୨୦୨୩-୨୪ କେନ୍ଦ୍ରୀୟ ବଜେଟ୍ ପାଇଁ ପ୍ରସ୍ତାବ: ଗଡ଼ିବ ୩୦୦-୪୦୦ ବନ୍ଦେ ଭାରତ ଟ୍ରେନ୍‌

28

ନୂଆଦିଲ୍ଲୀ: ୨୦୨୩ ଫେବୃଆରୀ ୧ରେ ସଂସଦରେ ୨୦୨୩-୨୪ ଆର୍ôଥକବର୍ଷ ପାଇଁ କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରାଯିବ । ତେବେ ଉକ୍ତ ବଜେଟ୍‌ରେ ୩୦୦ରୁ ୪୦୦ ପର୍ଯ୍ୟନ୍ତ ‘ବନ୍ଦେ ଭାରତ’ ଟ୍ରେନ୍ ଚଳାଚଳ ସମ୍ପର୍କରେ ଘୋଷଣା କରାଯିବ ବୋଲି ରେଳବାଇ ପକ୍ଷରୁ ସୂଚନା ମିଳିଛି । ଏଭଳି ସେମି ହାଇସ୍ପିଡ୍ ଟ୍ରେନ୍ ଚଳାଚଳ ପାଇଁ ଆସନ୍ତା ଏକବର୍ଷ ମଧ୍ୟରେ ‘ଷ୍ଟାଣ୍ଡାର୍ଡ ଗଜ୍‌’ ଟ୍ରାକ୍ ନିର୍ମାଣ କରାଯିବାକୁ ମଧ୍ୟ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି । ଆସନ୍ତା ତିନି ଚାରିବର୍ଷ ମଧ୍ୟରେ ଦେଶରେ ବନ୍ଦେ ଭାରତ ଟ୍ରେନ୍ ସଂଖ୍ୟା ୪୭୫କୁ ବୃଦ୍ଧି କରାଯିବ ବୋଲି ପୂର୍ବରୁ ଘୋଷଣା କରାଯାଇସାରିଛି । ଏଭଳି ଦ୍ରୁତଗାମୀ ଟ୍ରେନ୍‌ର ଚାହିଦା ବୃଦ୍ଧି ପାଉଥିବାରୁ ଲୋକଙ୍କୁ ଅତ୍ୟାଧୁନିକ ଟ୍ରେନ୍‌ଯାତ୍ରାର ଅନୁଭୂତି ପ୍ରଦାନ କରାଯିବ ବୋଲି ରେଳବାଇ କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ଯେଉଁ ଟ୍ରାକ୍ (ରେଳଧାରଣା) ରହିଛି, ତାହା ଉପରେ ବନ୍ଦେ ଭାରତ ଟ୍ରେନ୍ କିଭଳି ଦ୍ରୁତଗତିରେ ଯାତ୍ରା କରିପାରିବ, ସେ ସମ୍ପର୍କରେ ମଧ୍ୟ ରେଳବାଇ କର୍ତ୍ତୃପକ୍ଷ ନକ୍‌ସା ପ୍ରସ୍ତୁତ କରୁଥିବା ଜଣାପଡିଛି । ୨୦୨୫-୨୬ ସୁଦ୍ଧା ଭାରତରେ ‘ଟିଲ୍‌ଟିଂ ଟେକ୍ନୋଲୋଜି’ରେ ନିର୍ମିତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ କରିବାର ଯୋଜନା ରହିଛି ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରସ୍ତାବିତ ୪୭୫ ମଧ୍ୟରୁ ପ୍ରାୟ ୧୦୦ ବନ୍ଦେ ଭାରତ ଟ୍ରେନ୍ ଏହି ଟେକ୍ନୋଲୋଜି ଅନୁଯାୟୀ ଯାତ୍ରା କରିବ ବୋଲି କୁହାଯାଇଛି । ଏହି ଟେକ୍ନୋଲୋଜି ଦ୍ୱାରା ହାଇସ୍ପିଡ୍ ଟ୍ରେନ୍‌ଗୁଡିକ ବୁଲାଣି ଟ୍ରାକ୍‌ରେ ଦ୍ରୁତବେଗରେ ମଧ୍ୟ ଗତି କରିପାରିବ । ବର୍ତ୍ତମାନ ବନ୍ଦେ ଭାରତ ଟ୍ରେନ୍‌ରେ କେବଳ ବସିବା (ସିଟିଙ୍ଗ୍‌) ବନ୍ଦୋବସ୍ତ ରହିଛି । ତେବେ ୨୦୨୪ ମାର୍ଚ୍ଚ ସୁଦ୍ଧା ବର୍ଥ ସିଷ୍ଟମ (ଶୋଇବା ବ୍ୟବସ୍ଥା) ଥିବା ପ୍ରଥମ ବନ୍ଦେ ଭାରତ ଟ୍ରେନ୍ ନିର୍ମାଣ କରାଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଷ୍ଟାଣ୍ଡାର୍ଡ ଗଜ୍‌ରେ ଏହି ଟ୍ରେନ୍ ଯେପରି ଘଣ୍ଟାକୁ ୨୨୦ କିମ ବେଗରେ ଗତି କରିବ, ସେଥିପାଇଁ ରାଜସ୍ଥାନରେ ପରୀକ୍ଷା ନିରୀକ୍ଷା କରାଯିବ ବୋଲି ମଧ୍ୟ ସେ କହିଛନ୍ତି ।

Comments are closed, but trackbacks and pingbacks are open.