ଚନ୍ଦ୍ରଗ୍ରହଣ ବେଳେ ସାମୂହିକ ଭୋଜନ କାର୍ଯ୍ୟକ୍ରମକୁ ବିରୋଧ

35

ଭୁବନେଶ୍ୱର: ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ନିମନ୍ତେ ଲୋକଙ୍କୁ ସଚେତନ ସହ ସାମୁହିକ ଭୋଜନର କାର୍ଯ୍ୟକ୍ରମ ହେତୁବାଦୀଙ୍କ ଦ୍ୱାରା ଜାରି ରହିଥିବା ବେଳେ ପରମ୍ପରାବାଦୀ ଏହାକୁ ବିରୋଧ କରି ଆସୁଛନ୍ତି । ଚନ୍ଦ୍ରଗ୍ରହଣ ବେଳେ ଭୋଜନ ବଣ୍ଟନକୁ ନେଇ ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ଆଜି ଖଣ୍ଡଯୁଦ୍ଧ ହୋଇଛି । ଭୁବନେଶ୍ୱର ଓ ବ୍ରହ୍ମପୁରରେ ପରିସ୍ଥିତିକୁ ଆୟତ କରିବାପାଇଁ ପୁଲିସ ଲାଠିମାଡ଼ କରିଥିଲା । ଟେକା ପଥର ବୋମା ମାଡ ସାଙ୍ଗକୁ ବିଧା, ଗୋଇଠା ମାଡରେ ୨ ପୁଲିସ ସମେତ ଭୁବନେଶ୍ୱର, ବ୍ରହ୍ମପୁରରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି ।
ରାଜଧାନୀର ଲୋହିୟା ଏକାଡେମୀ ପରିସର ଆଜି ରଣକ୍ଷେତ୍ର ପାଲଟିଥିଲା । ଚନ୍ଦ୍ରଗ୍ରହଣରେ ବିରିୟାନୀ ପାର୍ଟି କରି ଅନ୍ଧବିଶ୍ୱାସକୁ ଭୁଲ ସାବ୍ୟସ୍ତ କରିବା ପାଇଁ ହେତୁବାଦୀଙ୍କ ପକ୍ଷରୁ ଏକ ଆଲୋଚନା ଚକ୍ରର ଆୟୋଜନ କରାଯାଇଥିଲା । ତେବେ ସେମାନଙ୍କର ଏଭଳି କାର୍ଯ୍ୟକ୍ରମ ସମ୍ପର୍କରେ ଖବର ପାଇଥିଲା ପରମ୍ପରାବାଦୀମାନେ । ସେମାନେ ସଦଳବଳ ହୋଇ ଲୋହିଆ ଏକାଡେମୀ ଅଭିମୁଖେ ଯାଇ ପ୍ରତିବାଦ କରିଥିଲେ । କାରଣ ଚନ୍ଦ୍ରଗ୍ରହଣ ହେଉ ଅବା ସୂର୍ଯ୍ୟପରାଗରେ ଖାଦ୍ୟ ଭକ୍ଷଣରେ କୌଣସି ଅସୁବିଧା ନାହିଁ ବୋଲି ହେତୁବାଦୀମାନେ ମତ ଦେଇ ଆସୁଛନ୍ତି । ହେଲେ ହେତୁବାଦୀଙ୍କ ଏଭଳି କାର୍ଯ୍ୟପାଇଁ ହିନ୍ଦୁ ପରମ୍ପରା ନଷ୍ଟ ହେବା ସହ ସମାଜ ଉପରେ ଏହାର ପ୍ରଭାବ ପଡୁଥିବା ପରମ୍ପରାବାଦୀଙ୍କ ବିରୋଧ କରିଥିଲେ । ସେଠାରେ ପରମ୍ପରାବାଦୀମାନେ ଘଣ୍ଟ ବଜାଇ ଏବଂ ବିଭିନ୍ନ ନାରା ଦେଇ ପ୍ରତିବାଦ କରିଥିଲେ । ସବୁକିଛି ଠିକ୍ ଠାକ୍ ଥିଲା । ହେଲେ ହେତୁବାଦୀମାନେ କରୁଥିବା କାର୍ଯ୍ୟକ୍ରମ ସ୍ଥଳକୁ ଅଟୋରେ ଲଦା ହୋଇ ବିରିୟାନୀ ଆସି ପହଞ୍ଚିଥିଲା । ହେତୁବାଦୀମାନେ ବରିୟାନି ହଣ୍ଡା ଖୋଲିବା ମାତ୍ରେ ଉତ୍ତେଜନା ବଢିଯାଇଥିଲା । ପରମ୍ପରାବାଦୀମାନେ ଆଉ ସମ୍ଭାଳ ହୋଇ ରହି ପାରିନଥିଲେ । ସେମାନେ ସିଧା ପାଚେରୀ ଡେଇଁ ଭିତରକୁ ପଶିଥିଲେ । ପରେ ସେଠାରେ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ । ହେତୁବାଦୀ ଓ ପରମ୍ପରାବାଦୀଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଉଭୟ ଗୋଷ୍ଠୀ ପରସ୍ପରକୁ ବିଧା, ଗୋଇଠା ମାରିବା ସହିତ ଗୋବର ଓ ଢେଲାପଥର ସହ ବୋମା ମାଡ଼ କରିଥିଲେ । ଏପରିକି ଲୋହିଆ ଏକାଡେମୀରେ ଥିବା ଫୁଲଗୁଣ୍ଡରେ ପରମ୍ପରାବାଦୀମାନେ ହେତୁବାଦୀଙ୍କୁ ପିଟିଥିଲେ । ଏପରିକି ସେଠାରେ ଥିବା ଫୁଲ ଗଛ ବଣରେ ମଧ୍ୟ ଦୁଇ ଗୋଷ୍ଠୀ ଗଡ଼ା ତଡ଼ା ହୋଇଥିଲେ । ପୁଲିସ୍ ସେଠାରେ ଉପସ୍ଥିତ ଥିବା ସତ୍ତ୍ୱେ ଏହାକୁ ସମ୍ଭାଳିବା କଷ୍ଟକର ହୋଇପଡ଼ିଥିଲା । ପୁଲିସ ସଂଖ୍ୟା ଠାରୁ ଦୁଇ ଗୋଷ୍ଠୀଙ୍କ ସଂଖ୍ୟା ଅଧିକ ରହିଥିଲା । ତେଣୁ ପରାମ୍ପରାବାଦୀମାନେ ହେତୁବାଦୀଙ୍କ ଉପରେ ଅଧିକ ହାବି ହୋଇପଡ଼ିଥିଲେ । ସେମାନେ ସାଥିରେ ଆଣିଥିବା ଗୋବର ଏବଂ ଟେକା ମାଡ଼ କରିଥିଲେ । ଯାହାଫଳରେ ହେତୁବାଦୀରୁ ଜଣେ ବ୍ୟକ୍ତିଙ୍କ ମୁଣ୍ଡ ଫାଟିଯାଇଥିଲ । ପୁଲିସ ପରିସ୍ଥିତିକୁ ନିୟନ୍ତ୍ରଣାଧିକ କରିବା ପାଇଁ ହେତୁବାଦୀଙ୍କୁ ଏକାଡେମୀ ଭିତରେ ପୁରାଇ ଗ୍ରିଲ୍ ଦେଇ ଦେଇଥିଲେ । ଏପରିକି ବୋମା ମାଡ଼ ମଧ୍ୟ କରାଯାଇଲା । ହେଲେ ତାହା ଫୁଟିନଥିବା ହେତୁବାଦୀମାନେ ଅଭିଯୋଗ କରିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣାଧିନ କରିବା ପାଇଁ ପୁଲିସ ପରମ୍ପରାବାଦୀମାନଙ୍କୁ ଗୋଡାଇ ଗୋଡାଇ ଲାଠିରେ ପଡ଼ିଥିଲା । ଫଳରେ ଯିଏ ଯୁଆଡେ ପାଇଲେ ଜୀବନ ବିକଳରେ ପଳାଇ ଯାଇଥିଲେ । ଏଭଳି ଗଣ୍ଡଗୋଳ ତଥା ହିଂସା ଭିଆଉଥିବା ୮ଜଣ ଯୁବକଙ୍କୁ ପୁଲିସ ଉଠାଇ ନେଇ ଥାନାରେ ଅଟକ ରଖିଛି । ଲୋହିଆ ଏକାଡେମୀର ମ୍ୟାନେଜର ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରିଛି । ଆସନ୍ତାକାଲି ୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।
