ନାରୀଙ୍କୁ ସଶକ୍ତ କରିବ ‘ପ୍ରୋଜେକ୍ଟ ଦୁର୍ଗା’

80

ଭୁବନେଶ୍ବର: ଗୋଟିଏ ପଟେ ନବରାତ୍ରୀ ପୂଜା ଆରମ୍ଭ ହୋଇସାରିଥିବାବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଶୁଭାରମ୍ଭ ହୋଇଛି ‘ପ୍ରୋଜେକ୍ଟ ଦୁର୍ଗା’। ଏହି ପ୍ରକଳ୍ପ ଦ୍ବାରା ସଶକ୍ତ ହେବେ ନାରୀ। ନାରୀ ସଶକ୍ତି ପାଇଁ ସୁନ୍ଦରଗଡ଼ ଜିଲ୍ଲାରେ ଏହା ଆରମ୍ଭ ହୋଇଛି। ଏହାରି ମାଧ୍ୟମରେ ଝିଅମାନଙ୍କୁ ଆତ୍ମରକ୍ଷା ତାଲିମ ଦିଆଯିବା ସହିତ ଜାରି ହୋଇଛି ହେଲ୍‌ପଲାଇନ୍‌ ନମ୍ୱର। ଏଥିସହିତ କ୍ୟାରିୟର କାଉନ୍‌ସେଲିଂ ପାଇଁ ‘ଆସ୍କ ମି ଏନି ଥିଙ୍ଗ’ କରାଯିବ ବୋଲି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ କହିଛନ୍ତି। ସ୍କୁଲ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ତାଲିମ ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ୩୦୦ ଛାତ୍ରୀଙ୍କୁ ଚୟନ କରାଯାଇଛି। ପରବର୍ତ୍ତୀ ପର୍ଯ୍ୟାୟରେ ୨୦ଟି ସ୍କୁଲର ଛାତ୍ରୀଙ୍କୁ ଏଥିରେ ସାମିଲ୍‌ କରାଯିବ। ସ୍କୁଲର ପ୍ରଧାନଶିକ୍ଷକଙ୍କ ସହାୟତାରେ ପ୍ରତି ସପ୍ତାହରେ ଛାତ୍ରୀଙ୍କୁ ତାଲିମ୍‌ ଦେବା ପାଇଁ ବ୍ୟବସ୍ଥା କରାଯିବ। ଏହାଛଡ଼ା ନାରୀ ହେଲ୍‌ପ ଲାଇନ୍‌ ନମ୍ୱର ୯୪୩୮୯୧୫୮୫୪ ଲଞ୍ଚ କରାଯାଇଛି। ଝିଅମାନଙ୍କ ପାଇଁ ଏହି ହେଲ୍‌ପଲାଇନ୍‌ ନମ୍ୱର ଜାରି କରାଯାଇଛି। ସ୍କୁଲ ଓ କଲେଜରେ ଝିଅମାନେ କୌଣସି ନିର୍ଯାତନା, ଶୋଷଣରେ ଶିକାର ହେଲେ କିମ୍ୱା ଅଶ୍ଲୀଳ ଭିଡିଓ ବା ଫଟୋ ଲିକ୍‌ ହୋଇଥିଲେ ହେଲ୍‌ପ ଲାଇନ୍‌ ନମ୍ୱରରେ ଫୋନ୍‌ କରି ଜଣାଇପାରିବେ। ଜାରି ହୋଇଥିବା ହେଲ୍‌ପଲାଇନ୍‌ ନମ୍ୱରରେ ୯୪୩୮୯୧୫୮୫୪ ହ୍ୱାଟ୍ସଆପ୍‌ ମଧ୍ୟ ରହିଛି। ଝିଅମାନେ ଚାହିଁଲେ ସେଥିରେ ଭିଡିଓ କଲ୍‌ କରି ପୁଲିସ୍‌ ସାହାଯ୍ୟ ନେଇ ପାରିବେ। ଏହାଛଡ଼ା ହେଲ୍‌ପଲାଇନ୍‌ ହ୍ୱାଟ୍ସଆପ୍‌ ନମ୍ୱରରେ ଲିକ୍‌ ହୋଇଥିବା ଅଶ୍ଲୀଳ ଭିଡିଓ ବା ଫଟୋ ପଠାଇଲେ ପୁଲିସ୍‌ ଠିକଣା ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ ବୋଲି ଏସ୍‌ପି କହିଛନ୍ତି। ଛାତ୍ରୀମାନେ ପଢ଼ିଲା ବେଳେ କେଉଁ ପ୍ରକାର କ୍ୟାରିୟର୍‌ ଚୟନ କରିବେ ତାକୁ ନେଇ ଅନେକ ସମୟରେ ଛାତ୍ରୀମାନେ ଦୁଦୁଲ୍ୟମାନ ଅବସ୍ଥାରେ ଥାଆନ୍ତି। ସେକ୍ଷେତ୍ରରେ ଛାତ୍ରୀଙ୍କ ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ‘ଆସ୍କ ମି ଏନି ଥିଙ୍ଗ’ ସେସନ୍‌ ରଖିଛୁ। ଏହାରି ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ସଶକ୍ତ ଥିବା ମହିଳାଙ୍କୁ ଆଣି ଏକ ସେସନ୍‌ କରିବୁ। ସେମାନେ ଝିଅମାନଙ୍କ ସହିତ ଆଲୋଚନା କରିବେ। ଝିଅମାନେ କ’ଣ ହେବାକୁ ଚାହୁଁଛନ୍ତି ସେମାନଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇ ଆଗକୁ ବଢ଼ିବାରେ ସହାୟତା କରାଯିବ। ଏଥିରେ ବହୁମାତ୍ରାରେ ପିଲାମାନେ ଅଂଶ ଗ୍ରହଣ କରିବେ ବୋଲି ଆଶା କରୁଛି ବୋଲି ସୁନ୍ଦରଗଡ଼ ଏସ୍‌ପି ସାଗରିକା ନାଥ କହିଛନ୍ତି। ସୁନ୍ଦରଗଡ ଏସ୍‌ପି ସାଗରିକା ନାଥଙ୍କ ପରିକଳ୍ପନା ‘ପ୍ରୋଜେକ୍ଟ ଦୁର୍ଗା’ର ଉଦ୍‌ଘାଟନୀ ସମାରୋହରେ ପଶ୍ଚିମାଞ୍ଚଳ ଡିଆଇଜି ନୀତି ଶେଖର ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ବେଳେ ଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ସାମିଲ ହୋଇଥିଲେ ଓଲିଉଡ୍‌ ଅଭିନେତ୍ରୀ ଅର୍ଚ୍ଚିତା ସାହୁ।

Comments are closed, but trackbacks and pingbacks are open.