୍ୟକତା ଦେଖାଦେଇଛି । ଆମକୁ ସର୍ବୋଦୟ ବିଚାର ଓ ଲୋକନୀତି ସହ ଆଗକୁ ଯିବାକୁ ପଡ଼ିବ । ଆଗାମୀ ଭାରତର ସ୍ୱପ୍ନ ଗାନ୍ଧୀଜୀଙ୍କ ସର୍ବୋଦୟ ବିଚାରରେ ନିହୀତ । ଉତ୍କଳ ସର୍ବୋଦୟ ମଣ୍ଡଳ ମାଧ୍ୟମରେ ଗାନ୍ଧୀଜୀଙ୍କ ଅଠର ରଚନାତ୍ମକ କାର୍ଯ୍ୟକ୍ରମର ସଫଳ ରୂପାୟନ ହୋଇପାରିବ ବୋଲି ଆଶାବ୍ୟକ୍ତ କରିଥିଲେ ଶ୍ରୀଯୁକ୍ତ ଚନ୍ଦନ ପାଲ୍ । ଅନ୍ୟତମ ଅତିଥି ଭାବେ ଗ୍ରୀନ୍ ନୋବେଲ ବିଜେତା ପ୍ରଫୁଲ୍ଲ ସାମନ୍ତରା; ଜମି, ଜଳ, ଜଙ୍ଗଲ ଏବଂ ଆଦିବାସୀଙ୍କ ଅଧିକାର ସମ୍ପର୍କରେ ବକ୍ତବ୍ୟ ରଖିଥିବା ବେଳେ ବିଶିଷ୍ଟ ଭୂଦାନ ନେତା କୃଷ୍ଣ ସିଂହ ଗ୍ରାମ ସ୍ୱରାଜ ଆନ୍ଦୋଳନ ସଂକ୍ରାନ୍ତରେ କହିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡା, ବିନୋଦ ମହାନ୍ତି, ନ୍ୟାୟମୂର୍ତ୍ତି ଚୌଧୁରୀ ପ୍ରତାପ କେଶରୀ ମିଶ୍ର, ବିଜୟ କୁମାର ତ୍ରିପାଠୀ, ଗୌରାଙ୍ଗ ମହାପାତ୍ର, ପ୍ରଶାନ୍ତ ଦାସ, ଜୟନ୍ତୀ ମଞ୍ଜରୀ ରଥ, ଝରଣା ପଟ୍ଟନାୟକ, ରାଜେଶ୍ୱରୀ ଦଳେଇ, ଧନେଶ୍ୱର ସାହୁ, ଗୌରାଙ୍ଗ ରାଉତ, ରାମଚନ୍ଦ୍ର ଶୁକ୍ଳ, ସୁଧାଂଶୁ ମହାପାତ୍ର, ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ବିଧାନ ରାୟ, ଅରୁଣ ଜେନା ପ୍ରମୁଖ ଓଡ଼ିଶାରେ ସର୍ବୋଦୟ ଆନ୍ଦୋଳନକୁ ଆଗେଇନେବା ପାଇଁ ପରାମର୍ଶ ଦେଇଥିଲେ । ସର୍ବସେବା ସଂଘର ଓଡ଼ିଶା ପ୍ରଭାରୀ ଡା. ବିଶ୍ୱଜିତ କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଲୋକସେବକ ଜ୍ଞାନରଞ୍ଜନ ସାମନ୍ତରାୟ ଅତିଥି ପରିଚୟ ଓ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ।
ଦ୍ୱିତୀୟ ଅଧିବେଶନରେ ଆସନ୍ତା ତିନିବର୍ଷ ପାଇଁ ଉତ୍କଳ ସର୍ବୋଦୟ ମଣ୍ଡଳ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ନ୍ୟାୟମୂର୍ତ୍ତି ମନୋରଞ୍ଜନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ସର୍ବସେବା ସଙ୍ଘର ପର୍ଯ୍ୟବେକ୍ଷକ ଭାବେ ଅରବିନ୍ଦ ଅଞ୍ଜୁମ୍ ନିର୍ବାଚନ ପରିଚାଳନା କରିଥିଲେ । ସର୍ବସମ୍ମତିକ୍ରମେ ଯାଜପୁର ଜିଲ୍ଲାର ଜଣାଶୁଣା ଗାନ୍ଧୀବାଦୀ ଓ ସର୍ବୋଦୟ କର୍ମୀ ମିହିର ପ୍ରତାପ ଦାସଙ୍କୁ ସଭାପତି ରୂପେ ଚୟନ କରାଯାଇଥିଲା । ଏହି ଅବସରରେ ରାଜ୍ୟ ସମିତିର କର୍ମକର୍ତ୍ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା । ବିଭିନ୍ନ ଜିଲ୍ଲାରୁ ପ୍ରାୟ ଛଅ ଶହରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରି ମତାମତ ରଖିଥିଲେ । ଡ. ଦୀପାୟନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed, but trackbacks and pingbacks are open.