ସେହିପରି ଆଜି ଚନ୍ଦ୍ରଗ୍ରହଣ ନିମନ୍ତେ ମାନବବାଦୀ ହେତୁବାଦୀ ସଂଗଠନ ପକ୍ଷରୁ ଲୋକଙ୍କୁ ସଚେତନ ସହ ସାମୁହିକ ଭୋଜନର କାର୍ଯ୍ୟକ୍ରମ ବ୍ରହ୍ମପୁର ସିଟି ହାଇସ୍କୁଲ ରୋଡରେ ହୋଇଛି । ସଂଗଠନ ପକ୍ଷରୁ ଲୋକଙ୍କୁ ଭାତ, ଡ଼ାଲି ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଦେବା ସମୟରେ ବଜରଙ୍ଗୀ ଦଳ, ବିଶ୍ୱ ହିନ୍ଦୁ ପରିଷଦ ଏବଂ ଗଞ୍ଜାମ ବ୍ରାହ୍ମଣ ସମାଜ ପହଞ୍ଚି ଏହାକୁ ତୀବ୍ର ବିରୋଧ କରିଥିଲେ । ହେତୁବାଦୀମାନେ ଦେଶର ଆତଙ୍କବାଦୀ କହିବା ସହ ସହ ତାଙ୍କ ଉପରକୁ ବଜରଙ୍ଗୀ ଦଳ କର୍ମୀମାନେ ଗୋବର ଫିଙ୍ଗିଥିଲେ । ଅନ୍ୟପକ୍ଷରେ ଉଭୟ ସଂଗଠନ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଉଥିବା ବେଳେ ଏହାକୁ ରୋକିବାକୁ ପୁଲିସ ପକ୍ଷରୁ ଲାଠି ଚାର୍ଜ କରିବାକୁ ପଡ଼ିଥିଲା । ଘଟଣାସ୍ଥଳରେ ଅତିରିକ୍ତ ଏସ୍‌ପି ଅସୀମ କୁମାର ପଣ୍ଡା, ଟାଉନ ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ବଡବଜାର ଥାନା ଅଧିକାରୀ ପ୍ରଶାନ୍ତ ଭୂପତି, ଦୈଦ୍ୟନାଥପୁର ଥାନା ଅଧିକାରୀ ରାମ କୁମାର ମୁମୁ, ଟାଉନ୍ ଥାନା ଅଧିକାରୀ ସୁରେଶ କୁମାର ତ୍ରିପାଠୀଙ୍କ ସମେତ ବହୁ ପୁଲିସ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବଜରଙ୍ଗୀ ଦଳ କର୍ମୀ, ବିଶ୍ୱ ହିନ୍ଦୁ ପରିଷଦ ଓ ବ୍ରାହ୍ମଣ ସମାଜ କର୍ମୀମାନେ ଆକ୍ରମଣ କରିଥିବା ଏନେଇ ଆଜି ମାନବବାଦୀ ହେତୁବାଦୀ ସଂଗଠନ ବଡ଼ ବଜାର ଥାନାରେ ଅଭିଯୋଗ କରାଯାଇଛି । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ ନଂ ୩୦୨/୨୨ରେ ଏକ ମାମଲା ରୁଜୁ କରିଛି । ଅନ”୍ୟପକ୍ଷରେ ମାନବବାଦୀ ହେତୁବାଦୀ ସଂଗଠନର ସଦସ୍ୟମାନେ ହିନ୍ଦୁଧର୍ମ ଓ ପରମ୍ପରା ବିରୋଧ ଆଚାରଣ କରିଥିବା ନେଇ ବଜରଙ୍ଗୀ ଦଳ ପକ୍ଷରୁ ବଡ଼ ବଜାର ଥାନାରେ ଅଭିଯୋଗ କରାଯାଇଛି । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ କେସ ନଂ ୩୦୩/୨୨ରେ ଏକ ମାମଲା ରୁଜୁ କରିଛି । ଉଭୟଙ୍କ ଅଭିଯୋଗକ୍ରମେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Comments are closed, but trackbacks and pingbacks are open.